ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୯ତମ ସଂସ୍କରଣ ପାଇଁ କଂସ ମହାରାଜଙ୍କ ଚୟନ ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କଂସ ଭୂମିକାରେ ନୂଆ କଳାକାର ଚୟନ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୧୫ ତାରିଖ ସୁଦ୍ଧା ଆଗ୍ରହୀ କଳାକାରମାନେ ଆବେଦନ କରିପାରିବେ। ଏଥର କଳାକାରଙ୍କ ବୟସ କଟକଣା ମଧ୍ୟ ହଟାଇ ଦିଆଯାଇଛି।
ବୁଧବାର ଧନୁଯାତ୍ରା ମହୋତ୍ସବ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାକାର ଉପଦେଷ୍ଟା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବରଗଡ଼ ଅତିରିକ୍ତ ଜିଲ୍ଲାପାଳ (ADM) ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କଂସ ଭୂମିକା ପାଇଁ ନୂଆ କଳାକାର ଚୟନ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିଲା।
ବୈଠକ ପରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି ଯେ, ନଭେମ୍ବର ୧ ତାରିଖରେ କଂସ ଅଭିନୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନଭେମ୍ବର ୧୫ ସୁଦ୍ଧା ଆବେଦନ ଗ୍ରହଣ କରାଯିବ। ଏହାପରେ ନଭେମ୍ବର ମାସର ଶେଷ ସପ୍ତାହରେ କଂସ ଭୂମିକା ପାଇଁ କଳାକାର ଚୟନ କରାଯିବ। ଏଥର କଂସ ଅଭିନୟ ପାଇଁ କଳାକାରଙ୍କ ବୟସ ସୀମା ଉଠାଇ ଦିଆଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ୱ କଳାକାରମାନେ ମଧ୍ୟ ଏହି ଭୂମିକା ପାଇଁ ଆବେଦନ କରିପାରିବେ। ତେବେ ସେମାନଙ୍କୁ ଆବେଦନ ସହ ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଚୟନ ପ୍ରକ୍ରିୟାରେ ମନୋନୀତ ହେଉଥିବା କଳାକାର ଦୁଇ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ। ତେଣୁ ଏଥରର ଚୟନ ପ୍ରକ୍ରିୟା ଧନୁଯାତ୍ରା ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି।
Also Read: ବରଗଡ଼ ଧନୁଯାତ୍ରା: ମହାରାଜ କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର
ସୂଚନାଥାଉକି, ଗତ ସପ୍ତାହରେ ଧନୁଯାତ୍ରାରେ ବିଶ୍ୱର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ନାଟକରେ ମହାରାଜ କଂସଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାଶୁଣା କଳାକାର ସୁଶୀଲ ମେହେର ନିଜର ବିରତି ଘୋଷଣା କରିଥିଲେ। ସେ କଂସଙ୍କ ଭୂମିକାରୁ ଏକ ବର୍ଷ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଏନେଇ ଅଭିନେତା ସୁଶୀଲ ମେହେର ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରିଥିଲେ ଯେ, ବିଗତ ଦିନମାନଙ୍କରେ ତାଙ୍କ ଅଭିନୟ ଏବଂ ବିଭିନ୍ନ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇଛି । ଏହି କ୍ରମାଗତ ମାନସିକ ଚାପ ଓ ଅସ୍ଥିରତା କାରଣରୁ ସେ ଚଳିତ ବର୍ଷ ମହାରାଜ କଂସ ଚରିତ୍ରରେ ଅଭିନୟ କରିବାକୁ ଅକ୍ଷମ ବୋଲି ଜଣାଇଛନ୍ତି।
