Voice of Eastern India

INDW vs BANW T 20 WC: ଶେଫାଳୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ରାଧାଙ୍କ ଘାତକ ବୋଲିଂ, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ


ମାଞ୍ଚେଷ୍ଟର: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ୱିକେଟ୍ରେ ପରାସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ବିଜୟ ହାସଲ କରିଛି । ଓପନର୍ ଶେଫାଳୀ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ୧୯ ବଲ୍ ବାକି ଥାଇ ସହଜ ବିଜୟ ସହ ସେମିଫାଇନାଲ୍ ଦୌଡ଼ରେ ନିଜର ସ୍ଥିତି ଆହୁରି ମଜବୁତ କରିଛି ।

ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇ ପ୍ରେମା ଯାଦବ ଓ ଅରୁନ୍ଧତୀ ରେଡ୍ଡୀଙ୍କ ସ୍ଥାନରେ ରାଧା ଯାଦବ ଏବଂ ରେଣୁକା ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ମ୍ୟାଞ୍ଚେଷ୍ଟର ପିଚ୍ରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଓପନର୍ ଜୁଏରିଆ ଫିରଦୌସ ସର୍ବାଧିକ ୩୩ ରନ୍ କରିଥିଲେ, ଯଦିଓ ଭାରତୀୟ ଫିଲ୍ଡରଙ୍କ ଭୁଲ୍ ଯୋଗୁଁ ସେ ମ୍ୟାଚ୍ରେ ୩ଟି ଜୀବନଦାନ ପାଇଥିଲେ । ଭାରତ ପକ୍ଷରୁ ସାଂଘାତିକ ବୋଲିଂ କରି ରାଧା ଯାଦବ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶେଷ ଓଭରରେ ଶ୍ରୀ ଚରଣୀ ମାତ୍ର ୩ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

ଶେଫାଳୀଙ୍କ ଝଡ଼ରେ ଉଡ଼ିଲା ବାଂଲାଦେଶ

୧୩୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳକୁ ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ଦମଦାର ଆରମ୍ଭ ଦେଇଥିଲେ । ମନ୍ଧାନା (୮ ରନ୍) ଶୀଘ୍ର ଆଉଟ୍ ହୋଇଥିଲେ ସୁଦ୍ଧା ଶେଫାଳୀ ବାଂଲାଦେଶୀ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ । ସେ ମାତ୍ର ୩୪ ବଲ୍ରୁ ୫୩ ରନ୍ର ଏକ ବିସ୍ଫୋରକ ପାଳି ଖେଳି ଦଳର ବିଜୟ ପଥ ସୁଗମ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟାସ୍ତିକା ଭାଟିଆ ୨୩ ରନ୍, ଜେମିମା ରୋଡ୍ରିଗ୍ସ ୨୬ ରନ୍ ଏବଂ ରିଚା ଘୋଷ ୧୦ ରନ୍ କରି ଆଉଟ୍ ହୋଇଥିଲେ । ଶେଷରେ ଅଧିନାୟିକା ହରମନପ୍ରୀତ କୌର ୧୩ ରନ୍ କରି ଅପରାଜିତ ରହି ଦଳକୁ ଜିତାଇ ଫେରିଥିଲେ । ବାଂଲାଦେଶ ପକ୍ଷରୁ ରିତୁ ମୋନି ୨ଟି ୱିକେଟ୍ ନେଇଥିଲେ ।

ସେମିଫାଇନାଲ୍ ସମୀକରଣ, ଅଷ୍ଟ୍ରେଲିଆ ସହ କଡ଼ା ଟକ୍କର

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୂର୍ବ ମ୍ୟାଚ୍ ହାରିବା ପରେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ ଥିଲା । ଗ୍ରୁପ୍-ଏ (Group A) ରେ ଅଷ୍ଟ୍ରେଲିଆ ଦଳ କ୍ରମାଗତ ୪ଟି ବିଜୟ ସହ ଶୀର୍ଷରେ ରହି ସେମିଫାଇନାଲ୍ ଟିକେଟ୍ ପକ୍କା କରିସାରିଛି । ଏବେ ଦ୍ୱିତୀୟ ସ୍ଥାନ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି । ଭାରତର ପରବର୍ତ୍ତୀ ତଥା ଶେଷ ଗ୍ରୁପ୍ ମ୍ୟାଚ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହିତ ହେବ । ଯଦି ଭାରତ ସେହି ମ୍ୟାଚ୍ ଜିତେ, ତେବେ ସେ ସିଧାସଳଖ ସେମିଫାଇନାଲ୍ରେ ପ୍ରବେଶ କରିବ, କିନ୍ତୁ ହାରିଗଲେ ଦଳକୁ ଦକ୍ଷିଣ ଆଫ୍ରିକାର ରନ୍ ରେଟ୍ ଏବଂ ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ ।

Source link



Source link

Leave A Reply

Your email address will not be published.