ନୂଆଦିଲ୍ଲୀ: E-20 ପେଟ୍ରୋଲକୁ ନେଇ ଦେଶରେ ଏତେ ତମ୍ବିତୋଫାନ ପରେ ସରକାର ଏବେ ସିଧାସଳଖ ମୈଦାନକୁ ଓହ୍ଲାଇଛନ୍ତି। ସୋସିଆଲ ମିଡିଆରେ E20କୁ ନେଇ ଯେଉଁସୁବ ପ୍ରଚାର ହେଉଛି, ତାକୁ ଖଣ୍ଡନ କରିବା ସହ ୧୦ଟି ପଏଣ୍ଟରେ ସ୍ପଷ୍ଟୀକରଣ ଜାରି କରିଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ। ସରକାରଙ୍କ କହିବା କଥା ହେଲା E20 ନୀତି ବୈଜ୍ଞାନିକ ଅଧ୍ୟୟନ, ଆନ୍ତର୍ଜାତିକ ଅଭିଜ୍ଞତା ଓ କଠୋର ନିୟାମକ ବ୍ୟବସ୍ଥା ଉପରେ ଆଧାରିତ। ତେଣୁ ଏଥିରେ ସମସ୍ୟା ନାହିଁ। ସରକାର କଣ ସବୁ କହିଛନ୍ତି ପଢ଼ନ୍ତୁ ରିପୋର୍ଟ।
ଇ-୨୦ ପେଟ୍ରୋଲ ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଭ୍ରମାତ୍ମକ ସୂଚନାକୁ ଖଣ୍ଡନ କରି ୧୦ଟି ପଏଣ୍ଟରେ ସ୍ପଷ୍ଟୀକରଣ ଜାରି କରିଛି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ। ସରକାରଙ୍କ କହିବା ଅନୁସାରେ, E20 କାର୍ଯ୍ୟକ୍ରମ ବୈଜ୍ଞାନିକ ଗବେଷଣା, ଆନ୍ତର୍ଜାତିକ ଅନୁଭବ ଓ ନିୟାମକ ସୁରକ୍ଷା ବ୍ୟବସ୍ଥା ଉପରେ ଆଧାରିତ।
E20 ପାଇଁ ଏଥାନଲ ଉତ୍ପାଦନରେ ଗୋଟିଏ ଲିଟର ଏଥାନଲ ପାଇଁ ୧୦ ହଜାର ଲିଟର ପାଣି ଖର୍ଚ୍ଚ ହେଉଥିବା ଦାବିକୁ ସରକାର ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ସରକାରଙ୍କ କହିବା ଅନୁସାରେ, ଦେଶର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ ପରେ ଯେଉଁ ଅତିରିକ୍ତ ଚାଉଳ ରହୁଛି, ତାହାକୁ ଏଥାନଲ ଉତ୍ପାଦନରେ ବ୍ୟବହାର କରାଯାଉଛି। ଏଥାନଲ କାରଖାନାରେ ପ୍ରତି ଲିଟର ଏଥାନଲ ପାଇଁ ମାତ୍ର ୩ରୁ ୫ ଲିଟର ପ୍ରକ୍ରିୟାକୃତ ପାଣି ବ୍ୟବହାର ହେଉଛି ଏବଂ ଅଧିକାଂଶ କାରଖାନାରେ Zero Liquid Discharge ଟେକ୍ନୋଲୋଜୀ ମାଧ୍ୟମରେ ପାଣି ପୁନଃ ବ୍ୟବହାର କରାଯାଉଛି।
ବର୍ତ୍ତମାନ E20 ପାଇଁ ଯୋଗାଯାଉଥିବା ଇଥାନଲର ୪୦ ପ୍ରତିଶତରୁ ଅଧିକ ମକାରୁ ଉତ୍ପାଦିତ ହେଉଛି। ଧାନ ତୁଳନାରେ ମକା ଚାଷରେ ବହୁତ କମ୍ ଜଳର ଆବଶ୍ୟକତା ପଡ଼େ। ଏଥିପାଇଁ ସରକାର ମକାର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇ ଏହାର ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ତେବେ E20 ଏକ ପରୀକ୍ଷାମୂଳକ ଇନ୍ଧନ ବୋଲି ହେଉଥିବା ଦାବିକୁ ମଧ୍ୟ ସରକାର ଖଣ୍ଡନ କରିବା ସହ ଆମେରିକା, ବ୍ରାଜିଲ, କାନାଡା, ଥାଇଲାଣ୍ଡ, ଜାପାନ ସମେତ ଅନେକ ୟୁରୋପୀୟ ଦେଶରେ ବହୁ ବର୍ଷ ଧରି ଭିନ୍ନ ଭିନ୍ନ ମାତ୍ରାରେ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର ହେଉଛି ବୋଲି ଉଦାହରଣ ଦେଇଛନ୍ତି।
ସେହିପରି ଗାଡ଼ିର ପରଫର୍ମାନ୍ସକୁ ନେଇ ହେଉଥିବା ଆଶଙ୍କା ଉପରେ ସରକାର କହିଛନ୍ତି, ARAI ନେତୃତ୍ୱରେ କରାଯାଇଥିବା ପରୀକ୍ଷାରେ ପ୍ରାୟ ୪୦ ହଜାର କିଲୋମିଟର ପ୍ୟାସେଞ୍ଜର କାର୍ ଏବଂ ୨୦ ହଜାର କିଲୋମିଟର ଦୁଇଚକିଆ ଗାଡ଼ି ଚଳାଇ ପରୀକ୍ଷା କରାଯାଇଥିଲା। ଏଥିରେ ଡ୍ରାଇଭାବିଲିଟି କିମ୍ବା ଫ୍ୟୁଏଲ ଏଫିସିଏନ୍ସି ଉପରେ କୌଣସି ବଡ଼ ପ୍ରଭାବ ପଡ଼ିନଥିବା ବେଳେ ମାଇଲେଜରେ କେବଳ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଥିଲା। E20 ପାଇଁ ପ୍ରସ୍ତୁତ ଗାଡ଼ିଗୁଡ଼ିକ ଏଥାନଲର ଉଚ୍ଚ ଅକ୍ଟେନ ମୂଲ୍ୟ ଯୋଗୁଁ ଅଧିକ ଭଲ ପରଫର୍ମାନ୍ସ ଦେଇପାରିବ ବୋଲି ସରକାର ତର୍କ ରଖିଛନ୍ତି। E20 ଯୋଗୁଁ ଇଞ୍ଜିନ କିମ୍ବା ଗାଡ଼ିର ବିଭିନ୍ନ ପାର୍ଟସ୍ ନଷ୍ଟ ହେଉଥିବା ଦାବିକୁ ମଧ୍ୟ ସରକାର ଖଣ୍ଡନ କରିଛନ୍ତି। ARAI, ଇଣ୍ଡିଆନ ଅଏଲ କର୍ପୋରେସନ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋଲିୟମ ଏବଂ SIAM ମିଳିତ ଭାବେ କରିଥିବା ଅଧ୍ୟୟନରେ ଧାତୁ ଓ ପ୍ଲାଷ୍ଟିକ ପାର୍ଟସ୍ ସହ E20ର କୌଣସି ସମସ୍ୟା ନଥିବା ଜଣାପଡ଼ିଛି। ହେଲେ ପୁରୁଣା ଗାଡ଼ିର କିଛି ରବର ପାର୍ଟସ୍ ଶୀଘ୍ର ବଦଳାଇବାକୁ ପଡ଼ିପାରେ ବୋଲି ସରକାର କହିଛନ୍ତି।
E20 ବ୍ୟବହାର କଲେ ଗାଡ଼ିର ୱାରେଣ୍ଟି ଓ ବୀମା ବାତିଲ ହୋଇଯିବ ବୋଲି ହେଉଥିବା ଦାବିକୁ ମଧ୍ୟ ସରକାର ଭୁଲ ବୋଲି କହିଛନ୍ତି। ଅଟୋମୋବାଇଲ ନିର୍ମାତା ଓ ବୀମା କମ୍ପାନୀ ସ୍ପଷ୍ଟ କରିଛନ୍ତି ଯେ, E20 ପାଇଁ ଡିଜାଇନ କରାଯାଇଥିବା କିମ୍ବା ଅନୁମୋଦିତ ଗାଡ଼ିଗୁଡ଼ିକର ୱାରେଣ୍ଟି ଓ ବୀମା ପୂର୍ବଭଳି ବଳବତ୍ତର ରହିବ।
ସୋସିଆଲ ମିଡିଆରେ E20 ପେଟ୍ରୋଲରେ ଚିନି ଥିବାରୁ ପିମ୍ପୁଡ଼ି ଓ ମହୁମାଛି ଆକର୍ଷିତ ହେଉଛନ୍ତି ବୋଲି ହେଉଥିବା ଦାବିକୁ ମଧ୍ୟ ସରକାର ଖାରଜ କରିଛନ୍ତି। ସରକାରଙ୍କ କହିବା ଅନୁସାରେ, ଫ୍ୟୁଏଲ ଗ୍ରେଡ୍ ଏଥାନଲରୁ ଡିଷ୍ଟିଲେସନ ପ୍ରକ୍ରିୟାରେ ସମସ୍ତ ଚିନି ବାହାର କରାଯାଏ। ଏଥିରେ ଡିନେଚୁରାଣ୍ଟ ମଧ୍ୟ ମିଶାଯାଏ, ଯାହା କୀଟପତଙ୍ଗକୁ ଦୂରରେ ରଖେ। ଏଥିସହ ପେଟ୍ରୋଲର ହାଇଡ୍ରୋକାର୍ବନ ଗନ୍ଧ ହିଁ ଅଧିକ ପ୍ରଭାବଶାଳୀ ରହିଥାଏ।
ସୁପ୍ରିମକୋର୍ଟରେ E20କୁ ସରକାର ଏକ “ପରୀକ୍ଷା” ବୋଲି କହିଥିବା ଦାବିକୁ ମଧ୍ୟ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି, କୋର୍ଟରେ ଆଲୋଚନା କେବଳ ଏଥାନଲ କ୍ରୟ ସମ୍ବନ୍ଧୀୟ ଚୁକ୍ତିକୁ ନେଇ ଥିଲା, E20 ନୀତିର ଗୁଣଦୋଷକୁ ନୁହେଁ। ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ମଧ୍ୟ ଏନେଇ ସ୍ପଷ୍ଟୀକରଣ ଜାରି କରିଛି।
E20 ଯୋଗୁଁ ଫ୍ୟୁଏଲ ଟ୍ୟାଙ୍କରେ ପାଣି ପଶିଯାଉଛି ଏବଂ ପେଟ୍ରୋଲରେ ଆଖୁ ରସ ମିଶାଯାଉଛି ବୋଲି ଭାଇରାଲ ହେଉଥିବା ଭିଡିଓକୁ ମଧ୍ୟ ସରକାର ଭୁଲ ବୋଲି କହିଛନ୍ତି। ସରକାରଙ୍କ କହିବା ଅନୁସାରେ, ଆଧୁନିକ ଗାଡ଼ି ଓ ପେଟ୍ରୋଲ ପମ୍ପରେ ପାଣି ପ୍ରବେଶ ରୋକିବାକୁ ସୁରକ୍ଷା ବ୍ୟବସ୍ଥା ରହିଛି। ଏଥାନଲ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ ଏବଂ ନିର୍ଦ୍ଧାରିତ ଗୁଣବତ୍ତା ଅନୁସାରେ ପେଟ୍ରୋଲରେ ମିଶାଯାଏ। ପରିବେଶ ଉପରେ ପ୍ରଭାବକୁ ନେଇ ମଧ୍ୟ ସରକାର ସଫେଇ ଦେଇଛନ୍ତି। ସରକାରଙ୍କ କହିବା ଅନୁସାରେ, ଏଥାନଲ କାରଖାନାଗୁଡ଼ିକୁ ପରିବେଶ ଅନୁମତି ନେବାକୁ ପଡ଼େ, ଭୂତଳ ଜଳ ବ୍ୟବହାର ନିୟମ ମାନିବାକୁ ପଡ଼େ ଏବଂ Zero Liquid Discharge ବ୍ୟବସ୍ଥା ଅନିବାର୍ଯ୍ୟ।
ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୪-୧୫ ପରଠାରୁ E20 କାର୍ଯ୍ୟକ୍ରମ ଯୋଗୁଁ ୧.୯ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇଛି। ଚାଷୀଙ୍କୁ ୧.୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ପ୍ରାୟ ୯୩୦ ଲକ୍ଷ ମେଟ୍ରିକ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ କମିଛି ଏବଂ ୩୧୦ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ତୈଳ ଆମଦାନୀକୁ ଏଡ଼ାଯାଇଛି।
ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୨୦୧୩-୧୪ରେ ପେଟ୍ରୋଲରେ ଏଥାନଲ ମିଶ୍ରଣ ମାତ୍ର ୧.୫ ପ୍ରତିଶତ ଥିବା ବେଳେ ୨୦୨୫ ଡିସେମ୍ବରରେ ଭାରତ ନିର୍ଦ୍ଧାରିତ ସମୟର ପୂର୍ବରୁ ୨୦ ପ୍ରତିଶତ ମିଶ୍ରଣ ଲକ୍ଷ୍ୟ ହାସଲ କରିଛି। ଦେଶର ଏଥାନଲ ଉତ୍ପାଦନ କ୍ଷମତା ବର୍ତ୍ତମାନ ୨ ହଜାର କୋଟି ଲିଟରରେ ପହଞ୍ଚିଥିବା ବେଳେ ୨୦୨୫-୨୬ ଯୋଗାଣ ବର୍ଷରେ ୧୨୦୦ କୋଟି ଲିଟରରୁ ଅଧିକ ଏଥାନଲ କ୍ରୟ ହେବ ବୋଲି ଆକଳନ କରାଯାଇଛି।
