Voice of Eastern India

ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ, କିଓ୍ୱି ମାଟିରେ ଶେଷ ମ୍ୟାଚ୍ ଖେଳିବେ ବିରାଟ-ରୋହିତ !


ଭୁବନେଶ୍ୱର, ୧୫।୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯିବ ପଞ୍ଚମ ଦିନିକିଆ। ୪ଟି ମ୍ୟାଚ ଶେଷ ସୁଦ୍ଧା ଭାରତ ୨-୧ରେ ସିରିଜ ଆଗୁଆ ରହିଛି। ଫଳରେ ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ। ନ୍ୟୁଜିଲାଣ୍ଡ ଜିତିଲେ ସିରିଜ ବରାବର କରିବ। ସେହିପରି ଭାରତ ନିକଟରେ ସିରିଜ ଜିତିବାର ସୁଯୋଗ ରହିଛି।

ଚତୁର୍ଥ ଦିନିକିଆ ଜରିଆରେ ଶ୍ରେୟାସ ଆୟର ଅଧିନାୟକ ଭାବେ ପଦାର୍ପଣ କରିଥିଲେ । ତାଙ୍କ ନେତୃତ୍ବରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ମାତ୍ର ୮୯ ରନରେ ଅଲ୍ ଆଉଟ୍ ହୋଇଥିଲା ତାରକା ଖଚିତ ଭାରତୀୟ ଦଳ। ବର୍ତ୍ତମାନ ଆୟରଙ୍କ ନେତୃତ୍ବକୁ ତୀବ୍ର ସମାଲୋଚନା କରାଯାଉଛି। ରବିବାର ଦଳକୁ ଜିତାଇ ସେ ସମାଲୋଚକଙ୍କୁ ଚୁପ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମାଉଣ୍ଟ ମଙ୍ଗନୁଇର ଜଳବାୟୁ ଓ ପିଚ୍ ସହ ଭାରତ ପରିଚିତ ହୋଇ ସାରିଛି। ତେଣୁକରି ବ୍ୟାଟିଂରେ କରିଥିବା ତ୍ରୁଟି ସୁଧାରିବାକୁ ଦଳ ଯଥା ସମ୍ଭବ ଚେଷ୍ଟା କରିବ। ବିଶେଷ କରି ରୋହିତ ଶର୍ମା ଓ ଅଧିନାୟକ ଆୟରଙ୍କ ବ୍ୟାଟିଂ ଉପରେ ନଜର ରହିବ।

ନ୍ୟୁଜିଲାଣ୍ଡରେ ପହଞ୍ଚିବା ଦିନଠୁ ଉଭୟ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି ରୋହିତ-ଆୟର। ବୋଲିଂ ବିଭାଗ ବେଶ ଶୃଙ୍ଖଳିତ ରହିଛି। ତଥାପି ଏକାଦଶରେ ପରିବର୍ତ୍ତନ ହେବ। ଗୁରନୂର ବ୍ରାର ଅନ୍ତିମ ଦିନିକଆରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ । ବ୍ୟାଟିଂ ବିଭାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଋତୁରାଜ ଗାଏକୱାଡଙ୍କ ସ୍ଥାନରେ ତିଳକ ବର୍ମାକୁ ଖେଳାଇବା ଆଶା କରାଯାଇପାରେ। ଏହା ସମ୍ଭବ ହେଲେ ଇଶାନ କିଷନ ଓପନ କରିବେ ଓ ତିଳକ ୫ନଂ ସ୍ଥାନରେ ବ୍ୟାଟିଂ କରିବେ।

ନ୍ୟୁଜିଲାଣ୍ଡ ମଧ୍ଯ ଏକାଦଶରେ ପରିବର୍ତ୍ତନ କରିବ। ଚତୁର୍ଥ ମ୍ୟାଚରେ ୬ଟି ୱିକେଟ୍ ନେଇଥିବା ମାଟ୍ ହେନରୀ ଓ ଅନ୍ୟ ପେସ୍ ବୋଲର କେଲି ଜାମିସନ ଟେଷ୍ଟ ଦଳରେ ଯୋଗ ଦେଇଛନ୍ତି। ଆଜି ଏମାନେ ଖେଳିବେ ନାହିଁ । ଯାହା ଫଳରେ ଜାକବ ଡଫି ଓ ଫିଟ୍ ହୋଇଥିବା ବ୍ଲେୟାର ଟିକନର ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ। ଦୁଇ ସିନିୟର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ନ୍ୟୁଜିଲାଣ୍ଡ ମାଟିରେ ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି। ତେଣୁ ଦର୍ଶକ ମହଲରେ ଉଭୟଙ୍କୁ ନେଇ ଭିନ୍ନ ଉତ୍ସାହ ସୃଷ୍ଟି ହୋଇଛି।

Also Read :- ଭୟଙ୍କର ରୂପ ନେଲାଣି ‘ଅକଭାନ୍’ : ଓଡିଶା-ଆନ୍ଧ୍ର ଆଡ଼କୁ ମାଡ଼ି ଆସୁଛି, ୧୮ରେ ବଡ଼ ବିପଦ !

ନ୍ୟୁଜିଲାଣ୍ଡ ଦର୍ଶକ ସମ୍ମାନର ସହ ଉଭୟଙ୍କୁ ବିଦାୟ ଦେବେ। ମାଉଣ୍ଟ ମଙ୍ଗନୁଇରେ ପାଗ ଶୁଖିଲା ରହିବ। ଥଣ୍ଡା ଜଳବାୟୁ ଯୋଗୁଁ ବେ ଓଭାଲ ଗ୍ରାଉଣ୍ଡର ପିଚ୍ ପେସ୍ ବୋଲିଂ ପାଇଁ ବେଶ୍ ସହାୟତା କରିବ। ଟସ୍ ସେଭଳି ଗୁରୁତ୍ବ ରଖିବ ନାହିଁ । କ୍ରିଜରେ ଜମି ରହିଲେ ବଡ଼ ସ୍କୋର ସମ୍ଭବ ହୋଇ ପାରିବ।

Source link



Source link

Leave A Reply

Your email address will not be published.