ବୌଦ୍ଧ ୧୫।୧୧: ବୌଦ୍ଧ ସହର ଗାନ୍ଧୀ ଛକର ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ନିଖୋଜ । ତିନି ଦିନ ପରେ ବି ମିଳୁନି ବ୍ଯବସାୟୀଙ୍କ ପତ୍ତା । ଗତ ୧୨ ତାରିଖ ଦିନ ୧୧ଟା ପରେ ଦୋକାନରୁ ବାହାରି କୁଆଡ଼େ ଚାଲିଯାଇଥିବା ବେଳେ ରାତିରେ ଘରକୁ ଫେରିନଥିଲେ । ଏହାପରେ ପରିବାର ପକ୍ଷରୁ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏ ବିରୂପାକ୍ଷଙ୍କର କୌଣସି ଖୋଜ ଖବର ମିଳିନାହିଁ ।
ତେବେ ଯୁବକଙ୍କୁ ଶେଷ ଥର ଜଣେ ଶିକ୍ଷକଙ୍କ ସହ ଯାଉଥିବା କିଛି ବ୍ୟକ୍ତି ଦେଖିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ସେହି ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ ଏବଂ ସାକ୍ଷାତ୍ ପାଇଁ ଡାକିଥିଲେ ହେଁ ଶିକ୍ଷକ ଜଣକ ମୋବାଇଲ ସ୍ୱିଚ୍ ଅଫ୍ କରିଦେଇଥିଲେ । ଏହାପରେ ବିରୂପାକ୍ଷଙ୍କ ପରିବାର ପକ୍ଷରୁ ଯୁବକଙ୍କୁ ଜନୈକ ଶିକ୍ଷକ ଅପହରଣ କରିଥିବା ନେଇ ଥାନାରେ ଆଉ ଏକ ଏତଲା ଦିଆଗଲା । ଏହା ଆଧାରରେ ପୋଲିସ ମାମଲା ରୁଜୁ କରି ୨ଟି ଟିମ୍ ଗଠନ କରି ତଦନ୍ତ କରୁଛି । ଗୋଟିଏ ଟିମ୍ରେ ଏସଡିପିଓ ନେତୃତ୍ୱ ନେଇଥିବା ବେଳେ ଅନ୍ୟଟି ଆଦର୍ଶ ଥାନା ଆଇଆଇସି ନେତୃତ୍ୱ ନେଉଛନ୍ତି ।
Also Read:- ୧୯ରେ ନେବ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ବାତ୍ୟା, ୧୪୫ କିମି ଟପିବ ପବନର ବେଗ
ସେପଟେ ସାମ୍ନାକୁ ଆସିଛି ବ୍ୟବସାୟୀଙ୍କ ନିଖୋଜ ଦିନର ସିସିଟିଭି ଫୁଟେଜ । ନିଖୋଜ ଦିନ ଯୁବକ ଜଣକ ଶିକ୍ଷକଙ୍କ ସାଙ୍ଗରେ ବୌଦ୍ଧ ରେଢ଼ାଖୋଲ ରାସ୍ତାର ବିଶିପାଲି ଛକରେ ଏକ ଦୋକାନରେ କିଛି ଜିନିଷ କିଣୁଥିବା ଏବଂ ଜିନିଷ କିଣି ସାଙ୍ଗରେ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
