Voice of Eastern India

Monsoon: କୁଆଡ଼େ ଗଲା ମୌସୁମୀ ? ଦେଶର ୭୦-୮୦% ଅଞ୍ଚଳରେ ମେଘ ନାହି ! ଟେନସନ ଦେଉଛି ଘୂର୍ଣ୍ଣିଝଡ଼


ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶକୁ ଆବୃତ କରିବାର ମାତ୍ର ଦିନକ ପରେ ଭାରତର ବଡ଼ ଭାଗରେ ବର୍ଷା ଉପସ୍ଥିତି କମିଯାଇଛି। ଜୁଲାଇ ୧୧ (ଶନିବାର)ରେ ସାମ୍ନାକୁ ଆସିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ୁଛି ଯେ ଦେଶର ପ୍ରାୟ ୭୦ରୁ ୮୦ ପ୍ରତିଶତ ଅଞ୍ଚଳରେ ମେଘ ନାହିଁ କିମ୍ବା ଅତ୍ୟନ୍ତ କମ୍ ମେଘ ରହିଛି। ଫଳରେ ଅନେକ ଅଞ୍ଚଳରେ ବର୍ଷା ହେଉ ନାହିଁ କିମ୍ବା ଅତି ସାମାନ୍ୟ ବର୍ଷା ରେକର୍ଡ କରାଯାଉଛି।

ନିକଟ ଅତୀତରେ ଦେଶର ବିଭିନ୍ନ ପ୍ରମୁଖ ସହରରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଥିବାବେଳେ, ହଠାତ୍ ଏଭଳି ଶୁଖିଲା ପରିସ୍ଥିତି ସୃଷ୍ଟି ହେବା ପରେ ମୌସୁମୀ ବର୍ଷାରେ କେଉଁଥିପା ବାଧା ସୃଷ୍ଟି ହେଉଛି ସେନେଇ ପ୍ରଶ୍ନ ଉଠିଛି। ତେବେ ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ ପଶ୍ଚିମ ପ୍ରଶାନ୍ତ ମହାସାଗର ଉପରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏହାର କାରଣ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।।

କାହିଁକି ଦୁର୍ବଳ ପଡ଼ିଛି ମୌସୁମୀ?

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଭାରତ ମହାସାଗରରୁ ଆର୍ଦ୍ରତାଭରା ପବନ ଏବଂ ମୌସୁମୀ ଟ୍ରଫ୍ ନାମକ ନିମ୍ନଚାପ ବଳୟ ମାଧ୍ୟମରେ ସମଗ୍ର ଦେଶରେ ବ୍ୟାପକ ବର୍ଷା କରାଇଥାଏ। କିନ୍ତୁ ବର୍ତ୍ତମାନ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଭାରତୀୟ ଉପମହାଦେଶରୁ ଆର୍ଦ୍ରତା ଓ ବାୟୁମଣ୍ଡଳୀୟ ପ୍ରବାହକୁ ନିଜ ଆଡ଼କୁ ଟାଣିନେଉଛି। ଏହାର ପ୍ରଭାବରେ ମୌସୁମୀ ଟ୍ରଫ୍ ଦୁର୍ବଳ ହୋଇପଡ଼ିଛି, ଯାହା ଫଳରେ ଦେଶର ବହୁ ଅଞ୍ଚଳରେ ବର୍ଷାରେ ହଠାତ୍ ବଡ଼ ଧରଣର ହ୍ରାସ ଘଟିଛି।

Also Read- ଅତ୍ୟଧିକ ଗରମ ବିପଦ ରହୁଥିବା ସହର ମଧ୍ୟରେ ଭାରତର ୧୪ ସହର ସାମିଲ; ଅହମଦାବାଦ ବିଶ୍ୱରେ ଦ୍ୱିତୀୟ

ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ଭାରତ ଓ ଉପଦ୍ୱୀପୀୟ ଭାରତର ବଡ଼ ଅଂଶରେ ବର୍ଷା ପରିମାଣ ଦୁର୍ବଳ ରହିବ। ବାୟୁମଣ୍ଡଳୀୟ ପରିସ୍ଥିତି ପୁଣି ଅନୁକୂଳ ହେବା ପରେ ହିଁ ଦେଶବ୍ୟାପୀ ବର୍ଷାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବାର ସମ୍ଭାବନା ରହିଛି।

ଏପର୍ଯ୍ୟନ୍ତ କେମିତି ରହିଛି ଚଳିତ ବର୍ଷର ମୌସୁମୀ?

୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁଲାଇ ୯ ତାରିଖରେ ସମଗ୍ର ଦେଶକୁ କଭର କରିଥିଲା, ଯାହା ସାଧାରଣ ସମୟସୀମା ଠାରୁ ମାତ୍ର ଗୋଟିଏ ଦିନ ବିଳମ୍ବରେ ହୋଇଥିଲା। ଜୁନ୍ ମାସ ଶେଷ ବେଳକୁ ଦେଶରେ ପ୍ରାୟ ୪୦ ପ୍ରତିଶତ ବର୍ଷା ହ୍ରାସ ରେକର୍ଡ କରାଯାଇଥିଲା, ଯାହା ନିକଟ ଅତୀତର ସବୁଠାରୁ ଦୁର୍ବଳ ମୌସୁମୀ ଆରମ୍ଭ ବୋଲି କୁହାଯାଉଥିଲା।

ହେଲେ ଜୁନ୍ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଏହି ହ୍ରାସ ବହୁ ପରିମାଣରେ କମିଥିଲା ଏବଂ ଦେଶବ୍ୟାପୀ ବର୍ଷା ହ୍ରାସ ପ୍ରାୟ ୧୪ ପ୍ରତିଶତକୁ ଖସି ଆସିଥିଲା।

ତଥାପି ଦେଶରେ ବୃଷ୍ଟିର ପରିମାଣ ସମାନ ରହି ନାହିଁ। ପଶ୍ଚିମ ଓ ପୂର୍ବ ଭାରତର ଅନେକ ଅଞ୍ଚଳରେ ଭଲ ବର୍ଷା ହୋଇଥିବା ବେଳେ, ମଧ୍ୟ ଭାରତର ଅନେକ ରାଜ୍ୟରେ ଏବେ ମଧ୍ୟ ଉଲ୍ଲେଖନୀୟ ବୃଷ୍ଟି ହୋଇ ନାହିଁ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଜୁଲାଇ ମାସର ଅବଶିଷ୍ଟ ସମୟରେ ବର୍ଷା ଦୀର୍ଘକାଳୀନ ହାର ଠାରୁ କମ୍ ରହିବ। ମାସିକ ବର୍ଷା ସାଧାରଣର ୯୪ ପ୍ରତିଶତରୁ ମଧ୍ୟ କମ୍ ରହିପାରେ।

ଅନ୍ୟପକ୍ଷରେ, ପ୍ରଶାନ୍ତ ମହାସାଗରର ଭୂମଧ୍ୟରେଖା ଅଞ୍ଚଳରେ ସୃଷ୍ଟି ହେଉଥିବା ଏଲ୍ ନିନୋ (El Niño) ଉପରେ ମଧ୍ୟ ପାଣିପାଗ ବିଶେଷଜ୍ଞମାନେ ନଜର ରଖିଛନ୍ତି। ଏଲ୍ ନିନୋ ବିଶ୍ୱ ପାଣିପାଗ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ମୌସୁମୀର ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଭାରତର ବର୍ଷାକୁ ଦୁର୍ବଳ କରିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଏହା ଉପରେ ନଜର ରଖିଛି। ତେବେ ଦେଶର ଅନେକ ଅଞ୍ଚଳରେ ପରବର୍ତ୍ତୀ ସକ୍ରିୟ ମୌସୁମୀ ପର୍ଯ୍ୟାୟ ଆସିବା ପର୍ଯ୍ୟନ୍ତ ସାଧାରଣଠାରୁ ଅଧିକ ଦିନର ତାପମାତ୍ରା ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ମୌସୁମୀ ବାୟୁ ଦେଶ ଛାଡ଼ି ଚାଲି ଯାଇ ନାହିଁ। ବରଂ ବର୍ତ୍ତମାନ ଏହା ଦୁର୍ବଳ ହୋଇଯାଇଛି। ଆସନ୍ତା ସପ୍ତାହଗୁଡ଼ିକରେ ପଶ୍ଚିମ ପ୍ରଶାନ୍ତର ପାଣିପାଗ ପ୍ରଣାଳୀ ଦୁର୍ବଳ ହେବା ସହ ଭାରତୀୟ ଉପମହାଦେଶରେ ମୌସୁମୀ ବାୟୁର ସ୍ୱାଭାବିକ ପ୍ରବାହ ପୁନଃ ସକ୍ରିୟ ହେଲେ ବର୍ଷା ପୁଣି ଜୋର ଧରିପାରେ ବୋଲି ବିଶେଷଜ୍ଞ କହିଛନ୍ତି।

Source link



Source link

Leave A Reply

Your email address will not be published.