Voice of Eastern India

Nepal Flash Flood: ପ୍ରଳୟଙ୍କରୀ ବନ୍ୟାରେ ନେପାଳ ଛାରଖାର, ନିଖୋଜ ତାଲିକାରେ ୩ ଓଡ଼ିଆ


ବରଗଡ଼ ୨୮।୮: ନେପାଳରେ ଘଟିଥିବା ଭୟଙ୍କର ଜଳପ୍ରଳୟରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୭୨ ଛୁଇଁଛି । ୧୬ ଶହରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଯାହା ଭିତରେ ଅଛନ୍ତି ୨୯୦ରୁ ଅଧିକ ଭାରତୀୟ । ନିଖୋଜଙ୍କ ଭିତରେ ଅଛନ୍ତି ୩୦ ଦେଶର ନାରଗିକ । ଆମେରିକାର ୬୩ ଜଣ ଓ କାନାଡ଼ାର ୨୫ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନରୁ ମୃତଦେହ ମିଳିବାରେ ଲାଗିଛି । ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ତେବେ କିଛି ଓଡ଼ିଆ ମଧ୍ୟ ଏହି ଜଳ ପ୍ରଳୟରେ ନିଖୋଜ ଥିବା ସୂଚନା ରହିଛି । ପ୍ରଳୟଙ୍କରୀ ବନ୍ୟାରେ ବରଗଡ଼ରୁ ତିନି ଜଣ ନିଖୋଜ ଅଛନ୍ତି । ୩ ଜଣ ଗୋଟିଏ ପରିବାର ବୋଲି ସୂଚନା ଦେଲେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ । ବରଗଡ଼ ସରଲା ଜାମପାଲିର ଏହି ଦମ୍ପତି ନେପାଳରେ ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ । ନିଖୋଜ ତିନି ଜଣ ହେଉଛନ୍ତି ଗୁନମ ଜୟ କ୍ରିଷ୍ଣା, ଗୁନମ୍ ସାଇଁ ବିନ୍ଦୁ କୁମାରୀ, ଗୁନମ ହରେ କ୍ରିଷ୍ଣା । ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କୁ ସୂଚନା ଦେବା ସହିତ କିପରି ନେପାଳରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ।

ପ୍ରଳୟଙ୍କରୀ ବନ୍ୟାରେ ନେପାଳର ୪ ଜିଲ୍ଲା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଅନେକ ସହର, ଗାଁ, ଘର, ରାସ୍ତାଘାଟ ଓ ପୋଲ ଭାସିଯାଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ୧୩ ହଜାର ଯବାନ । ନିଖୋଜ ଲୋକମାନଙ୍କ ତଲାସୀ ଜାରି ରହିଛି । ନେପାଳ ସେନା, ପୋଲିସ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀର ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ, ଟେଣ୍ଟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପକାଯାଉଛି। ବିଭିନ୍ନ ସ୍ଥାନରୁ ପାଣି କାଦୁଅ ଭିତରୁ ମୃତଦେହ ବାହାରିବାରେ ଲାଗିଛି। ପାଣି କାଦୁଅ ଭିତରେ ସୁରକ୍ଷିତ ଥିବା ଜୀବନ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି ।

Also Read:- ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ଉପହାର, କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ବନ୍ୟା ଯୋଗୁ ଭିତ୍ତିଭୂମିକୁ ସର୍ବାଧିକ କ୍ଷତି ପହଞ୍ଚିଛି । ଏଥିରେ ୧୩ଟି ଜଳବିଦ୍ୟୁତ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଅନେକ ଅଞ୍ଚଳରେ ପରିବହନ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୪୦ କିଲୋମିଟରର ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ସରକାରୀ ତଥ୍ୟ ଅନୁସାରେ ୩୫ ବ୍ରିଜ୍ ଓ ୪୫ ସସ୍ପେନ୍ ସନ ବ୍ରିଜକୁ ବନ୍ୟାର ପ୍ରଖର ସ୍ରୋତ ଭସାଇ ନେଇଛି । ରାସ୍ତାଘାଟ ଓ ବ୍ରିଜ ଭାସିଯାଇଥିବାରୁ ଅନେକ ଅଞ୍ଚଳକୁ ଯାତାୟାତ ସମ୍ଭବ ହୋଇପାରି ନାହିଁ । ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇଛି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

Watch Video:

Source link



Source link

Leave A Reply

Your email address will not be published.