ଭୁବନେଶ୍ୱର: ରାଜ୍ୟରେ ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର। ନଭେମ୍ବର ୧ ତାରିଖରୁ ଗୋଟିଏ ଦିନରେ ପ୍ରାୟ ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ (RC) ବାତିଲ୍ ହୋଇଛି । ବୈଧ ବୀମା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଏବଂ ଫିଟନେସ୍ ସାର୍ଟିଫିକେଟ୍ ନଥିବାରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନର ପ୍ରଭାବ ଉଭୟ ବାଣିଜ୍ୟିକ ଓ ଘରୋଇ ଗାଡ଼ି ଉପରେ ପଡ଼ିଛି । ଏହାସହ ଆଗକୁ ଆହୁରି ପ୍ରାୟ ୨୫ ଲକ୍ଷ ଗାଡ଼ିର RC ବାତିଲ୍ ହେବାର ଆଶଙ୍କା ରହିଛି।
ସୂଚନା ଅନୁଯାୟୀ, ଦୁଇ ବର୍ଷରୁ ଅଧିକ ସମୟ ଧରି ଗାଡ଼ିର ବୀମା ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ନବୀକରଣ କରାଯାଇନଥିଲେ ସେହି ଗାଡ଼ିର ପଞ୍ଜୀକରଣ ବାତିଲ୍ କରାଯାଉଛି। ଏଥିପାଇଁ ଇ- ଡିଟେକ୍ସନ୍ (e-Detection) ବ୍ୟବସ୍ଥା ମାଧ୍ୟମରେ ନିୟମ ଉଲ୍ଲଂଘନକାରୀ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଉଛି। RC ବାତିଲ୍ ହେବା ପରେ ମଧ୍ୟ ଯଦି କୌଣସି ଗାଡ଼ି ରାସ୍ତାରେ ଚଳାଚଳ କରେ, ତେବେ ତାହାକୁ ଜବତ କରାଯାଇପାରେ ।
Also Read: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ’, ଅନେକ ସ୍କୁଲ୍ରେ ଏବେ ବି ଝୁଲୁଛି ତାଲା …
ଅନ୍ୟପଟେ, ହଠାତ୍ ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗାଡ଼ି ମାଲିକମାନେ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଗାଡ଼ିର ବୀମା, PUC ଓ ଫିଟ୍ନେସ୍ ସମେତ ସମସ୍ତ କାଗଜପତ୍ର ଠିକ୍ କରିବା ପାଇଁ ଲୋକଙ୍କୁ ଅତିକମ୍ରେ ୬ ମାସ ସମୟ ଦେବାକୁ ଦାବି ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଆଗକୁ ଆହୁରି ୨୫ ଲକ୍ଷ ଗାଡ଼ିର RC ବାତିଲ୍ ହେବା ପୂର୍ବରୁ ଗାଡ଼ି ମାଲିକଙ୍କୁ କାଗଜପତ୍ର ଅପଡେଟ୍ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିବ କି ?
