ବାଲେଶ୍ୱର: ଜୀବନର ମଧ୍ୟାହ୍ନରେ ହେଇଗଲା ସୂର୍ଯ୍ୟାସ୍ତ। ଏକ ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରମେୟ ନ୍ୟୁଜ୍-୭ ବାଲେଶ୍ୱର କାର୍ଯ୍ୟାଳୟର ନିଷ୍ଠାପର କର୍ମଚାରୀ ପ୍ରଦୀପ କୁମାର ପ୍ରଧାନଙ୍କ ଜୀବନ। ସୂଚନା ଅନୁସାରେ, ନିଜର ପ୍ରତିଦିନର ଡ୍ୟୁଟି ସାରି ଘରକୁ ଫେରୁଥିଲେ ପ୍ରଦୀପ। ବାଲେଶ୍ୱର ଆଇ.ଟି.ଆଇ. (ITI) ଛକ ନିକଟରେ ଟ୍ରାଫିକ୍ ସିଗ୍ନାଲ୍ ରେଡ୍ ଥିବାରୁ ସେ ନିଜ ଗାଡ଼ି ସହ ଅପେକ୍ଷା କରିଥିଲେ। ହେଲେ ନିୟତିର ବିଚାର ଥିଲା ସମ୍ପୂର୍ଣ୍ଣ ଅଲଗା। ପଛପଟୁ ଏକ ଦ୍ରୁତଗାମୀ ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ପ୍ରଦୀପ ଗୁରୁତର ଆହତ ହୋଇପଡ଼ିଥିଲେ।
ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ଶେଷଥର ପାଇଁ ନିଜ ସ୍ତ୍ରୀଙ୍କ ସହ କଥା ହୋଇଥିଲେ ପ୍ରଦୀପ। “ଦୁର୍ଘଟଣା ହୋଇଯାଇଛି, ଶରୀରରେ ଅସହ୍ୟ ଯନ୍ତ୍ରଣା ହେଉଛି…” — ସ୍ତ୍ରୀଙ୍କୁ ଫୋନରେ କହିଥିବା ଏହି ଶେଷ ପଦକ କଥା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଉଛି।
ଖବର ପାଇ ତାଙ୍କର ସହକର୍ମୀମାନେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ରେଫର୍ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଭୁବନେଶ୍ୱର ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରଦୀପ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ମାତ୍ର ଦୁଇ ବର୍ଷ ତଳେ ବାପା ଆଉ କିଛି ମାସ ପୂର୍ବରୁ ମା’ଙ୍କୁ ହରାଇ ସେ ସମ୍ପୂର୍ଣ୍ଣ ଏକା ହୋଇପଡ଼ିଥିଲେ। ଏବେ ତାଙ୍କର ମାତ୍ର ଦୁଇ ମାସର କୋମଳମତି ପୁଅ ଏବଂ ସ୍ତ୍ରୀ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। କିନ୍ତୁ ପ୍ରଦୀପ ଆଉ କେବେ ଫେରିବେନି, ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି।ତାଙ୍କର ଏହି ଅକାଳ ବିୟୋଗରେ ବାଲେଶ୍ୱର ପ୍ରମେୟ ନିୟୁଜ୍-୭ କାର୍ଯ୍ୟାଳୟ ସମେତ ସମଗ୍ର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।
