Voice of Eastern India

ରାନ୍ୟା ରାଓଙ୍କ ଉପରେ ୧୦୨.୫ କୋଟିର ଜରିମାନା, ୧୨୭ କିଲୋ ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ୍ସର ଆକ୍ସନ


ନୂଆଦିଲ୍ଲୀ: ଅଭିନେତ୍ରୀ ରାନ୍ୟା ରାଓ ଏବଂ ଅନ୍ୟ ତିନିଜଣଙ୍କ ଉପରେ କଷ୍ଟମ୍ସ ବିଭାଗ ମୋଟ ୨୭୦.୮ କୋଟି ଟଙ୍କାର ଜରିମାନା ଲଗାଇଛି । ବେଆଇନ ସୁନା ଚୋରା ଚାଲାଣର ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଷ୍ଟମ୍ସ ବିଭାଗ ଅନୁଯାୟୀ, ଅଭିଯୁକ୍ତମାନେ ଏକ ଏପରି ସିଣ୍ଡିକେଟର ଅଂଶ ଥିଲେ, ଯିଏ ୨୦୨୪ ମାର୍ଚ୍ଚରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଭାରତକୁ ୧୨୭ କିଲୋଗ୍ରାମରୁ ଅଧିକ ସୁନା ଚୋରା ଚାଲାଣ ମାଧ୍ୟମରେ ଆଣିଥିଲେ । ଏହି ସୁନାର ମୋଟ ମୂଲ୍ୟ ପ୍ରାୟ ୧୦୨.୫ କୋଟି ଟଙ୍କା ବୋଲି କୁହାଯାଇଛି ।

ଆଜ୍ ତକ୍ ରିପୋର୍ଟ ଅନୁଯାୟୀ, କଷ୍ଟମ୍ସର ଯୁଗ୍ମ କମିଶନର (ଏୟାରପୋର୍ଟ) ସନ୍ଦୀପ ଗୁଞ୍ଜାଲ ସେପ୍ଟେମ୍ବର ୩୦ରେ ଏହି ମାମଲାରେ ଆଦେଶ ଜାରି କରିଛନ୍ତି । ଆଦେଶ ଅନୁଯାୟୀ, ରାନ୍ୟା ରାଓଙ୍କୁ ସମ୍ପୂର୍ଣ୍ଣ ଚୋରା ଚାଲାଣ ସୁନା କନସାଇନମେଣ୍ଟ ପାଇଁ ଦାୟୀ କରାଯାଇଛି । ତାଙ୍କ ଉପରେ ୧୦୨.୫ କୋଟି ଟଙ୍କାର ଜରିମାନା ଲଗାଯାଇଛି । ସେହିପରି ତରୁଣ କୋଣ୍ଡୁରୁ ରାଜୁଙ୍କ ଉପରେ ୬୨.୧ କୋଟି ଟଙ୍କା, ସାହିଲ ସକରିଆ ଜୈନ ଏବଂ ଭରତ କୁମାର ଜୈନଙ୍କ ଉପରେ ୫୩.୧ କୋଟି ଲେଖାଏଁ ଜରିମାନା ଲଗାଯାଇଛି ।

୧୪.୨ କିଲୋ ସୁନା ସହ ଧରାପଡ଼ିଥିଲେ ରାନ୍ୟା

୨୦୨୫ ମାର୍ଚ୍ଚ ୩ରେ ଏହି ପୂରା ମାମଲା ସାମ୍ନାକୁ ଆସିଥିଲା । ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁ ଓହ୍ଲାଇବା ବେଳେ କଷ୍ଟମ୍ସ ବିଭାଗ ତାଙ୍କ ଯାଞ୍ଚ କରି ପ୍ରାୟ ୧୪.୨ କିଲୋଗ୍ରାମ ସୁନା ଜବତ କରିଥିଲା । ଜବତ ସୁନାର ମୂଲ୍ୟ ସେହି ସମୟରେ ପ୍ରାୟ ୧୨.୬ କୋଟି ଟଙ୍କା ଥିଲା । କଷ୍ଟମ୍ସ ଆଦେଶରେ ରାନ୍ୟା ରାଓଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ତରୁଣ କୋଣ୍ଡୁରୁ ରାଜୁଙ୍କ ଭୂମିକା ଦୁବାଇରେ କାଗଜପତ୍ର କାମ ଏବଂ ସୁନା ଡେଲିଭରି ସହ ଜଡ଼ିତ ଥିଲା । ସେହିପରି ସାହିଲ ସକରିଆ ଜୈନ ଏବଂ ଭରତ କୁମାର ଜୈନଙ୍କ ଉପରେ ଭାରତରେ ଚୋରା ସୁନାକୁ ବିକ୍ରି କରିବା ଏବଂ ସେଥିରୁ ମିଳିଥିବା ଟଙ୍କା ଚୁଲାଇବାର ଅଭିଯୋଗ ରହିଛି । କଷ୍ଟମ୍ସ ଅନୁଯାୟୀ, ଅର୍ଥ କାରବାର ପାଇଁ ହାୱାଲା ନେଟୱାର୍କର ବ୍ୟବହାର କରାଯାଇଥିଲା।

ବର୍ତ୍ତମାନ ଏହି ଆଦେଶ ବିରୋଧରେ ଚାରିଜଣ ଅଭିଯୁକ୍ତ କଷ୍ଟମ୍ସ କମିଶନରଙ୍କ ନିକଟରେ ଅପିଲ୍ କରିପାରିବେ । ଆଦେଶ ସୂଚନା ମିଳିବାର ୬୦ ଦିନ ମଧ୍ୟରେ ଅପିଲ୍ ଦାଖଲ କରିବାର ପ୍ରାବଧାନ ରହିଛି । ଅର୍ଥାତ୍ କଷ୍ଟମ୍ସର ଏହି ଆଦେଶ ବିରୋଧରେ ଆଇନଗତ ଚ୍ୟାଲେଞ୍ଜ ଦେବାର ରାସ୍ତା ଏବେ ମଧ୍ୟ ଖୋଲା ରହିଛି ।

Source link



Source link

Leave A Reply

Your email address will not be published.