ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026) ର ୧୯ତମ ସିଜନ୍ ଭ୍ୟୁଅରସିପ୍ ମାମଲାରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଏହା କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ପାଲଟିଛି। ଏହାସହିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT) ମଧ୍ୟରେ ଖେଳାଯାଇଥିବା ମେଗା ଫାଇନାଲ୍ ମ୍ୟାଚ୍ ମଧ୍ୟ ନିଜ ଭିତରେ ଏକ ନୂଆ ଇତିହାସ ରଚିଛି।
‘ଇକୋନୋମିକ୍ସ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ଜିଓଷ୍ଟାର୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ଆଇପିଏଲ୍ ସିଜନ୍ରେ ସର୍ବାଧିକ ଦର୍ଶକ ଲାଇଭ୍ ମ୍ୟାଚ୍ର ଆନନ୍ଦ ନେଇଛନ୍ତି। ଟିଭି ଏବଂ ଡିଜିଟାଲ୍ (ଓଟିଟି) ପ୍ଲାଟଫର୍ମକୁ ମିଶାଇ ସମୁଦାୟ ୧.୨ ବିଲିୟନ ଅର୍ଥାତ୍ ପ୍ରାୟ ୧୨୦ କୋଟି ଭ୍ୟୁଜ୍ ମିଳିଛି। ବ୍ରଡକାଷ୍ଟରଙ୍କ କହିବା ଅନୁସାରେ, ଗତଥର ତୁଳନାରେ ଏଥର ଦର୍ଶକ ସଂଖ୍ୟାରେ ୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ସମୁଦାୟ ୱାଚ୍ ଟାଇମ୍ ୮୭୦ ବିଲିୟନ ମିନିଟ୍ ରହିଥିଲା।
ଫାଇନାଲ୍ ମ୍ୟାଚରେ ବି ଭାଙ୍ଗିଲା ରେକର୍ଡ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ସିଜନ୍ର ମହାଲଢ଼େଇ ଆଇପିଏଲ୍ ଇତିହାସର ସବୁଠାରୁ ଲୋକପ୍ରିୟ ମ୍ୟାଚ୍ ସାବ୍ୟସ୍ତ ହୋଇଛି। ଏହି ଗୋଟିଏ ହାଇ-ଭୋଲଟେଜ୍ ଫାଇନାଲ୍ ମ୍ୟାଚକୁ ସାରା ବିଶ୍ଵରେ ପ୍ରାୟ ୪୦ କୋଟି ସ୍କ୍ରିନ୍ ବା ମୋବାଇଲ/ଟିଭିରେ ଲାଇଭ୍ ଦେଖାଯାଇଛି।
ଏହି ସଫଳତାକୁ ନେଇ ଜିଓଷ୍ଟାର୍ ସ୍ପୋର୍ଟସର ସିଇଓ ଈଶାନ ଚାଟାର୍ଜୀ କହିଛନ୍ତି ଯେ, ଆଇପିଏଲ୍ ୨୦୨୬ ମାଧ୍ୟମରେ ଆମେ ଏକ ସମ୍ପୂର୍ଣ୍ଣ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟସ ପ୍ଲାଟଫର୍ମ ପ୍ରଦାନ କରିବାକୁ ଚେଷ୍ଟା କରିଥିଲୁ। ଆମର ଲକ୍ଷ୍ୟ ଥିଲା ଯେ ପ୍ରତିଟି ସ୍କ୍ରିନ୍ ଏବଂ ପ୍ରତିଟି ମୁହୂର୍ତ୍ତକୁ ପ୍ରଶଂସକଙ୍କ ପାଇଁ ସ୍ମରଣୀୟ କରିବ। ଆଞ୍ଚଳିକ ଭାଷାରେ ମ୍ୟାଚର ପ୍ରସାରଣ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଏହି ଅଦ୍ଭୁତପୂର୍ବ ସଫଳତା ମିଳିଛି।
ବେଙ୍ଗାଲୁରୁ ରଚିଲା ଇତିହାସ
ଚଳିତ ସିଜନ ଆରସିବି (RCB) ଚମତ୍କାର ପ୍ରଦର୍ଶନ କରି ଲଗାତାର ଦ୍ଵିତୀୟ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ଗୁଜରାଟକୁ ୫ ୱିକେଟ୍ରେ ପରାସ୍ତ କରି ଦଳ ଟ୍ରଫି ନିଜ ନାମରେ କରିଛି। ୨୦୨୫ରେ ବେଙ୍ଗାଲୁରୁ ପଞ୍ଜାବକୁ ହରାଇ ନିଜର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିଲା।
