Voice of Eastern India

PoK ପାକିସ୍ତାନର ନୁହେଁ, ଭାରତରେ ମିଶିଯିବୁ ! ବିଶାଳ ସମାବେଶରେ ଶେହବାଜ ପ୍ରଶାସନକୁ ଲୋକଙ୍କ ଚ୍ୟାଲେଞ୍ଜ


ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର (PoK)ରେ ଚାଲିଥିବା ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ପ୍ରଦର୍ଶନକାରୀ ପାକିସ୍ତାନ ସରକାରଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି, “ଏହି ଅଞ୍ଚଳ ପାକିସ୍ତାନର ନୁହେଁ ।” ଆବଶ୍ୟକ ସ୍ଥଳେ ଏହି ପୂରା ଅଞ୍ଚଳ ଭାରତ ଆଡ଼କୁ ଢ଼ଳିବ । ପ୍ରଦର୍ଶନକାରୀଙ୍କ ମନୋବଳ ଭାଙ୍ଗିବା ପାଇଁ ପାକିସ୍ତାନ ସରକାର ସବୁ କଳ ବଳ ଲଗାଇଛି ।

ଏବିପି ରିପୋର୍ଟ ଅନୁସାରେ ନାଗରିକ ଅଧିକାର କର୍ମୀ ସର୍ଦ୍ଦାର ଅମାନ ଖାନଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଏହି ପ୍ରଦର୍ଶନ କରାଯାଇଛି । ପାକିସ୍ତାନୀ କର୍ତ୍ତୃପକ୍ଷ ଜରୁରି ଖାଦ୍ୟ ଯୋଗାଣ ଏବଂ ରାସନ ଉପରେ ଦୁଇ ସପ୍ତାହ ପାଇଁ ରୋକ ଲଗାଇବା ପରେ ଆନ୍ଦୋଳନ ଜୋର ଧରିଥିଲା, ଯାହା ଫଳରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ହଜାର ହଜାର ସମର୍ଥକଙ୍କୁ ସମ୍ବୋଧନ କରି ଅମାନ ଖାନ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । କହିଛନ୍ତି, “ପିଓକେ ପାକିସ୍ତାନର ଏକ ଅଂଶ ନୁହେଁ । ଆମକୁ ପାକିସ୍ତାନର ଆବଶ୍ୟକତା ନାହିଁ ବରଂ ପାକିସ୍ତାନକୁ ପିଓକେର ଆବଶ୍ୟକତା ଅଛି ।” ଖାନ କହିଥିଲେ ଯେ ଯଦି ବର୍ତ୍ତମାନର ପରିସ୍ଥିତି ଜାରି ରହେ, ତେବେ ଅଞ୍ଚଳବାସୀ ଭାରତ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବେ ।

ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ କରାଯାଇଥିବା ଏହି ଅଞ୍ଚଳରେ ଇସଲାମାବାଦର ଶାସନ ପ୍ରତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଥିବା ତୀବ୍ର ଅସନ୍ତୋଷକୁ ଏହି ସମାବେଶ ପୁଣି ଥରେ ସାମ୍ନାକୁ ଆଣିଛି।

ଏହି ରାଲିରେ ସୁଶାସନ, ଅର୍ଥନୈତିକ ବିକାଶ ଏବଂ ପ୍ରଶାସନିକ ନିୟନ୍ତ୍ରଣ ସହ ଜଡ଼ିତ ଦୀର୍ଘଦିନର ସମସ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହା ସହିତ ସ୍ଥାନୀୟ ପ୍ରଦର୍ଶନକାରୀ ଓ ନେତାମାନେ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନଙ୍କର ଅଧିକାର ପ୍ରଦାନ କରାନଯାଏ, ତେବେ ସେମାନଙ୍କର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ଭାରତ ଆଡ଼କୁ ବଦଳିପାରେ ।

ଉଲ୍ଲେଖଯୋଗ୍ୟ ଯେ ଇସଲାମାବାଦ ପ୍ରଶାସନର ଦମନ, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ପ୍ରଶାସନିକ ଅବହେଳାକୁ ବିରୋଧୀ କରି ଏହି ଆନ୍ଦୋଳନ ଚାଲିଛି । ତିନି ସପ୍ତାହରୁ ଅଧିକ ସମୟ ଧରି, ପ୍ରଦର୍ଶନକାରୀମାନେ ରାୱାଲାକୋଟ ପ୍ରତିବାଦ ସ୍ଥଳରେ ଧାରଣା ଦେଉଛନ୍ତି । ପାକିସ୍ତାନ ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଁ ସେମାନେ ଡକରା ଦେଉଛନ୍ତି ।

Source link



Source link

Leave A Reply

Your email address will not be published.