Voice of Eastern India

୨୭ ସେକେଣ୍ଡରେ ୮ ଥର କଚାଡ଼ି ମାରିଥିଲା, ୪୦ ଦିନରେ ମିଳିଲା ମୃତ୍ୟୁଦଣ୍ଡ… ଜଘନ୍ୟ ଅପରାଧ ମାମଲାରେ କୋର୍ଟଙ୍କ ତ୍ୱରିତ ରାୟ


ଲକ୍ଷ୍ନୌ: ଦେଢ଼ ବର୍ଷର ନିଷ୍ପାପ ଶିଶୁକୁ ନିର୍ମମ ଭାବେ ହତ୍ୟା କରିଥିଲା । ନିର୍ଦ୍ଦୟ ଭାବେ ତଳେ ବାରମ୍ୱାର କଚାଡ଼ି ମାରିଦେଇଥିଲା ରାକ୍ଷସ । ଏବେ କୋର୍ଟ ଶୁଣାଣିଲେ ଫାଶୀ ଦଣ୍ଡ । ଫିରୋଜାବାଦର ଏକ ଅଦାଲତ ଆରଭକୁ ନିର୍ମମ ଭାବେ ହତ୍ୟା କରିଥିବା ଯୁବକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଗୁରୁବାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ କୋର୍ଟ ଶୁକ୍ରବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଦଣ୍ଡାଦେଶ ଶୁଣିବା ମାତ୍ରେ ଅଭିଯୁକ୍ତ ବିରାଜ ଅଦାଲତରେ କାନ୍ଦି ପକାଇଥିଲା ।

ମେ ୩୦ ତାରିଖରେ ଫିରୋଜାବାଦର ଶିକୋହାବାଦ ସ୍ଥିତ ଯାଦବ କଲୋନୀରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଘଟଣା ବିଷୟରେ ଜାଣିବା ପରେ, ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲ । ପୋଲିସ ମାତ୍ର ଛଅ ଦିନ ମଧ୍ୟରେ ଏହି ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟ ଘଟଣାର ୪୦ ଦିନ ମଧ୍ୟରେ ରାୟ ପ୍ରଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଦାବି କରିଥିଲା ଯେ ଶିଶୁର ମାଆଙ୍କ ସହିତ ତାର ପ୍ରେମ ସମ୍ପର୍କ ଥିଲା । ଅଭିଯୁକ୍ତ ବିରାଜ, ରତିଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲା । ଯେତେବେଳେ ତାର ଏହି ଇଚ୍ଛା ପୂରଣ ହେଲାନାହିଁ, ସେ ପ୍ରତିଶୋଧ ପରାୟଣ ହୋଇ ନିଷ୍ପାପ ଆରଭକୁ ମାରି ଦେଇଥିଲା ।

ବିରାଜ ଚକଲେଟ୍ ଆଣିଦେବା ବାହାନାରେ ଆରଭକୁ ଘରୁ ବାହାରକୁ ନେଇଯାଇଥିଲା । ଘରୁ ପ୍ରାୟ ୫୦ ମିଟର ଦୂରରେ ଏକ ନିଛାଟିଆ ରାସ୍ତାରେ ସେ ମାତ୍ର ୨୭ ସେକେଣ୍ଡ ଭିତରେ ଶିଶୁଟିକୁ ୮ ଥର ତଳେ କଚାଡ଼ି ପିଟିଥିଲା । ଘଟଣାସ୍ଥଳରେ ହିଁ ନିଷ୍ପାପ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ ଶବକୁ ଘର ଦୁଆରେ ଛାଡ଼ି ଫେରାର ହୋଇଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିଲା ।

ଘଟଣା ପରେ ପୋଲିସ ବିରାଜ ବିରୋଧରେ ମାମଲା ରୁଜୁ କରି ତାର ସନ୍ଧାନ ଆରମ୍ଭ କରିଥିଲା। ସେହି ରାତିରେ ଏକ ଏନକାଉଣ୍ଟର ସମୟରେ ପୋଲିସ ତାର ଦୁଇଟି ଯାକ ଗୋଡ଼ରେ ଗୁଳି ମାରି ତାକୁ ଗିରଫ କରିଥିଲା । ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଅନୁଜ କୁମାର ମାତ୍ର ଛଅ ଦିନ ଭିତରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଜୁନ୍ ୧୫ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା । ଗୁରୁବାର ଅଦାଲତ ସମସ୍ତ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଶୁଣିବା ପରେ ବିରାଜକୁ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଏହି ଘଟଣାକୁ ଅତ୍ୟନ୍ତ ଜଘନ୍ୟ ବୋଲି କହିଥିଲେ ।

Source link



Source link

Leave A Reply

Your email address will not be published.