ନୀଳଗିରି: ପିଲାଦିନର ସାଙ୍ଗ… ଏକାଠି ବସୁଥିଲେ, ଖେଳୁଥିଲେ, ବୁଲୁଥିଲେ… ଆଉ ଏବେ ଏକାଠି ନେଲେ ଦୁନିଆରୁ ବିଦାୟ। ଏହା କୌଣସି କାହାଣୀ ନୁହେଁ ବରଂ ବାସ୍ତବ ଘଟଣା। ସାଙ୍ଗର ଅକାଳ ବିୟୋଗ ଖବର ପାଇ ଶେଷ ଦର୍ଶନ ପାଇଁ ଯାଇଥିବା ଅନ୍ୟ ସାଙ୍ଗ ବି ପାଲଟିଗଲେ ଶବ। ଏଭଳି ଏକ ଦୁଃଖଦ ଖବର ଆସିଛି ବାଲେଶ୍ବର ନୀଳଗିରି ଥାନା ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ କେଳାପଦା ଗ୍ରାମରୁ।
ସୂଚନା ଅନୁସାରେ, ଗ୍ରାମର ହେମାଙ୍ଗିନି ଜେନା (୭୨) ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଏମିତିରେ ମୃତ୍ୟୁ ଖବର ପାଇ ପିଲାଦିନର ସାଙ୍ଗ ମନ୍ଦୋଦରୀ ଜେନା (୭୦) ଅନ୍ତିମ ଦର୍ଶନ ପାଇଁ ଯାଇଥିଲେ। ହେଲେ ସାଙ୍ଗ ଶବ ପାଖରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ।
Also Read: ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ, ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ
ପରିବାର ଲୋକେ ପ୍ରଥମେ ନୀଳଗିରି ମେଡିକାଲ ଓ ପରେ ବାଲେଶ୍ୱର ମେଡିକାଲ କଲେଜ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ କଟକ ମେଡିକାଲ ପହଞ୍ଚିବା ପରେ ଶୁକ୍ରବାର ସକାଳ ୭ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ନିଜ ପିଲାଦିନର ସାଙ୍ଗର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ମନ୍ଦୋନ୍ଦରୀଙ୍କର ହୃଦଘାତ ଯୋଗୁ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସେପଟେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସମସ୍ତେ ଦୁଇ ସାଙ୍ଗଙ୍କ ବନ୍ଧୁତାକୁ ମନେ ପକାଉଛନ୍ତି।
