ନୂଆଦିଲ୍ଲୀ: ଆଜିକାଲି ଯୁଗରେ ତଥ୍ୟ ହିଁ ସବୁଠାରୁ ବଡ଼। ଆଉ ଭାରତ ଭଳି ଏକ ବଡ଼ ଦେଶର ତଥ୍ୟ ସଂଗ୍ରହ କରି ବିଦେଶରେ ଏହାର ସଉଦା ହେଉଥିଲା। ହେଲେ ଏଣିକି ଆଉ ଏମିତି ହେବନି। ଏବେ ଭାରତୀୟଙ୍କ ଡାଟା ଆଉ ବିଦେଶକୁ ନ ଯାଇ ଦେଶରେ ହିଁ ରହିବ। କାରଣ ଟେଲିକମ୍ କମ୍ପାନୀଗୁଡ଼ିକ ଆପଣଙ୍କର ଫୋନ୍, ଇଣ୍ଟରନେଟ୍ ବ୍ୟବହାର ଏବଂ କଲ୍ ସହିତ ଜଡିତ ସମସ୍ତ ତଥ୍ୟ ଏବଂ ଲଗଇନ ଡାଟା ଭାରତ ମଧ୍ୟରେ ସଂରକ୍ଷଣ କରି ରଖିବେ। କୌଣସି ତଥ୍ୟ ବାହାରକୁ ନେଇଯାଇପାରିବେ ନାହିଁ। କୌଣସି କମ୍ପାନୀ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଦେଶ ବାହାରେ ପଠାଇ ପାରିବେ ନାହିଁ କିମ୍ବା କୌଣସି ବିଦେଶୀ ସଂସ୍ଥା ସହିତ ସେୟାର କରିପାରିବେ ନାହିଁ। ଟେଲିକମ୍ ବିଭାଗ (DoT) ବୁଧବାର ଟେଲିକମ୍ କମ୍ପାନୀଗୁଡ଼ିକ ପାଇଁ ଏପରି ଏକ ନୂଆ ନିୟମ ଜାରି କରିଛି।
ଲାଇସେନ୍ସ ରାଜ ଶେଷ ଟେଲିକମ୍ ଇ-ସେବା ପୋର୍ଟାଲର ଆରମ୍ଭ
ଟେଲିକମ୍ କ୍ଷେତ୍ରରେ ଦଶନ୍ଧି ଧରି ଚାଲିଆସୁଥିବା ଲାଇସେନ୍ସ ରାଜର ଅନ୍ତ ଘଟାଇ ଡିଓଟି କମ୍ପାନୀଗୁଡ଼ିକ ପାଇଁ ଏକ ନୂଆ ଏବଂ ସରଳ ଅନୁମୋଦନ ବ୍ୟବସ୍ଥା ଲାଗୁ କରିଛି। ସମସ୍ତ ସେବାର ଡିଜିଟାଲାଇଜେସନକୁ ସହଜ କରିବା ପାଇଁ ସରକାର “ଟେଲିକମ୍ ଇ-ସେବା ପୋର୍ଟାଲ୍” ନାମକ ଏକ ୱେବସାଇଟ୍ ମଧ୍ୟ ଲଞ୍ଚ କରିଛନ୍ତି। ପୂର୍ବରୁ, ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ କମ୍ପାନୀଗୁଡ଼ିକୁ ଏକ ଜଟିଳ ଏବଂ ଲମ୍ବା ସରକାରୀ ଲାଇସେନ୍ସ ପ୍ରକ୍ରିୟା ଦେଇ ଯିବାକୁ ପଡୁଥିଲା, ଯେଉଁଥିରେ ମାସାଧିକକାଳ ସମୟ ଲାଗିଯାଉଥିଲା। ହେଲେ ଏବେ ନୂଆ ସୁବିଧା ଦ୍ୱାରା ଏସବୁ କାମ ସହଜ ହେବ।
ନୂଆ ଅଥୋରାଇଜେସନ ବ୍ୟବସ୍ଥା ଦ୍ୱାରା କମ୍ପାନୀଗୁଡ଼ିକ ଖୁବ ସହଜରେ ଓ ଦ୍ରୁତ ଗତିରେ କାମ ଆରମ୍ଭ କରିପାରିବେ। କମ୍ପାନୀଗୁଡ଼ିକ ପାଇଁ କାମ କରିବା ସହଜ ହେଲେ ସାଧାରଣ ଜନତାଙ୍କ ପାଖରେ ନୂଆ ଟେକ୍ନୋଲୋଜ (ଉନ୍ନତ 5G କିମ୍ବା ବ୍ରଡବ୍ୟାଣ୍ଡ ପରି) ଜନସାଧାରଣଙ୍କ ପାଖରେ ଶୀଘ୍ର ପହଞ୍ଚିବ। ଏଥିରେ ସ୍ୱଚ୍ଛତା ରହିବ।
ଯେଉଁ ଟେଲିକମ କମ୍ପାନୀଗୁଡ଼ିକ ପୂର୍ବରୁ କାମ କରୁଛନ୍ତି ଓ ଯେଉଁମାନଙ୍କ ପାଖରେ ପୁରୁଣା ସିଷ୍ଟମ ଅନୁସାରେ ଅଲଗା ଅଲଗା ଲାଇସେନ୍ସ(ଇଣ୍ଟରନେଟ କିମ୍ବା କଲିଂ) ଅଛି ସେମାନେ ବି ନୂଆ ବ୍ୟବସ୍ଥାରେ ସହଜରେ ସିଫ୍ଟ ହୋଇପାରିବେ। ଅଯଥା କାଗଜପତ୍ର କାମ କରିବାକୁ ପଡ଼ିବ ନାହିଁ।
କମ୍ପାନୀର ଖର୍ଚ୍ଚ କମିବ, ଟାରିଫ ପ୍ଲାନ ବି କମିବା ସମ୍ଭାବନା
ନୂଆ ନିୟମ ଅନୁସାରେ, କମ୍ପାନୀଗୁଡ଼ିକ ଏବେ ଗୋଟିଏ ଡିଜିଟାଲ୍ ପୋର୍ଟାଲରୁ ଏକକାଳୀନ ନେଟୱାର୍କ ଏବଂ ଇଣ୍ଟରନେଟ୍ ସେବା ପାଇଁ ଆବେଦନ କରିପାରିବେ। ଏଥିରେ ସେମାନଙ୍କର ଖର୍ଚ୍ଚ କମ ହେବ। କମ୍ପାନୀଗୁଡ଼ିକର ଖର୍ଚ୍ଚ ହ୍ରାସ ପାଇଲେ ଏହାର ସିଧା ଫାଇଦା ଗ୍ରାହକମାନଙ୍କୁ ପହଞ୍ଚିପାରେ। ବଜାରରେ ନୂଆ କମ୍ପାନୀ ଏଣ୍ଟ୍ରି କଲେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। ଏଥିରେ ଗ୍ରାହକଙ୍କୁ ଶସ୍ତା ଡାଟା ଏବଂ ଭଏସ କଲିଂ ମଧ୍ୟ ମିଳିପାରେ।
୩. ସାଟେଲାଇଟ୍ ଇଣ୍ଟରନେଟ୍ ନେଇ ସରକାର କଠୋର
ଯଦି ଆପଣ ଭବିଷ୍ୟତରେ ଏଲନ୍ ମସ୍କଙ୍କ ‘ଷ୍ଟାରଲିଙ୍କ୍’ (Starlink) କିମ୍ବା ଆମାଜନ୍ ଭଳି କମ୍ପାନୀଠାରୁ ସିଧାସଳଖ ସାଟେଲାଇଟ୍ ଇଣ୍ଟରନେଟ୍ ନେବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ସୁରକ୍ଷା ପାଇଁ ସରକାର କଠୋର ନିୟମ ପ୍ରଣୟନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ଯୋଗାଉଥିବା କମ୍ପାନୀଗୁଡ଼ିକର ମୁଖ୍ୟ ଷ୍ଟେସନ୍ ଭାରତରେ ହିଁ ରହିବା ଆବଶ୍ୟକ। ଏହାଦ୍ୱାରା ବିଦେଶୀ କମ୍ପାନୀଗୁଡ଼ିକ ଆପଣଙ୍କ ତଥ୍ୟର ଦୁରୁପଯୋଗ କରିପାରିବେ ନାହିଁ ଏବଂ ଦେଶର ସୁରକ୍ଷା ମଧ୍ୟ ଅକ୍ଷୁଣ୍ଣ ରହିବ।
୪. ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (Data) ସୁରକ୍ଷିତ ରହିବ
ଆଜିକାଲି ତଥ୍ୟ ଚୋରି କିମ୍ବା ଲିକ୍ ହେବା ସବୁଠାରୁ ବଡ଼ ଚିନ୍ତାର ବିଷୟ। ସରକାର ଏହା ଉପରେ ଅତ୍ୟନ୍ତ କଠୋର ନିୟମ କରିଛନ୍ତି। ଟେଲିକମ୍ କମ୍ପାନୀଗୁଡ଼ିକ ପାଇଁ ଏବେ ଏହା ବାଧ୍ୟତାମୂଳକ କରାଯାଇଛି ଯେ ସେମାନେ ଭାରତୀୟ ବ୍ୟବହାରକାରୀଙ୍କର ସମସ୍ତ ତଥ୍ୟ ଏବଂ ରେକର୍ଡ ଭାରତ ଭିତରେ ହିଁ ସଂରକ୍ଷଣ (Store) କରି ରଖିବେ।ଫଳରେ ଆପଣଙ୍କ କଲ୍ ରେକର୍ଡ, ମେସେଜ୍ କିମ୍ବା ଇଣ୍ଟରନେଟ୍ ସର୍ଫିଂ ତଥ୍ୟ କୌଣସି ପରିସ୍ଥିତିରେ ଦେଶ ବାହାରକୁ ପଠାଯାଇପାରିବ ନାହିଁ। ଏହାଦ୍ୱାରା ସାଧାରଣ ନାଗରିକଙ୍କ ଗୋପନୀୟତା ଏବଂ ସାଇବର ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ।
୫. ଦେଶର ସୁରକ୍ଷା ସହିତ କୌଣସି ବୁଝାମଣା ନାହିଁ
ଜମ୍ମୁ-କଶ୍ମୀର କିମ୍ବା ଉତ୍ତର-ପୂର୍ବାଞ୍ଚଳ ଭଳି ସମ୍ବେଦନଶୀଳ ଅଞ୍ଚଳରେ ନେଟୱାର୍କ ଲଗାଇବା ପାଇଁ କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ସୁରକ୍ଷା ଅନୁମୋଦନ ନେବାକୁ ପଡ଼ିବ। ଏଥିସହିତ ଦେଶ ବିରୋଧୀ କିମ୍ବା ସନ୍ଦିଗ୍ଧ ବାର୍ତ୍ତା ଉପରେ ନଜର ରଖିବା ପାଇଁ କମ୍ପାନୀମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ହେବ। ଏହାଦ୍ୱାରା ସାଇବର କ୍ରାଇମ୍, ଫ୍ରଡ୍ କଲ୍ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବାରେ ସାହାଯ୍ୟ ମିଳିବ, ଯାହା ଫଳରେ ସାଧାରଣ ନାଗରିକ ନିଜକୁ ସୁରକ୍ଷିତ ମନେ କରିବେ।
