ନୂଆଦିଲ୍ଲୀ/ସମ୍ବଲପୁର: ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି। ସମ୍ବଲପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ, ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର-କଟକ ଏନଏଚ-୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ୍ ସହ ସମ୍ବଲପୁରରେ ଫ୍ଲାଇଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଏବଂ ସହରାଞ୍ଚଳ ସହ ଯୋଡ଼ୁଥିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥ । ଏଠାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବୃଦ୍ଧି ପାଉଥିବାରୁ ବର୍ତ୍ତମାନର ୪-ଲେନ୍ ବିଶିଷ୍ଟ ରାଜପଥକୁ ୬-ଲେନ ସମ୍ପ୍ରସାରିତ କରିବା ସହ ଉଭୟ ପାର୍ଶ୍ୱରେ ଦୁଇ-ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହେବ ଏବଂ ଦୁର୍ଘଟଣା ହ୍ରାସ ପାଇବ ।
Also Read: ଖୁବ୍ ଶୀଘ୍ର ପୋଲିସ ଏସଆଇ ପରୀକ୍ଷା : ଆସନ୍ତା ସପ୍ତାହରେ ଆସିବ ବିଜ୍ଞପ୍ତି, ଶୀତ ଦିନେ ଫିଜିକାଲ୍ ଟେଷ୍ଟ୍
୪ଟି ଅଣ୍ଡରପାସ୍ ନିର୍ମାଣକୁ ମଞ୍ଜୁରୀ ଦିଆଯାଉ
ଦ୍ୱିତୀୟତଃ ଏନଏଚ-୫୫ର ଅନୁଗୋଳ-ସମ୍ବଲପୁର ସେକ୍ସନ ଖଣିଜ ଓ ବାଣିଜ୍ୟିକ ଯାନବାହନ ଚଳାଚଳ ହେତୁ ସ୍ଥାନୀୟ ଲୋକ ଓ ପଦଚାରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ସଡ଼କ ସୁରକ୍ଷାକୁ ଆଖିଆଗରେ ରଖି ପିଆଇୟୁ ସମ୍ବଲପୁର ଦ୍ୱାରା ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଏବଂ ଚାରମାଳ ଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।
‘ବ୍ଲାକ୍ ସ୍ପଟ୍’ ସ୍ଥାନରେ ହେଉ ଫ୍ଲାଏଓଭର
ଏହାବ୍ୟତୀତ ଏନଏଚ- ୫୩ ସ୍ଥିତ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ପ୍ରତିଦିନ ଅନେକ ସଂଖ୍ୟକ ରେଳ ଯାତ୍ରୀ ଜାତୀୟ ରାଜପଥ ପାର ହେଉଛନ୍ତି, ଯାହାକି ଗମନାଗମନରେ ସମସ୍ୟା ସୃଷ୍ଟି କରିବା ସହ ଏହାକୁ ଏକ ସମ୍ଭାବ୍ୟ ‘ବ୍ଲାକ୍ ସ୍ପଟ୍’ ଭାବେ ଚିହ୍ନଟ କରାଯାଇଛି । ଏହି ସ୍ଥାନରେ ଲୋକଙ୍କ ନିରାପଦ ଯାତାୟାତ ପାଇଁ ଏକ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବକୁ ଶୀଘ୍ର ମଞ୍ଜୁରୀ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
Also Read: ଜ୍ଞାନେଶଙ୍କ ବିରୋଧରେ ଆନ୍ଦୋଳନକୁ ବିଜେଡିର ସମର୍ଥନ, ନବୀନଙ୍କ ନିଷ୍ପତ୍ତିକୁ ନେଇ ରବି ଦାସଙ୍କ ବଡ଼ ବୟାନ
ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ଏନଏଚଏଆଇର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରାଗଲେ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶ ଆହୁରି ଦ୍ରୁତଗାମୀ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକାଶ କରିଛନ୍ତି।
