ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କବାଡି ଖେଳାଳି ଶୀଲୁ ବଲହାରାଙ୍କ ୨୩ ବର୍ଷୀୟା ପତ୍ନୀ ମୁସ୍କାନ ଶୁକ୍ରବାର ଅପରାହ୍ନରେ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ରୋହତକର ମେହମ୍ ଅଞ୍ଚଳର ବାସିନ୍ଦା ମୁସ୍କାନ ୨୦୨୩ ମସିହା ଡିସେମ୍ବର ମାସରେ ଶୀଲୁଙ୍କୁ ବିବାହ କରିଥିଲେ। ଗତବର୍ଷ ନଭେମ୍ବର ମାସରେ ଏହି ଦମ୍ପତିଙ୍କର ଗୋଟିଏ ପୁତ୍ର ସନ୍ତାନ ‘ହାର୍ଦ୍ଦିକ’ ଜନ୍ମଗ୍ରହଣ କରିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସହିତ ଏକ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୁସ୍କାନ କେଉଁ କାରଣରୁ ଏପରି ଚରମ ନିଷ୍ପତ୍ତି ନେଲେ, ତାହାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଚରମ ନିଷ୍ପତ୍ତି ନେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ମୁସ୍କାନ ଏକ ପଞ୍ଜାବୀ ଗୀତରେ ସୋସିଆଲ ମିଡିଆରେ ରିଲ୍ ପୋଷ୍ଟ କରିଥିବା ଜଣାପଡ଼ିଛି।
ନିର୍ଯାତନା ସହି ନପାରି ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା
ଏହି ଘଟଣାର କିଛି ଦିନ ପୂର୍ବରୁ ଡେରାଡୁନରେ ମଧ୍ୟ ଜଣେ ସରକାରୀ ଶିକ୍ଷୟିତ୍ରୀ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ଶିକ୍ଷୟିତ୍ରୀ ସୃଷ୍ଟି କାନ୍ଧାରୀ ଗତବର୍ଷ ନଭେମ୍ବରରେ ସରକାରୀ କର୍ମଚାରୀ ସୌରଭ ରାତୁରୀଙ୍କୁ ବିବାହ କରିଥିଲେ। ସେମାନେ ଡେରାଡୁନ୍ ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଦୋଇୱାଲା ଅଞ୍ଚଳରେ ରହୁଥିଲେ। ପୋଲିସ ଏତଲାରେ ସୃଷ୍ଟିଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ଯୌତୁକ ପାଇଁ ତାଙ୍କ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଏପରିକି ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ “ଅଶୁଭ” ବୋଲି କହି କଟାକ୍ଷ କରୁଥିଲେ।
ଜୀବନ ହାରିବା ପୂର୍ବରୁ ସୃଷ୍ଟି ଏକ ୯୦ ସେକେଣ୍ଡର ଭିଡିଓ ରେକର୍ଡ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସେଥିରେ ସେ କାନ୍ଦି କାନ୍ଦି ନିଜ ମା’ଙ୍କୁ କହିଥିଲେ, ‘ସରି ମାଆ, ମୁଁ ଏମିତି ଚାଲିଯାଉଛି। ସବୁକିଛି ବହୁତ ବଦଳି ଯାଇଛି। ମୁଁ ଗତ ୬ ମାସ ହେବ ଏସବୁ ସହ୍ୟ କରିଆସୁଛି… ଆଉ ସହିପାରୁନି। ସେମାନଙ୍କର ଚିନ୍ତାଧାରା କେବେ ବଦଳିବ ନାହିଁ। ବାହାଘର ପରେ ଯାହା ବି ଖରାପ ହେଉଛି, ସେଥିପାଇଁ ମୋତେ ‘ମନ୍ହୁସ୍’ (ଅଶୁଭ) କହି ଦାୟୀ କରାଯାଉଛି।’
