ଭୁବନେଶ୍ୱର ୨୯।୦୭ : ଚିନ୍ତା ବଢାଉଛି ବୈତରଣୀ । ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ । ଆନନ୍ଦପୁରରେ ୩୮.୩୬ ମିଟର ବିପଦ ସଂକେତ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୯.୪୮ ମିଟର ରହିଛି |
ସେହିପରି ଆଖୁଆପଦାରେ ୧୮.୨୨ ମିଟର ବିପଦ ସଂକେତ ରହିଥିବାବେଳେ ୨୦.୩୫ ମିଟର ଜଳସ୍ତର ରହିଛି | ହେଲେ ସବୁଠାରୁ ଚିନ୍ତାର ବିଷୟ ହେଉଛି କି, ଏଠାରେ ଜଲସ୍ତର କ୍ରମଶଃ ବଢ଼ିବାରେ ଲାଗିଛି ।ଅନ୍ୟପଟେ ସୁବର୍ଣ୍ଣରେଖା ରାଜଘାଟରେ ୧୦.୩୬ ବିପଦ ସଂକେତ ରହିଥିବାବେଳେ ଏବେ ଜଳସ୍ତର ୭.୦୨ ମିଟର ରହିଛି | ଏଠାରେ ଜଳସ୍ତର ଉପରମୁହାଁ ରହିଛି । କ୍ରମଶଃ ଏଠାରେ ମଧ୍ୟ ଜଲସ୍ତର ବଢୁଛି | ବୁଢାବଳଙ୍ଗଠାରେ ବିପଦ ସଂକେତ ୮.୧୩ ଥିବାବେଳେ ବର୍ତ୍ତମାନ ଜଲସ୍ତର ୮.୧୬ ମିଟର ରହିଛି ।
ସୂଚନାଯୋଗ୍ୟ ଯେ, ଲଗାଣ ବର୍ଷା ଲାଗି ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଦେଖାଦେଇଛି । ଖାସ୍ କରି ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ଯାଜପୁର ଆଦି ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି । ବିଭିନ୍ନ ନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନେକ ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି ।
