ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଶରଦର କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ ଫରେନ କଣ୍ଟ୍ରିବ୍ୟୁସନ( ରେଗୁଲେସନ) ଆମେଣ୍ଡମେଣ୍ଟ ବିଲ୍ ୨୦୨୬ର ଏବେକା ଫର୍ମାଟକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ବିଦେଶୀ ଫଣ୍ଡିଙ୍ଗକୁ ସନ୍ଦେହ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ। ଏକ ରିପୋର୍ଟ ଅନୁସାରେ ସେ କେନ୍ଦ୍ର ସରକାରଙ୍କୁ ଏହି ବିଲ୍ ପ୍ରତ୍ୟାହାର କରି ନିଅନ୍ତୁ ଅଥବା ଏହାର ଗହନ ଯାଞ୍ଚ ନିମନ୍ତେ ଏହାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବାକୁ ଅନୁରୋଧ କରିଛନ୍ତି।
ସୁଲେ କହିଛନ୍ତି ଯେ ସବୁ ରାଜନୈତିକ ଦଳଙ୍କୁ ଏହି ପ୍ରସ୍ତାବିତ ଆଇନ ଉପରେ ଚର୍ଚ୍ଚା କରିବାକୁ ସୁଯୋଗ ଦିଆଯାଉ। କାରଣ ସୂଚନାରୁ ଯାହା ଜଣାପଡୁଛି ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପରେ ଚର୍ଚ୍ଚା ହୋଇପାରେ ଓ ଏହାକୁ ଗୃହୀତ ମଧ୍ୟ କରାଯାଇପାରେ। ସୁଲେ ଶନିବାର ମୁମ୍ବାଇରେ ସାମ୍ବାଦିକଙ୍କ ସହ ଆଲୋଚନାରେ ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ତାଙ୍କ ପାର୍ଟି ଏହି ବିଧେୟକର ଏବେକା ସ୍ୱରୂପରେ ସହମତ ନୁହେଁ। ଯଦି ସରକାର ଏହାକୁ ଫେରସ୍ତ ନେବାକୁ ଚାହୁଁ ନଥାନ୍ତି ତେବେ ଏହାକୁ ଜେପିସିକୁ ପଠାଇ ଦେବା ଉଚିତ, ଯାହାଦ୍ୱାରା ବିଧେୟକର ପ୍ରାବଧାନ ଉପରେ ବିଚାରବିମର୍ଷ କରାଯାଇ ପାରିବ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁଲେ କହିଛନ୍ତି ଯେ ଏକ ମଜଭୁତ ଗଣତନ୍ତ୍ରରେ କୌଣସି କଥାକୁ କେବଳ ବିରୋଧ କରିବା ପର୍ଯ୍ୟାପ୍ତ ନୁହେଁ। ଆମକୁ ତା ଉପରେ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି। ଏଣୁ ସୁପ୍ରିୟା ସୁଲେ କେନ୍ଦ୍ରକୁ ଚେତାବନୀ ଦେଇ କହିଛନ୍ତି ଯେ ବିନା ବ୍ୟାପକ ବିଚାରବିମର୍ଷରେ ସଂସଦରେ ତରବରିଆ ଭାବେ ଏହି ବିଧେୟକକୁ ପାରିତ କରାନଯାଉ। ସୁଲେ କହିଛନ୍ତି ଯେ ବିଦେଶୀ ଚାନ୍ଦାକୁ ଉପଯୁକ୍ତ କାର୍ଯ୍ୟ ଯେପରି ଚିକିତ୍ସା ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟ ପାଇଁ ଉପଯୋଗ କରାଯାଇ ପାରେ। ତେବେ ଯଦି ବିଦେଶୀ ଚାନ୍ଦାର ଉପଯୋଗ ନିଶା ତସ୍କରୀ ଓ ଆତଙ୍କବାଦ ପାଇଁ ହୁଏ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ହେଲେ ସବୁ ବିଦେଶୀ ଫଣ୍ଡିଂ ସଂସ୍ଥାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ। ସୁଲେ ଗେଟସ୍ ଫାଉଣ୍ଡେସନ, ୟୁଏସଏଆଇଡି ଭଳି ସଂସ୍ଥାଙ୍କ ଉାଦହରଣ ଦେଇଛନ୍ତି। ଏହି ସଂସ୍ଥାମାନେ ଦୀର୍ଘ ବର୍ଷରୁ ଭଲ କାମ କରିଆସୁଛନ୍ତି। ଏଣୁ ବିଦେଶରୁ ଚାନ୍ଦା ଦେଉଥିବା ସବୁ ସଂସ୍ଥାଙ୍କୁ ସନ୍ଦେହ ନଜରରେ କାହିଁକି ଦେଖାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
