ବେଲଫାଷ୍ଟ: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି(ଶୁକ୍ରବାର) ବେଲଫାଷ୍ଟର ସିଭିଲ୍ ସର୍ଭିସ୍ କ୍ରିକେଟ୍ କ୍ଲବରେ ଖେଳାଯାଉଛି। ଆଜିର ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆୟରଲ୍ୟାଣ୍ଡ ୯ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ୍ କରିଛି।
ଭାରତର ଦମଦାର ବୋଲିଂରେ ଆୟରଲ୍ୟାଣ୍ଡର ଓପନରମାନେ ମାଟିକାମୁଡ଼ିଥିଲେ। ତେବେ ଲୋରକାନ ଟକେରଙ୍କର ଲଢ଼ୁଆ ଅର୍ଦ୍ଧଶତକୀୟ ଇନିଂସ ଓ ଗାରେଥ ଡେଲାନୀଙ୍କ ୪୯ ରନ୍ର ଯୋଗଦାନ ଯୋଗୁ ଦଳ ସମ୍ମାନଜନକ ସ୍କୋର କରିପାରିଛି। ସେହିପରି ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।
ଆଜିର ମ୍ୟାଚ୍ରେ ଆୟରଲ୍ୟାଣ୍ଡ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ପାୱାରପ୍ଲେରେ ତିନୋଟି ୱିକେଟ ହରାଇଥିଲା ଦଳ। ହର୍ଷିତ ରାଣା ଆୟରଲ୍ୟାଣ୍ଡର ଓପନର ରସ୍ ଆଡାୟାର (୧୨ ରନ) ଏବଂ ଟିମ୍ ଟେକ୍ଟର (୧୭ ରନ)ଙ୍କୁ ଆଉଟ୍ କରି ଭାରତର ପକ୍ଷ ମଜଭୁତ କରିଥିଲେ। ଏହାପରେ ଅର୍ଶଦୀପ ସିଂହ ଅଭିଜ୍ଞ ବ୍ୟାଟର ହ୍ୟାରି ଟେକ୍ଟରଙ୍କୁ ଆଉଟ୍ କରି ଆୟୋଜକ ଦଳକୁ ଶକ୍ତ ଝଟ୍କା ଦେଇଥିଲେ। ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ଶିବମ୍ ଦୁବେ। ସେ ବେଞ୍ଜାମିନ୍ କେଲିଜ୍ (୧୫ ରନ)ଙ୍କୁ ଆଉଟ୍ କରିଥିଲେ।
ଏହିଠାରୁ ଅଧିନାୟକ ଲୋର୍କାନ ଟକର ଏବଂ ଗାରେଥ ଡେଲାନି ପଞ୍ଚମ ୱିକେଟ ପାଇଁ ଦଳରେ ୬୪ ରନ ଯୋଡିଥିଲେ। ଟକର ୩୬ ବଲରୁ ୫ ଚୌକା ଏବଂ ୨ ଛକା ସହାୟତାରେ ୫୦ ରନ କରିଥିଲେ। ହର୍ଷିତ ରାଣା ଟକରଙ୍କୁ ଆଉଟ କରି ଏହି ପାର୍ଟନର୍ସିପ୍ ଭାଙ୍ଗିଥିଲେ।
ଲୋର୍କାନ ଟକରଙ୍କ ଆଉଟ ପରେ, ଗାରେଥ ଡେଲାନି, ଜର୍ଜ ଡକରେଲଙ୍କ ସହିତ ମିଶି ମାତ୍ର ୧୬ ବଲରୁ ଷଷ୍ଠ ୱିକେଟ ପାଇଁ ୪୯ ରନ ଯୋଡିଥିଲେ। ୧୭ତମ ଓଭରରେ, ଉଭୟ ବ୍ୟାଟର ପ୍ରସିଦ୍ଧ କୃଷ୍ଣଙ୍କ ବଲ୍ରେ ଜବରଦସ୍ତ ପ୍ରହାର କରି ମୋଟ ୨୭ ରନ କରିଥିଲେ। ଡେଲାନି ୩୨ ବଲରୁ ୪୯ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ତିନୋଟି ଛକା ଏବଂ ତିନୋଟି ଚୌକା ରହିଥିଲା।
ସେହିପରି ଡକରେଲ ୧୯ ରନ କରିଥିବା ବେଳେ ଶେଷରେ ଲିଆମ ମ୍ୟାକାର୍ଥି (୭ ରନ) ଏବଂ ମାଥ୍ୟୁ ହମ୍ଫ୍ରିସ୍ ୨ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ ପ୍ରତ୍ୟେକ ଦୁଇଟି ଲେଖାଏ ୱିକେଟ ନେଇଥିଲେ।
