Voice of Eastern India

ଇ-୨୦ ପେଟ୍ରୋଲକୁ ନେଇ ତେଜିଲା ବିରୋଧ: ସୋସିଆଲ୍ ମିଡିଆରୁ ଏବେ ରସ୍ତାକୁ ଓହ୍ଲାଇବ ଜନ ଆନ୍ଦୋଳନ: ନୀତିନ ଗଡକରୀଙ୍କ ଘର ଆଗରେ ଧାରଣା ଚେତାବନୀ


ନୂଆଦିଲ୍ଲୀ: ଇଥାନଲ ମିଶ୍ରିତ E-20 ପେଟ୍ରୋଲକୁ ନେଇ ଦେଶ ସାରା ବିବାଦ ଜାରି ରହିଥିବା ବେଳେ ସରକାର କିନ୍ତୁ ତାଙ୍କ କଥାରେ ଜିଦ୍ରେ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବିରୋଧ କେବଳ ସୋସିଆଲ ମିଡିଆରେ ହେଉଥିଲା। ହେଲେ ପ୍ରଥମ ଥର ପାଇଁ ଆନ୍ଦୋଳନ ରାସ୍ତାକୁ ଓହ୍ଲାଇବାକୁ ଯାଉଛି। ପ୍ରଥମ ଥର ପାଇଁ ଇ-୨୦ ଇନ୍ଧନ ନୀତି ବିରୋଧରେ ସଂଗଠିତ ଆନ୍ଦୋଳନର ଘୋଷଣା କରିଛନ୍ତି ବ୍ୟବସାୟୀ ଓ ଟେଲିଭିଜନ ବ୍ୟକ୍ତିତ୍ୱ ତହସିନ ପୁନାୱାଲା। ଆସନ୍ତା ରବିବାର ଅପରାହ୍ନ ୨ ଟାରେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ କରିବାକୁ ଘୋଷଣା କରିଛନ୍ତି। ଆଉ ଯଦି ତାଙ୍କୁ ଆନ୍ଦୋଳନ କରିବାକୁ ସେଠି ଅନୁମତି ନ ମିଳିଲା ତେବେ ସେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି।

ଇଥାନଲ ଦୁର୍ନୀତି ବିରୋଧରେ ଟିମ ଭାରତ(‘TEAM BHARAT Against the Ethanol Scam’) ବ୍ୟାନରରେ ଆନ୍ଦୋଳନ ହେବ। କେନ୍ଦ୍ର ସରକାରଙ୍କ ଇ-୨୦ ଇନ୍ଧନ ନୀତିର “ତରବରିଆ କାର୍ଯ୍ୟକାରୀ” ବିରୋଧରେ ଏହା ପ୍ରଥମ ବଡ଼ ଜନଆନ୍ଦୋଳନ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।

ଏପର୍ଯ୍ୟନ୍ତ ଇ-୨୦ ପେଟ୍ରୋଲକୁ ନେଇ ବିରୋଧ ମୁଖ୍ୟତଃ ସୋସିଆଲ ମିଡିଆ, ଅଟୋମୋବାଇଲ ଫୋରମ୍ ଓ ଉପଭୋକ୍ତା ସଂଗଠନ ମଧ୍ୟରେ ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଗାଡ଼ିର ମାଇଲେଜ୍ କମିବା ଏବଂ ଇଞ୍ଜିନର କ୍ଷତି ନେଇ ବଢ଼ୁଥିବା ଅସନ୍ତୋଷ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରି ବୋଲି ଆୟୋଜକମାନେ କହିଛନ୍ତି।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗ୍ରାହକମାନେ ପେଟ୍ରୋଲ ପମ୍ପରେ ମିଳୁଥିବା ଇନ୍ଧନକୁ “ମିଶ୍ରିତ” ନୁହେଁ ବରଂ “ଭେଜାଲ” ବୋଲି ଅଭିଯୋଗ କରୁଛନ୍ତି। ଅନେକ ଲୋକ ଇ-୨୦ ପେଟ୍ରୋଲ ବ୍ୟବହାର ପରେ ଗାଡ଼ିର ମାଇଲେଜ୍ କମିଛି ଓ ଇଞ୍ଜିନର କ୍ଷତି ହେଉଛି ବୋଲି ଦାବି କରୁଛନ୍ତି।

ତେବେ ଖୋଦ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓ କେନ୍ଦ୍ର ସରକାର ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଇ-୨୦ ପେଟ୍ରୋଲ ଯୋଗୁ ମାଇଲେଜ୍ରେ ପଡ଼ୁଥିବା ପ୍ରଭାବ ଅତି ସାମାନ୍ୟ। ଇଥାନଲ ମିଶ୍ରିତ ଇନ୍ଧନ ବ୍ୟବହାର କଲେ ଗାଡ଼ିର ଆକ୍ସିଲେରେସନ୍ ବଢ଼େ ଏବଂ ଇଞ୍ଜିନ ନକିଂ କମିଯାଏ ବୋଲି ପୁରୀ କହିଛନ୍ତି। ରେସିଂ କାରରେ ମଧ୍ୟ ଇଥାନଲ ବ୍ୟବହାର କରାଯାଏ ବୋଲି ସେ ଉଦାହରଣ ଦେଇଛନ୍ତି।

ତେବେ ଆନ୍ଦୋଳନକାରୀମାନଙ୍କ କହିବା କଥା ହେଲା ସେମାନେ ଇଥାନଲ ନୀତିର ବିରୋଧ କରୁ ନାହାନ୍ତି ବରଂ ଏହାର କାର୍ଯ୍ୟକାରୀ ଶୈଳୀକୁ ବିରୋଧ କରୁଛନ୍ତି। ଲୋକଙ୍କୁ କୌଣସି ଅନ୍ୟ ବିକଳ୍ପ ଦିଆଯାଉ ନାହିଁ ବୋଲି ପୁନାୱାଲା ଅଭିଯୋଗ କରିଛନ୍ତି। ପ୍ରତିବାଦ ପାଇଁ ଦିଲ୍ଲୀ ପୋଲିସଙ୍କ ଅନୁମତି ମଗାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ। ଆମେ ଦିଲ୍ଲୀ ପୋଲିସକୁ ଅନୁରୋଧ କରୁଛୁ ଯେ ସେମାନେ ଆମକୁ ଅଣଦେଖା ନ କରନ୍ତୁ। ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଆମର ମୌଳିକ ଅଧିକାର ବୋଲି ପୁନାୱାଲା କହିଛନ୍ତି।

ପ୍ରଥମ ଥର ସଡ଼କକୁ ଓହ୍ଲାଉଥିବା ଏହି ଆନ୍ଦୋଳନ ବହୁ ସଂଖ୍ୟାରେ ଲୋକେ ଯୋଗ ଦେବେ। ପ୍ରାୟ ୧୦ ହଜାର ଲୋକ ଯୋଗ ଦେଇପାରନ୍ତି ବୋଲି ପୁନାୱାଲା କହିଛନ୍ତି। ଯଦି ଅନୁମତି ନ ମିଳେ, ତେବେ ଆନ୍ଦୋଳନରେ ସାମିଲ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା ପରେ ସ୍ଥିର କରାଯିବ ବୋଲି ସେ କହିଛନ୍ତି। କିଛି ଲୋକ ନୀତିନ ଗଡକରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିପାରନ୍ତି ବୋଲି ସଂକେତ ଦେଇଛନ୍ତି ପୁନାୱାଲା ।

ଆନ୍ଦୋଳନକୁ ନେଇ ପୁନାୱାଲା କହିଛନ୍ତି ଆନ୍ଦୋଳନରେ ଯୋଗଦେଉଥିବା ସମସ୍ତେ ମଧ୍ୟବିତ୍ତ ପରିବାରର। ସେମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କାରେ ଗାଡ଼ି କିଣିଛନ୍ତି। ଇ-୨୦ ନୀତିର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରୀ ଯୋଗୁ ସେମାନେ ଠକାମିର ଶିକାର ହୋଇଛନ୍ତି। ଏହି ଆନ୍ଦୋଳନ ପାଇଁ କୌଣସି ଅର୍ଥ ଖର୍ଚ୍ଚ କରାଯାଇନାହିଁ। ସୋସିଆଲ ମିଡିଆ ଓ ମୁଖେମୁଖେ ପ୍ରଚାର ମାଧ୍ୟମରେ ଲୋକମାନେ ସ୍ୱତଃସ୍ପୃହ ଭାବେ ଯୋଗ ଦେଉଛନ୍ତି ବୋଲି ପୁନାୱାଲା କହିଛନ୍ତି।

ପୁନାୱାଲାଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ନିକଟରେ ସେମାନଙ୍କର ୩ଟି ପ୍ରମୁଖ ଦାବି ରହିଛି। ସେଗୁଡ଼ିକ ହେଲା-

ଇ-୨୦ ଇଥାନଲ ମିଶ୍ରଣ ସମ୍ବନ୍ଧୀୟ ସମସ୍ତ ନୀତିଗତ ଦସ୍ତାବିଜ ଓ ବୈଷୟିକ ଅଧ୍ୟୟନ ସାର୍ବଜନୀନ କରାଯାଉ। ଉପଭୋକ୍ତାଙ୍କୁ ବିକଳ୍ପ ଦିଆଯାଉ।

ଇ-୨୦ ସହିତ ଇଥାନଲ ବିହୀନ ପେଟ୍ରୋଲ ଏବଂ ଇ-୫ ଓ ଇ-୧୫ ପରି କମ୍ ଇଥାନଲ ମିଶ୍ରିତ ପେଟ୍ରୋଲ ଯୁକ୍ତିଯୁକ୍ତ ଦରରେ ଉପଲବ୍ଧ କରାଯାଉ। ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ ନ ହେବା ଏବଂ ଉପଭୋକ୍ତା ଓ ଅଟୋମୋବାଇଲ କମ୍ପାନୀଙ୍କ ସହ ପରାମର୍ଶ ନ କରି ଇ-୨୫ କିମ୍ବା ଇ-୩୦ ଇନ୍ଧନ ଲାଗୁ ନ କରାଯାଉ।

Source link



Source link

Leave A Reply

Your email address will not be published.