ନୂଆଦିଲ୍ଲୀ: ଭାରତ ସରକାର ଅଋଣାଚଳ ପ୍ରଦେଶର ସର୍ଭେ ଅଫ ଇଣ୍ଡିଆ ଅଧିକାରୀକ ମାନଚିତ୍ରକୁ ଅପଡେଟ୍ କରିଛନ୍ତି। ଏହି ନକ୍ସାରେ ଚୀନ୍ ସୀମା ସମ୍ପର୍କିତ ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ପାସ୍, ହ୍ରଦ, ବସ୍ତି ଓ ୧୯୬୨ ଭାରତ-ଚୀନ ଯୁଦ୍ଧ ସମ୍ପର୍କିତ ଏକ ସ୍ମାରକକୁ ସାମିଲ କରାଯାଇଛି। ଭାରତ ମାନଚିତ୍ରରେ ପରିବର୍ତ୍ତନ ଏପରି ସମୟରେ କରିଛି ଯେତେବେଳେ ଚୀନ୍ ଲଗାତାର ଅଋଣାଚଳ ପ୍ରଦେଶକୁ ଜଙ୍ଗନାନ ବା ଦକ୍ଷିଣ ତୀବ୍ବତ କହି ଅନେକ ସ୍ଥାନର ନାମ ବଦଳାଇବାକୁ ଉଦ୍ୟମ କରୁଛି।
ଅଋଣାଚଳପ୍ରଦେଶର ଅଧିକାରୀକ ସର୍ଭେ ଅଫ ଇଣ୍ଡିଆ ମ୍ୟାପ୍ କୁ ଅପଡେଟ୍ କରି ଚୀନ ସୀମା ସମ୍ପର୍କିତ ୨୭ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଭାରତୀୟ ନାମ ସହିତ ଚିହ୍ନିତ କରାଯାଇଛି। ଭାରତ ଦ୍ୱାରା ଅଋଣାଚଳ ପ୍ରଦେଶରେ ମ୍ୟାକମୋହନ ରେଖାକୁ ଲାଗି ରହିଥିବା କେତେକ ବିବାଦୀୟ ଓ ସମ୍ବେଦନଶୀଳ ସୀମାବର୍ତ୍ତି ଅଞ୍ଚଳକୁ ସର୍ଭେ ଅଫ ଇଣ୍ଡିଆ ନକ୍ସାରେ ସାମିଲ କରାଯିବା ଯୋଗୁ ଭାରତ-ଚୀନ୍ ସୀମାରେ କେତେକ ରଣନୈତିକ ଚାପ ବିନ୍ଦୁ ସାମ୍ନାକୁ ଆସିଛି। ଏଥିରେ ଏକ ଏପରି ପାହାଡିଆ ଅଞ୍ଚଳ ରହିଛି ଯେଉଁଠି ୧୯୬୨ ଯୁଦ୍ଧ ପୂର୍ବରୁ ଭାରତୀୟ ସେନାର ଏକ ଅଗ୍ରୀମ ପୋଷ୍ଟ ଥିଲା।
ଯେଉଁ ଯୁଦ୍ଧ ସ୍ମାରକକୁ ନକ୍ସାରେ ଭାରତୀୟ ନାମ ସହିତ ଚିହ୍ନଟ କରାଯାଇଛି ସେହି କ୍ଷେତ୍ର ରଣନୈତିକ ରୂପେ ବହୁତ ଖାସ୍। କାରଣ ୧୯୬୨ ମସିହା ଯୁଦ୍ଧ ପୂର୍ବରୁ ଭାରତ ଏଠାରେ ‘ମାଜା କ୍ୟାମ୍ପ’ ନାମରେ ଏକ ଅଗ୍ରୀମ ପୋଷ୍ଟ ସ୍ଥାପନା କରିଥିଲା। ତେବେ ଯୁଦ୍ଧ ପରେ ଏହାକୁ ଖାଲି କରିଦିଆଯାଇଥିଲା ଓ ଏହି କ୍ଷେତ୍ରଟି ବିବାଦୀୟ ହୋଇଯାଇଛି। ନବୀନତମ ରିପୋର୍ଟ ଅନୁସାରେ ଚୀନ୍ ସେନା ଏବେ ଏହି ପାହାଡିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରିଛି।
