Voice of Eastern India

NALSAR ଛାତ୍ରଙ୍କ ମାମଲାରେ ବିସିଆଇ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; ଛାତ୍ରଙ୍କ କ୍ୟାରିୟରରେ ବାଧା ଦେବା ଅନୁଚିତ


ନୂଆଦିଲ୍ଲୀ: ହାଇଦ୍ରାବାଦର ନାଲସାର ୟୁନିଭର୍ସିଟିର ଆଇନ ଛାତ୍ରମାନଙ୍କୁ ବିରୋଧରେ ବାର କାଉନସିଲ ଅଫ୍ ଇଣ୍ଡିଆ(ବିସିଆଇ)ର କାର୍ଯ୍ୟାନୁଷ୍ଠାନ ନେଇ ଶୁକ୍ରବାର ଅଶନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଙ୍କ କ୍ୟାରିୟରେ ବାଧା ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦିଓ ମାମଲା କୋର୍ଟରେ ପହଞ୍ଚିବା ପୂର୍ବରୁ ବିସିଆଇ ନିଜର ପୂର୍ବ ଆଦେଶ ପ୍ରତ୍ୟାହାର କରିସାରିଥିଲା, ତଥାପି ଛାତ୍ରମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିବା ଉଦ୍ୟମକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ସିଜେଆଇଙ୍କୁ ମୁଖ୍ୟ ଅତିଥି କରିବାକୁ ଛାତ୍ରମାନେ ବିରୋଧ କରିଥିଲେ। ଦିଲ୍ଲୀ ଛାତ୍ର ଆନ୍ଦୋଳନ ସମ୍ପର୍କିତ ମାମଲାକୁ ନେଇ ଅସନ୍ତୋଷ ଥିବା ଆଇନ ଛାତ୍ର ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ନିଷ୍ପତ୍ତିର ପୂନଃ ବିଚାର କରିବାକୁ ଅନୁରୋଧ କରିଥିଲେ। ଏହାପରେ ବିସିଆଇ ଉକ୍ତ ଛାତ୍ରଙ୍କର ଆଇନଜୀବୀ ଭାବେ କୌଣସି ରାଜ୍ୟ ବାର କାଉନସିଲରେ ନାମ ପଞ୍ଜୀକରଣ ନ କରାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ। ପରେ ବିବାଦ ବଢ଼ିବା ପରେ ଯଦିଓ ବିସିଆଇ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛି ତଥାପି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।

ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

‘ବିସିଆଇର ହସ୍ତକ୍ଷେପ ସମ୍ପୂର୍ଣ୍ଣ ଅନାବଶ୍ୟକ’

ନାଲସାର ବିବାଦକୁ ନେଇ ସିଜେଆଇ ସୂର୍ଯ୍ୟ କାନ୍ତ ନିଜେ ମତ ରଖିଥିଲେ। ଛାତ୍ରମାନଙ୍କ ବିରୋଧ ତାଙ୍କ ବ୍ୟକ୍ତିଗତ ଭୂମିକାକୁ ନେଇ ଥିବାବେଳେ ବିସିଆଇ ଏଥିରେ କାହିଁକି ହସ୍ତକ୍ଷେପ କଲା ବୋଲି ସେ ପ୍ରଶ୍ନ କରିଥିଲେ। ଛାତ୍ରଙ୍କ ମତ ଭୁଲ୍ ହୋଇପାରେ, କିନ୍ତୁ ନିଜ ମତ ପ୍ରକାଶ କରିବା ଓ ପ୍ରତିବାଦ କରିବାର ଅଧିକାର ତାଙ୍କର ରହିଛି ବୋଲି ସିଜେଆଇ କହିଥିଲେ। ନିଜ ଛାତ୍ରଜୀବନରେ ସେ ମଧ୍ୟ ଛାତ୍ର କାର୍ଯ୍ୟକଳାପରେ ସକ୍ରିୟ ଥିବା କଥା ଉଲ୍ଲେଖ କରିଥିଲେ।

ସିଜେଆଇ କହିଥିଲେ, “ଛାତ୍ରମାନଙ୍କୁ କୁହନ୍ତୁ, ଯଥାଶୀଘ୍ର ଲାଇସେନ୍ସ ନିଅନ୍ତୁ। ସୁପ୍ରିମକୋର୍ଟ ବାର୍ରେ ଯୋଗ ଦିଅନ୍ତୁ। ଆମେ ସେମାନଙ୍କୁ ଲିଗାଲ୍ ଏଡ୍ ମାମଲା ପାଇଁ ଏମ୍ପାନେଲ୍ କରିବୁ ଏବଂ ସେମାନଙ୍କୁ ଲିଗାଲ୍ ଏଡ୍ କାମ କରିବାକୁ ଦେବୁ।”

ସେ ଆହୁରି କହିଥିଲେ ଯେ ଛାତ୍ରମାନଙ୍କ କ୍ୟାରିୟରରେ ଯେଉଁମାନେ ବାଧା ସୃଷ୍ଟି କରିଥିଲେ, ସେମାନଙ୍କ ପାଇଁ ଏହା ଏକ ଉଚିତ ଜବାବ ହେବ।

NALSAR ଓ ଛାତ୍ରମାନଙ୍କୁ ସୁରକ୍ଷା

ସୁପ୍ରିମକୋର୍ଟ ବିସିଆଇର ପୂର୍ବ ଆଦେଶ ପ୍ରତ୍ୟାହାରକୁ ନୋଟ୍ କରିଥିବା ସହ ମାମଲାରେ ଔପଚାରିକ ନୋଟିସ୍ ଜାରି କରିଛନ୍ତି। ଏଥିସହ ଭବିଷ୍ୟତରେ NALSAR, ଏହାର ଛାତ୍ର, ଶିକ୍ଷକ କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ ପଦକ୍ଷେପ ନନେବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି।

ଦେଶର ଅନ୍ୟ କୌଣସି ନ୍ୟାସନାଲ୍ ଲ କଲେଜ୍ ବିରୋଧରେ ଏଭଳି ପଦକ୍ଷେପ ନିଆଗଲେ ମଧ୍ୟ ସମାନ ସୁରକ୍ଷା ଲାଗୁ ହେବ ବୋଲି ଆଦେଶରେ କୁହାଯାଇଛି। ବିସିଆଇ କୋର୍ଟରେ ନୋଟିସ୍ ଗ୍ରହଣ କରିଥିବାବେଳେ ଦୁଇ ସପ୍ତାହ ମଧ୍ୟରେ କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ ପଡ଼ିବ।

ଏହି ମାମଲାରେ ଛାତ୍ରମାନଙ୍କ ପ୍ରତିବାଦର ଅଧିକାର, ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବିଷୟରେ ନିୟାମକ ସଂସ୍ଥାର ହସ୍ତକ୍ଷେପ ଏବଂ ଆଇନ ଛାତ୍ରଙ୍କ ଭବିଷ୍ୟତ କ୍ୟାରିୟର ଉପରେ ପ୍ରଭାବ ଭଳି ପ୍ରସଙ୍ଗ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

Source link



Source link

Leave A Reply

Your email address will not be published.