ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ‘ମହାବିକାଶ ଅଘାଡ଼ି’ (ଏମଭିଏ) ପୁଣି ଲାଇନଚ୍ୟୁତ ହୋଇଥିବା ପରି ଲାଗୁଛି । ବିଧାନସଭା ମୌସୁମୀ ଅଧିବେଶନ ନିମନ୍ତେ ରଣନୀତି ନିର୍ଦ୍ଧାରଣ ପୂର୍ବରୁ ଆହ୍ୱାନ କରାଯାଇଥିବା ବୈଠକରେ ବିରୋଧୀ ମେଣ୍ଟର ୬୦ରୁ ୨୩ ଜଣ ବିଧାୟକ ଅନୁପସ୍ଥିତ ରହିଛନ୍ତି। ଶରଦ ପାୱାର, ଜୟନ୍ତ ପାଟିଲ ଓ ନାନା ପଟୋଲେଙ୍କ ଭଳି ବଡ଼ ନେତା ମଧ୍ୟ ଏହି ବୈଠକରେ ଯୋଗ ଦେଇ ନଥିଲେ। ତେବେ ବୈଠକରେ କଂଗ୍ରେସ ପ୍ରଦେଶ ସଭାପତି ହର୍ଷବର୍ଦ୍ଧନ ସପକାଲ ଓ ଠାକରେ ସେନାର ସଂକଟ ମୋଚକ ସଞ୍ଜୟ ରାଉତ ଉପସ୍ଥିତ ଥିଲେ।
ବହୁ ସଂଖ୍ୟାରେ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ନିଜ ଯନ୍ତ୍ରଣାକୁ ପ୍ରକାଶ କରିଛନ୍ତି ଉଦ୍ଧବ ଠାକରେ। ସହଯୋଗୀଙ୍କୁ ଆମେ କଣ ସତରେ ଏକଜୁଟ ଅଛେ ବୋଲି ପ୍ରଶ୍ନ କରିଛନ୍ତି। ଠାକରେ କହିଛନ୍ତି ଯେ ‘ଆମେ କହୁଛେ ଆମେ ଏକଜୁଟ..ହେଲେ ସତରେ କଣ ଆମେ ଏକାଠି ଅଛେ? ଆମେ କଣ ସଦନରେ ମହାବିକାଶ ଅଘାଡ଼ି ରୂପେ ଏଠାରେ ଏକତ୍ରୀତ ହୋଇଛେ?’ ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ ଉଦ୍ଧବ ଗୋଷ୍ଠୀର ୬ ସାଂସଦ ଦଳ ବଦଳାଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଯିବା ପରେ ଏବେ ବିଧାୟକ ଏଭଳି ସାମୂହିକ ବିତସ୍ପୃହ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
କୁହାଯାଉଛି ବିଚାରଗତ ବିରୋଧାଭାସ ଓ ରାଜନୈତିକ ଅବସରବାଦ ଉପରେ ଛିଡା ହୋଇଥିବା ମହାବିକାଶ ଅଘାଡ଼ି(ଏମଭିଏ)ର ଅନ୍ତ ପାଖେଇ ଆସୁଛି। ଗତ ୪ ବର୍ଷରେ ଦ୍ୱିତୀୟ ବାର ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀରେ ଯେବେ ସାମିଲ ହୋଇଗଲେ ଉଦ୍ଧବ ନିଜ ନେତା ଓ ମେଣ୍ଟର ଲୋକଙ୍କୁ ତା ଉପରେ ଧ୍ୟାନ କେନ୍ଦ୍ରିତ ନ କରିବାକୁ ଆଗ୍ରହ କରିଛନ୍ତି। କହିଛନ୍ତି ଯେ ’ଯେଉଁମାନେ ଚାଲିଗଲେ ସେମାନେ ଯାଆନ୍ତୁ’। ଆମେ ମହାବିକାଶ ଅଘାଡ଼ି ରୂପେ ଏବେବି ଏକ ବଡ଼ ଶକ୍ତି ହୋଇ ରହିଛେ।
ଠାକରେ ମେଣ୍ଟ ସଦସ୍ୟଙ୍କୁ ଏକଜୁଟ ହୋଇ କାମ କରିବାକୁ, ମିଳିତ ବୈଠକ କରିବାକୁ ଓ ପରାଜୟ ସତ୍ତ୍ୱେ ଏକତା ଦେଖାଇବାକୁ ରାଲି ଆୟୋଜନ ନିମନ୍ତେ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ସିନ୍ଦେଙ୍କ ପାର୍ଟିକୁ ଚାଲିଯିବା ପରେ ଏବେ କୌଣସି ଅନ୍ୟ ବିଦ୍ରୋହର ସୂଚନା ନାହିଁ। ତେବେ ଜୁନ ୨୦୨୨ରେ ମୂଳ ଶିବସେନାରେ ବିଦ୍ରୋହ ହୋଇଥିଲା। ଠିକେ ସେହିପରି ୨୦୨୩ରେ ଏନସିପିରେ ଘଟଣାର ପୁନରାବୃତ୍ତି ହୋଇଥିଲା।
