ପୁଣେ: ବହୁ ଚର୍ଚ୍ଚିତ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହତ୍ୟାକାରୀ ଭାବି ପତ୍ନୀ ସିୟା ଗୋଏଲ କିଭଳି ମର୍ଡର ପ୍ଲାନ କରିଥିଲା ସେନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାର ପୂର୍ବ ଦିନ ଏକ କାଫେରେ ପ୍ରେମିକ ଚେତନ ଚୌଧୁରୀକୁ ଡାକି କେତନଙ୍କୁ ଲୋହାଗଡ଼ ଦୁର୍ଗରୁ ଠେଲି ମାରିବାର ଯୋଜନା ସଂପର୍କରେ ବୁଝାଇଥିଲା ସିୟା । କେଉଁଠୁ ଏବଂ କେମିତି କେତନଙ୍କୁ ଧକ୍କା ଦେଲେ ସେ, ତଳେ ପଡ଼ିଯିବେ ଏବଂ ତାଙ୍କର ମୃତ୍ୟୁ ହେବ ସେନେଇ ସିୟା ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଚେତନକୁ ଦୁର୍ଗର ସମସ୍ତ ଭାଗକୁ ଦେଖାଇ ଥିଲା।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଜୁନ୍ ୧୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିବାର ପୂର୍ବ ଦିନ ଅର୍ଥାତ୍ ଜୁନ୍ ୧୭ ତାରିଖରେ ଏହାର ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଲୋନାବାଲା ନିକଟସ୍ଥ ଲୋହାଗଡ଼ ଦୁର୍ଗ (Lohagad Fort) ରୁ ଠେଲି ହତ୍ୟା କରିବାର ଏହି ଯୋଜନା ସଂପର୍କରେ ମୁଖ୍ୟ ଅଭିଯୁକ୍ତ ସିୟା ଗୋଏଲ ଏବଂ ତା ପ୍ରେମିକ ଚେତନ ଚୌଧୁରୀ ପୁଣେର ଏକ କାଫେରେ ବସି ଆଲୋଚନା କରିଥିଲେ। ଏହାର ଏକ ସିସିଟିଭ ଫୁଟେଜ୍ ପୋଲସ ହାତରେ ଲାଗିଛି ।
ତଦନ୍ତରୁ ଜଣାପଡ଼ିଛି ଯେ, ସିୟା ନିଜ ପ୍ରେମିକ ଚେତନକୁ ଲୋହାଗଡ଼ ଦୁର୍ଗର ଭୌଗୋଳିକ ସ୍ଥିତି ବିଷୟରେ ସବୁ ତଥ୍ୟ ଦେଇଥିଲା । ସେମାନେ ୟୁଟ୍ୟୁବ୍ (YouTube) ଭିଡିଓ ମାଧ୍ୟମରେ ଦୁର୍ଗର କେଉଁ ସ୍ଥାନରୁ କେତନଙ୍କୁ ଠେଲିଲେ ତାଙ୍କର ମୃତ୍ୟୁ ନିଶ୍ଚିତ ହେବ ଏବଂ ଏହା ଏକ ଦୁର୍ଘଟଣାର ରୂପ ନେବ, ସେହି ସ୍ଥାନକୁ ଚିହ୍ନଟ କରି ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲେ।
୨୫ ବର୍ଷୀୟ କେତନ ଅଗ୍ରୱାଲ ଜଣେ ସଫଳ ବ୍ୟବସାୟୀ ଥିଲେ। ସେ ତାଙ୍କ ପାରିବାରିକ ରିଅଲ୍ ଇଷ୍ଟେଟ୍ ଫାର୍ମ “ସକ୍ସେସ୍ ଗ୍ରୁପ୍” (Success Group) ର ନିର୍ଦ୍ଦେଶକ ଏବଂ ଚିଫ୍ ମାର୍କେଟିଂ ଅଫିସର (CMO) ଭାବେ କାର୍ଯ୍ୟ କରୁଥିଲେ। ଜୁନ୍ ୧୮ ତାରିଖ ଦିନ କେତନ ନିଜ ଭାବି ପତ୍ନୀ ସିୟା ଗୋଏଲ ସହ ଲୋହାଗଡ଼ ଦୁର୍ଗକୁ ଟ୍ରେକିଂ ପାଇଁ ଯାଇଥିଲେ। ସେଠାରେ ସିୟା ଏବଂ ତା ପ୍ରେମିକ ଚେତନ ମିଶି ଯୋଜନାବଦ୍ଧ ଭାବେ କେତନଙ୍କୁ ଗଭୀର ପାହାଡ଼ ଖାତକୁ ଠେଲି ଦେଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାଟି ଉଭୟ ପରିବାରକୁ ସ୍ତବ୍ଧ କରିଦେଇଛି। ଚଳିତ ବର୍ଷ ଆରମ୍ଭରେ କେତନ ଏବଂ ସିୟାର ବହୁତ ଧୂମଧାମରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଆସନ୍ତା ନଭେମ୍ବର ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ। ଦୁଇ ପରିବାର ପକ୍ଷରୁ ରାଜସ୍ଥାନର ରାଜକୀୟ ସହର ଉଦୟପୁରରେ ଏକ ଭବ୍ୟ ବିବାହ ଉତ୍ସବର ସମସ୍ତ ପ୍ରସ୍ତୁତି ଏବଂ ପ୍ଲାନିଂ ମଧ୍ୟ ସରିଥିଲା। ମାତ୍ର ସିୟା ଏହି ବିବାହ ଚାହୁଁନଥିବାରୁ ସେ ନିଜ ପ୍ରେମିକ ସହ ମିଶି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
