ଔଷଧର କଞ୍ଚାମାଲ ପାଇଁ ଚୀନ ଉପରେ ୬୫% ନିର୍ଭରଶୀଳ ଭାରତ: ନୀତି ଆୟୋଗ କହିଲା, ଗୋଟିଏ ସ୍ଥାନରୁ ତେଲ ଓ ଗ୍ୟାସ୍ କିଣିଲେ ଚଳିବନି
ନୂଆଦିଲ୍ଲୀ: ଭାରତର ଔଷଧ ଶିଳ୍ପ ଏବଂ ବିଶ୍ୱ ବାଣିଜ୍ୟ ଉପରେ ନୀତି ଆୟୋଗ ମଙ୍ଗଳବାର ଏହାର ‘ଟ୍ରେଡ୍ ୱାଚ୍ କ୍ୱାର୍ଟରଲି ରିପୋର୍ଟ’ ଜାରି କରିଛି। ରିପୋର୍ଟ ଅନୁଯାୟୀ, ଔଷଧର କଞ୍ଚାମାଲ ପାଇଁ ଭାରତ ଏବେ ବି ଚୀନ ଉପରେ ୬୫% ପର୍ଯ୍ୟନ୍ତ ନିର୍ଭରଶୀଳ ବୋଲି କୁହାଯାଇଛି।
ସେହିପରି ମଧ୍ୟ-ପୂର୍ବ (ମିଡିଲ ଇଷ୍ଟ) ସଙ୍କଟରେ ତୈଳ ଆମାଦନୀ ନେଇ ମଧ୍ୟ ମତ ରଖିଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ କୁମାର ଲାହିଡ଼ି। ସେ କହିଛନ୍ତି ଯେ ଏହି ସଂକଟରୁ ଏହି ଶିକ୍ଷା ମିଳିଛି ଯେ କୌଣସି ଗୋଟିଏ ଦେଶ କିମ୍ବା ଅଞ୍ଚଳ ଉପରେ ଅଧିକ ନିର୍ଭରଶୀଳ ହେବା ଉଚିତ୍ ନୁହେଁ। ତେଣୁ ଭାରତକୁ ତେଲ ଏବଂ ଗ୍ୟାସ୍ ସମେତ ନିଜର ଶକ୍ତି ଆବଶ୍ୟକ ଇନ୍ଧନ ପାଇଁ ଗୋଟିଏ ଦେଶ ଉପରେ ନିର୍ଭରନ କରି ଅନ୍ୟ ବିକଳ୍ପ ଉପରେ ନିର୍ଭର କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।
ନୀତି ଆୟୋଗଙ୍କ ପରାମର୍ଶ: ପେଟେଣ୍ଟ ଏବଂ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା
ଜାରି ରିପୋର୍ଟରେ ନୀତି ଆୟୋଗ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତୀୟ ଫାର୍ମା ସେକ୍ଟରକୁ ମଜବୁତ କରିବା ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। ଭାରତୀୟ କମ୍ପାନୀଗୁଡିକ ଏବେ କେବଳ ଶସ୍ତା ଜେନେରିକ ଔଷଧରେ ସୀମିତ ନ ରହି ଅଧିକ ମୂଲ୍ୟ ଏବଂ ଅଧିକ ଲାଭଦାୟକ ‘ହାଏ-ଭାଲ୍ୟୁ ଫାର୍ମାସ୍ୟୁଟିକାଲ’ ସେଗମେଣ୍ଟରେ ପ୍ରବେଶ କରିବା ଉଚିତ ବୋଲି ଆୟୋଗ କହିଛି। ଏଥିସହିତ କଲେଜ/ୟୁନିଭର୍ସିଟିରେ ହେଉଥିବା ଗବେଷଣାକୁ ସିଧାସଳଖ କାରଖାନା ପର୍ଯ୍ୟନ୍ତ ପହଞ୍ଚାଇବାର ବ୍ୟବସ୍ଥାକୁ ମଜବୁତ କରିବାକୁ ହେବ, ଯାହାଫଳରେ ନୂଆ ଗବେଷଣାରୁ ଔଷଧ ଏବଂ ଉତ୍ପାଦ ଶୀଘ୍ର ବଜାରକୁ ଆସିପାରିବ। ଔଷଧ ଏବଂ ଚିକିତ୍ସା କ୍ଷେତ୍ରରେ (ଲାଇଫ୍-ସାଇନ୍ସେସ୍) ନୂଆ ଆବିଷ୍କାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ନିୟମ ଏବଂ ଅନୁମୋଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସରଳ ଏବଂ ସହଜ କରିବାକୁ ହେବ ବୋଲି ନୀତି ଆୟୋଗ କହିଛି।
Also Read- ଆମେରିକାରୁ ଭାରତର ଏଲପିଜି ଆମଦାନୀ ରେକର୍ଡ ଛୁଇଁବ, ୟୁଏଇରୁ ଯୋଗାଣ ହ୍ରାସ !
ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଶୀଘ୍ର ହେବାର ଆଶା
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ମଧ୍ୟ ସୂଚନା ଦେଇଛି ନୀତି ଆୟୋଗ। ଉପାଧ୍ୟକ୍ଷ ଲାହିଡ଼ି କହିଛନ୍ତି ଯେ ଭାରତ ଏବଂ ଆମେରିକା ଶୀଘ୍ର ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବେ ଏବଂ ଏହା ଉପରେ ସ୍ୱାକ୍ଷର କରିବେ। ଯେତେବେଳେ ଭାରତ କୌଣସି ଦେଶ କିମ୍ବା ବ୍ଲକ୍ ସହିତ ‘ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ’ (FTA) ପାଇଁ ଆଲୋଚନା କରେ, ସେଥିରେ ଫାର୍ମାସ୍ୟୁଟିକାଲ ଉତ୍ପାଦଗୁଡିକ ପାଇଁ ଏକ ସ୍ୱତନ୍ତ୍ର ଅଧ୍ୟାୟ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ନୀତି ଆୟୋଗ ରିପୋର୍ଟରେ ପରାମର୍ଶ ଦେଇଛି।
ଭାରତରେ ନୂଆ ଔଷଧ ଉପରେ ଗବେଷଣା ଖର୍ଚ୍ଚ ମହଙ୍ଗା
ଲାହିଡ଼ି ଆହୁରି କହିଛନ୍ତି ଯେ ଭାରତରେ ପରିବେଶ ସମ୍ବନ୍ଧୀୟ ନିୟମ ଏବେ ବହୁତ କଠୋର ହୋଇଯାଇଛି। ଏହି କାରଣରୁ କମ୍ପାନୀଗୁଡିକ ପାଇଁ କାରଖାନାରେ ଔଷଧ ପ୍ରସ୍ତୁତ କରିବା ଏବଂ ନୂଆ ଔଷଧ ଉପରେ ଗବେଷଣା (R&D) କରିବା ଖର୍ଚ୍ଚ ବହୁତ ବଢ଼ିଯାଇଛି। ଆମ ଦେଶରେ ନୂଆ ଆବିଷ୍କାରକୁ ପ୍ରୋତ୍ସାହିତ କରିବା ଏବଂ ସେଗୁଡିକୁ ବ୍ୟବସାୟରେ ପରିଣତ କରିବାର ବ୍ୟବସ୍ଥା ବର୍ତ୍ତମାନ ଦୁର୍ବଳ ଅଛି। ଏହି ଅଭାବ କାରଣରୁ ନୂଆ ଏବଂ ଦୀର୍ଘକାଳୀନ ପୁଞ୍ଜି ନିବେଶ କରୁଥିବା ନିବେଶକମାନେ ଏଠାରେ ନିବେଶ କରିବାକୁ ଡରୁଛନ୍ତି।
Also Read- ପେଟ୍ରୋଲିୟମ କମ୍ପାନିଗୁଡ଼ିକୁ ବମ୍ପର ଲାଭ ! ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ? ଜାଣନ୍ତୁ କ’ଣ କହୁଛି ନୂଆ ରିପୋର୍ଟ
ଔଷଧ ଉତ୍ପାଦନରେ ଆମେ ଭଲ, କିନ୍ତୁ ଭାଲ୍ୟୁ ଚେନରେ ଆଗକୁ ବଢ଼ିବା ଜରୁରୀ
ଔଷଧ ଉତ୍ପାଦନ ନେଇ ଆଜି ଭାରତକୁ ସାରା ବିଶ୍ୱରେ ‘ଫାର୍ମାସି ଅଫ୍ ଦି ୱାର୍ଲ୍ଡ’ ବୋଲି ବିବେଚନା କରାଯାଏ। ନୀତି ଆୟୋଗ ଏହାର ଅଧ୍ୟୟନରେ ପାଇଛି ଯେ ଔଷଧ ଉତ୍ପାଦନ କ୍ଷେତ୍ରରେ ଆମେ ବହୁତ ଭଲ କରୁଛୁ, କିନ୍ତୁ ଏବେ ଆମକୁ ‘ଭାଲ୍ୟୁ ଚେନ’ରେ ଉପରକୁ ଉଠିବାର ଆବଶ୍ୟକତା ଅଛି। ଅନ୍ତର୍ଜାତୀୟ ବଜାରରେ ଭାରତୀୟ କମ୍ପାନୀଗୁଡିକର ଭଲ ସମ୍ମାନ ରହିଛି। ଯଦି ଭାରତୀୟ ଫାର୍ମା କମ୍ପାନୀଗୁଡିକ ଭଲ ମାନର ଏବଂ ସଠିକ୍ ମୂଲ୍ୟର ବ୍ରାଣ୍ଡେଡ୍ ଉତ୍ପାଦ ବଜାରକୁ ଆଣନ୍ତି, ତେବେ ବିଶ୍ୱ ବଜାରରେ ଆମର ସ୍ଥିତି ମଜବୁତ ହୋଇପାରିବ ବୋଲି ।
ଦୁନିଆକୁ ଶସ୍ତା ଔଷଧ ଦେବାରେ ଭାରତ ନମ୍ବର-୧
ଭାରତ ସାରା ବିଶ୍ୱରେ ଶସ୍ତା ଜେନେରିକ ଔଷଧ ଯୋଗାଣ କରୁଥିବା ଏକ ପ୍ରମୁଖ ଦେଶ ଭାବେ ଉଭା ହୋଇଛି। ଆଫ୍ରିକାର ମୋଟ ଜେନେରିକ ଔଷଧ ଆବଶ୍ୟକତାର ପ୍ରାୟ ୫୦% ଭାରତ ପୂରଣ କରୁଛି। ଆମେରିକାର ୪୦% ଜେନେରିକ ଔଷଧ ଯୋଗାଣ ଭାରତରୁ ହେଉଥିବା ବେଳେ ବ୍ରିଟେନର ୨୫% ଜେନେରିକ ଔଷଧ ଚାହିଦା ଭାରତୀୟ କମ୍ପାନୀଗୁଡିକ ପୂରଣ କରୁଛନ୍ତି।
୨୦୨୫ ମସିହାରେ ୧୨୩.୧୩ ଲକ୍ଷ କୋଟି ଟଙ୍କାର ଔଷଧ ଚାହିଦା ଥିଲା
ଯଦି ସାରା ବିଶ୍ୱରେ ଔଷଧର ମୋଟ କାରବାର ହିସାବ କରାଯାଏ, ତେବେ ୨୦୨୫ ମସିହାରେ ବିଶ୍ୱରେ ପ୍ରାୟ ୧୨୩.୧୩ ଲକ୍ଷ କୋଟି ଟଙ୍କା ($1.3 ଟ୍ରିଲିୟନ) ର ଔଷଧ ଏବଂ ସେଗୁଡ଼ିକର କଞ୍ଚାମାଲର ଚାହିଦା ଥିଲା। ଏଥିମଧ୍ୟରୁ ପ୍ରାୟ ୯୬.୬୧ ଲକ୍ଷ କୋଟି ଟଙ୍କା ($1.02 ଟ୍ରିଲିୟନ) କେବଳ ପ୍ରସ୍ତୁତ ଔଷଧ (ଯେପରିକି ଟାବଲେଟ୍, ସିରପ୍ ଏବଂ କ୍ୟାପସୁଲ) କିଣିବାରେ ଖର୍ଚ୍ଚ ହୋଇଥିଲା। ବାକି ପ୍ରାୟ ୨୪.୭୨ ଲକ୍ଷ କୋଟି ଟଙ୍କା ($261 ବିଲିୟନ) ସେହି ରସାୟନ ଏବଂ କଞ୍ଚାମାଲ କିଣିବାରେ ଖର୍ଚ୍ଚ ହୋଇଥିଲା, ଯାହା କାରଖାନାରେ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଆଉ ଔଷଧ ପାଇଁ ଅଧିକାଂଶ କଞ୍ଚା ମାଲ ଚୀନରୁ ଆସୁଥିବାରୁ ଭାରତ ଚୀନ ଉପରେ ଏ କ୍ଷେତ୍ରରେ ସର୍ବାଧିକ ନିର୍ଭରଶୀଳ ବୋଲି ନୀତି ଆୟୋଗ କହିଛି।
