ନୂଆଦିଲ୍ଲୀ: ହାଇଦ୍ରାବାଦରେ ଆୟୋଜିତ କଂଗ୍ରେସର ‘ଭାରତ ସମ୍ମିଳନୀ-୨୦୨୬’ରେ ଉଠିଥିବା ଏକ ନାରାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି। ଇଟାଲୀର ରାଜନେତା ତଥା ପାର୍ଟି ଅଫ୍ ୟୁରୋପିଆନ୍ ସୋସିଆଲିଷ୍ଟସ୍ ର ସାଧାରଣ ସମ୍ପାଦକ ଜିଆକୋମୋ ଫିଲିବେକ୍ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ‘ଭୋଟ୍ ଚୋର, ଗାଦି ଛାଡ଼’ ନାରା ଦେଇଥିଲେ। ଏହାକୁ ନେଇ ବିଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ୍ କରିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଛି।
ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କଂଗ୍ରେସ ନେତାଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, “ଜଣେ ବିଦେଶୀ ଭାରତକୁ ଅପମାନିତ କରୁଥିବା ବେଳେ କେହି ହସୁଥିବା ଆପଣ କେବେ ଦେଖିଛନ୍ତି କି? ମୁଁ ସେହି ଭାରତୀୟଙ୍କ କଥା କହୁନାହିଁ, ଯେଉଁମାନେ ବିଦେଶ ଯାଇ ଭାରତକୁ ଅପମାନିତ କରନ୍ତି।” କିନ୍ତୁ ନିଜ ପୋଷ୍ଟରେ ସେ କାହାରି ନାମ ଉଲ୍ଲେଖ କରିନାହାନ୍ତି।
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଫିଲିବେକ୍ଙ୍କ ନାରା ସମୟରେ ହସିବା ସହ ତାଳି ମାରୁଥିବା ଦେଖାଯାଇଛି। ନିର୍ବାଚନୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଏହି ନାରା ଦିଆଯାଇଥିଲା।
ଏହା ପୂର୍ବରୁ ଫିଲିବେକ୍ ଭାରତରେ ଗଣତନ୍ତ୍ରର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିବା ସହ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ସମ୍ମିଳନୀ ଅବସରରେ ସମ୍ବାଦ ସଂସ୍ଥା ANI ସହ କଥା ହୋଇ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ପ୍ରତି ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ। ଭାରତର ଗଣତନ୍ତ୍ରର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ସମର୍ଥନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ଅନ୍ୟପଟେ ବିଜେପିର ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶର ଆଭ୍ୟନ୍ତରୀଣ ରାଜନୈତିକ ପ୍ରସଙ୍ଗରେ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ଚାହୁଁଛନ୍ତି। ଜର୍ଜ ସୋରୋସ୍ଙ୍କ ସହ ଜଡ଼ିତ ବିଦେଶୀ ଶକ୍ତିଙ୍କ ହାତରେ ରାହୁଲ ଗାନ୍ଧୀ ଏକ କଣ୍ଢେଇ ପାଲଟିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହା ସହ ମୋଦୀ ସରକାରକୁ ହଟାଇବା ପାଇଁ ବିଦେଶୀ ସହାୟତା ଲୋଡ଼ାଯାଉଥିବା ଦାବି କରିଛନ୍ତି।
ବିଜେପି ନେତା ଶାହନୱାଜ ହୁସେନ ମଧ୍ୟ ଫିଲିବେକ୍ଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ବିଦେଶୀଙ୍କ ହସ୍ତକ୍ଷେପ କରିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି। ନିଜ ଦେଶରେ ଲୋକ ନମିଳିବାରୁ କଂଗ୍ରେସ ବିଦେଶୀଙ୍କୁ ଆଣି ନାରା ଦେବାକୁ କହୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
ବିଜେପିର ସମାଲୋଚନା ପରେ ଶିବସେନା ଗୋଷ୍ଠୀର ନେତା ସଞ୍ଜୟ ରାଉତ ଫିଲିବେକ୍ଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଯଦି ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ‘ମେଲୋଡି’ ଚକୋଲେଟ୍ ଦେଇପାରନ୍ତି, ତେବେ ଜଣେ ଇଟାଲୀୟ ରାଜନେତା ମଧ୍ୟ ଭାରତକୁ ଆସି ଏହି ଦେଶ ବିଷୟରେ କହିପାରିବେ।” ସେ ଆହୁରି କହିଛନ୍ତି ଯେ, ଦେଶରେ ଗଣତନ୍ତ୍ରର ହତ୍ୟା ହେଉଥିବା ପ୍ରସଙ୍ଗ କେବଳ କୌଣସି ବିଦେଶୀ ଶକ୍ତି ସହ ଜଡ଼ିତ ନୁହେଁ; ଏହା ଜାତିସଂଘ ଓ ମାନବାଧିକାର ସହ ଜଡ଼ିତ ଏକ ପ୍ରସଙ୍ଗ।
READ ALSO – ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ: ସୁଧୁରିପାରେ କି ସମ୍ପର୍କ ?
ଏହି ଘଟଣାକୁ ନେଇ ବିଜେପି ଓ ବିରୋଧୀ ଦଳ ମଧ୍ୟରେ ବାକ୍ଯୁଦ୍ଧ ଜୋରଦାର ହୋଇଛି। ଗୋଟିଏ ପଟେ ବିଦେଶୀ ନେତାଙ୍କ ମନ୍ତବ୍ୟକୁ ନେଇ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ ପ୍ରସଙ୍ଗ ଉଠିଥିବା ବେଳେ ଅନ୍ୟପଟେ ଗଣତନ୍ତ୍ର ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଚାଲିଥିବା ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।
