- ନିର୍ବାଚନ ଆୟୋଗଙ୍କ କହିବା କଥା ନୂଆ ଫର୍ମ-୬କୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ମିଳିଛି
- ଜଷ୍ଟିସ୍ ବାଗଚୀ ସ୍ପଷ୍ଟ କରିଛନ୍ତି ଯେ ନୂଆ ଫର୍ମ-୬ର ପ୍ରସଙ୍ଗହିଁ ନଥିଲା
- ନିର୍ବାଚନ ଆୟୋଗଙ୍କ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ସ୍ପଷ୍ଟ କରିଦେଇଛନ୍ତି ଯେ ବିହାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସମ୍ପର୍କିତ ମାମଲାର ଶୁଣାଣି କାଳରେ ନୂଆ ଫର୍ମ-୬ ଉପରେ କୌଣସି ନ୍ୟାୟିକ ନିଷ୍ପତ୍ତି ଦେଇନଥିଲେ। କୋର୍ଟ ସଫାସଫା କହିଛନ୍ତି ଯେ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏହି ଫର୍ମରେ କରାଯାଇଥିବା ପରିବର୍ତ୍ତନକୁ ମଞ୍ଜୁର କରିନଥିଲେ। ଫର୍ମ-୬ ସେହି ଅଧିକାରୀକ ଆବେଦନପତ୍ର ଅଟେ, ଯାହା ମାଧ୍ୟମରେ କୌଣସି ପାତ୍ର ଭାରତୀୟ ନାଗରିକ ଭୋଟର ଲିଷ୍ଟରେ ନିଜ ନାମ ପଞ୍ଜିକରଣ କରିବାକୁ ଅନୁରୋଧ କରିଥାନ୍ତି।
ଉଠିନଥିଲା ନୂଆ ଫର୍ମ ପ୍ରସଙ୍ଗ
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ବିହାର ଏସଆଇଆର ସମ୍ପର୍କିତ ଆବେଦନର ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ‘ନିର୍ବାଚନ ଆୟୋଗଙ୍କ କହିବା କଥା ନୂଆ ଫର୍ମ-୬କୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ମିଳିଛି’। ଏହା ଉପରେ ଜଷ୍ଟିସ୍ ବାଗଚୀ ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ କୋର୍ଟରେ ବିହାର ଏସଆଇଆର ସମ୍ପର୍କିତ ମାମଲାର ଶୁଣାଣି ହେଉଥିଲା, ସେତେବେଳେ ନୂଆ ଫର୍ମ-୬ର ପ୍ରସଙ୍ଗହିଁ ନଥିଲା, ଏଣୁ ଏହା ଉପରେ କୌଣସି ନିଷ୍ପତ୍ତି ଶୁଣାଇବାର ପ୍ରଶ୍ନ ହିଁ ଉଠୁନି।
ଅକ୍ଟୋବର ୫ରେ ବି କହିସାରିଥିଲେ କୋର୍ଟ
ଏହା ପୂର୍ବରୁ ଅକ୍ଟୋବର ୫ ତାରିଖ ଦିନ ଏକ ଅନ୍ୟ ଆବେଦନର ଶୁଣାଣିକାଳରେ ମଧ୍ୟ ଶୀର୍ଷ ନ୍ୟାୟାଳୟ କହିଥିଲେ ଯେ ସେ ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସଘନ ସଂଶୋଧନ କାଳରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଫର୍ମ-୬ରେ କରାଯାଇଥିବା କୌଣସି ସଂଶୋଧନକୁ ମଞ୍ଜୁରୀ ଦେଇ ନାହାନ୍ତି। ଏହା ପୂର୍ବରୁ ନିର୍ବାଚନ ଆୟୋଗ ସେପ୍ଟେମ୍ବର ୨୬ରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସଂକେତ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ବିହାର ଏସଆଇଆର ସମ୍ପର୍କିତ ମେ ୨୦୨୬ ରାୟରେ ଫର୍ମ-୬ ଘୋଷଣାପତ୍ରକୁ ବୈଧ ବୋଲି ମାନିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଆଜିର ସ୍ପଷ୍ଟି କରଣ ପରେ ନିର୍ବାଚନ ଆୟୋଗଙ୍କ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି।
