Voice of Eastern India

ଦେଶରେ ବନ୍ଦ ହେବକି ଫ୍ରି UPI ସର୍ଭିସ୍? ଜାଣନ୍ତୁ ମର୍ଚାଣ୍ଟ ଚାର୍ଜେସ୍ ର ସତ୍ୟତା ଓ ନିୟମ


  • ଜାନୁୟାରୀ ୨୦୨୦ରେ ଭାରତ ସରକାର ୟୁପିଆଇ ଓ ଋପେ ଡେବିଟ କାର୍ଡକୁ ଏମଡିଆର ମୁକ୍ତ କରିଥିଲେ
  • ସରକାରଙ୍କ ଏହି ନିଷ୍ପତ୍ତି କାମ କରିଯାଇଥିଲା ଓ ଦେଶରେ ୟୁପିଆଇର ଉପଯୋଗ ରେକର୍ଡ ସ୍ତରକୁ ପହଞ୍ଚିଥିଲା
  • ବୁଝି ରଖନ୍ତୁ ଏମଡିଆର କେବେବି ଗ୍ରାହକଙ୍କୁ ଠୁ ନିଆଯାଏନି । ଏହା କେବଳ ବ୍ୟବସାୟୀ ଓ ପେମେଣ୍ଟ କମ୍ପାନୀ ମଧ୍ୟରେ ବ୍ୟବସ୍ଥା।

ନୂଆଦିଲ୍ଲୀ: ଯଦି ଆପଣ ସବୁଦିନ ଚା, ପନିପରିବା, ରେସନ ସାମଗ୍ରୀ, କ୍ୟାବ୍ ଓ ଅନଲାଇନ ସପିଙ୍ଗ ଲାଗି ୟୁପିଆଇ ଉପଯୋଗ କରୁଛନ୍ତି ତେବେ ଗତ କିଛିଦିନ ହେଲା ଭାବୁଥିବେ ଏବେ ୟୁପିଆଇ ଉପରେ ପଇସା ଲାଗିବ କି?ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଥା ଘୁରି ବୁଲୁଛି, ରାଜନୈତିକ ଅଳିନ୍ଦରେ ମଧ୍ୟ ଏହାକୁ ନେଇ ଏବେ ଚର୍ଚ୍ଚା। ଏଥି ମଧ୍ୟରେ ପେମଣ୍ଟସ କାଉନସିଲ ଅଫ ଇଣ୍ଡିଆ (ପିସିଆଇ) ସଫେଇ ଜାରି କରିଛନ୍ତି ଓ ଏ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ମଧ୍ୟ ଦୂର କରିଛନ୍ତି।

ସର୍ବ ପ୍ରଥମେ ସିଧା ଜବାବ

ପିସିଆଇଙ୍କ କହିବା କଥା ହେଉଛି ସାଧାରଣ ଗ୍ରାହକଙ୍କଠୁ ୟୁପିଆଇ ଉପଯୋଗ ପାଇଁ ଏବେ କୌଣସି ଚାର୍ଜେସ୍ ନିଆଯିବ ନାହିଁ। ସେହିପରି ଛୋଟମୋଟ ବ୍ୟବସାୟୀଙ୍କ ଠାରୁ ମଧ୍ୟ ଏ ବାବଦେ କୌଣସି ଅସୁଲ ହେବ ନାହିଁ। ଅର୍ଥାତ ଆପଣଙ୍କ ଦୈନନ୍ଦିନ ନେଣଦେଣରେ କିଛି ବି ବଦଳୁ ନାହିଁ। ହେଲେ ପିସିଆଇ ଆଉ ଗୋଟିଏ କଥା କହିଛନ୍ତି। ସେ କହିଛନ୍ତି ଯେ ୟୁପିଆଇ ଭଳି ଏକ ବିଶାଳ ନେଟୱାର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଳାଇ ରଖିବାକୁ ଏହାର ଆର୍ଥିକ ମଡେଲ ଉପରେ କଥାବାର୍ତ୍ତା ଜରୁରି। ଏହି ଠାରେ ହିଁ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର)ର ଉଲ୍ଲେଖ ହେଉଛି ଓ ଲୋକେ ଏହାକୁ ଚାର୍ଜ ଲାଗିବାର ଖବର ବୋଲି ଭାବି ନେଇଛନ୍ତି।

ପ୍ରଥମେ ବୁଝନ୍ତୁ ଏମଡିଆର କ’ଣ?

ଏମଡିଆର ଅର୍ଥାତ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ଏହା ସେହି ଶୁଳ୍କ ଯାହାକୁ ଅନେକ ଦୋକାନୀ ଓ ବ୍ୟବସାୟୀ ଡିଜିଟାଲ ପୈଠ ସ୍ୱୀକାର କରିବା ବଦଳେ ପେମେଣ୍ଟ କମ୍ପାନୀଙ୍କୁ ଦେଉଛନ୍ତି। ଏହାକୁ ଏପରି ବୁଝାଯାଇ ପାରେ। ଭାବନ୍ତୁ କୌଣସି ଦୋକାନରୁ ଆପଣ ୧୦୦ ଟଙ୍କାର ସାମଗ୍ରୀ ଡେବିଟ୍ କାର୍ଡ ଅଥବା ୟୁପିଆଇ ମାଧ୍ୟମରେ କିଣିଲେ। ଏହା ଉପରେ ଯଦି ୧% ଏମଡିଆର ଲାଗୁ ହୁଏ ତେବେ ଦୋକାନୀଙ୍କ ଖାତାକୁ ୧୦୦ ଟଙ୍କା ନୁହେଁ ୯୯ ଟଙ୍କା ପୈଠ ହୁଏ। ୧ ଟଙ୍କା ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀ ଓ ବ୍ୟାଙ୍କ ପ୍ରାପ୍ତ କରନ୍ତି। ତେବେ ଧ୍ୟାନ ରଖନ୍ତୁ ଏହି ପଇସା ଗ୍ରାହକ ଦେଇ ନଥାନ୍ତି ବ୍ୟବସାୟୀଙ୍କ ଆୟରୁ କଟିଥାଏ। ଡେବିଟ୍ ଓ କ୍ରେଡିଟ କାର୍ଡରେ ଏବେବି ଏମଡିଆର ଲାଗୁ ହେଉଛି, ହେଲେ ୟୁପିଆଇ ପାଇଁ ଲାଗୁ ହେଉ ନାହିଁ। ଏହା ହିଁ ବାସ୍ତବିକ ପ୍ରସଙ୍ଗ।

ୟୁପିଆଇରେ କାହିଁକି ଲାଗୁନି ଏମଡିଆର?

ଜାନୁୟାରୀ ୨୦୨୦ରେ ଭାରତ ସରକାର ୟୁପିଆଇ ଓ ଋପେ ଡେବିଟ କାର୍ଡକୁ ଏମଡିଆର ମୁକ୍ତ କରିଥିଲେ। ଉଦ୍ଦେଶ୍ୟ ଥିଲା ଡିଜିଟାଲ ପୈଠ ଦେଶର କୋଣାନୁକୋଣକୁ ପହଞ୍ଚୁ ଓ ଛୋଟମୋଟ ବ୍ୟବସାୟୀ ଦୋକାନୀ ମଧ୍ୟ ବିନା କୌଣସି ଭୟରେ ଏହାକୁ ଆପଣାନ୍ତୁ। ସରକାରଙ୍କ ଏହି ନିଷ୍ପତ୍ତି କାମ କରିଯାଇଥିଲା ଓ ଦେଶରେ ୟୁପିଆଇର ଉପଯୋଗ ରେକର୍ଡ ସ୍ତରକୁ ପହଞ୍ଚିଥିଲା। ଆଜି ସବୁ ମାସରେ ବିପୁଳ ଟ୍ରାଞ୍ଜାକ୍ସନ ଏହି ନେଟୱାର୍କରେ ହେଉଛି।

ତେବେ କାହିଁକି ଆରମ୍ଭ ହେଲା ବିତର୍କ?

ଯୁପିଆଇ ଏବେ ଆପଣଙ୍କ ମୋବାଇଲରେ କେବଳ ଏକ ଆପ୍ ହୋଇ ନାହିଁ, ଏହା ଦେଶର ଡିଜିଟାଲ ଆର୍ଥିକ ମେରୁଦଣ୍ଡ ପାଲଟି ଯାଇଛି। ଏହାର ଉପଯୋଗ ଯେତେମାତ୍ରାରେ ବଢିଲା ଏହାକୁ ଚଳାଇବା ଖର୍ଚ୍ଚ ମଧ୍ୟ ବଢିଚାଲିଲା। ଏହି ଖର୍ଚ୍ଚରେ ହାଇଟେକ୍ ସର୍ଭର, ନେଟୱାର୍କ, ସାଇବର ସୁରକ୍ଷା, ଫ୍ରଡ ଧରିବା ଟେକନିକ୍, ନୂଆ ଫିଚର ଡେଭଲପମେଣ୍ଟ, ଗ୍ରାହକ ସହାୟତା ଓ ନିୟମ ପାଳନ ଲାଗି ହେଉଥିବା ଖର୍ଚ୍ଚ ଆଦି ସାମିଲ ରହିଛି। ଏହା ଚବିସ ଘଣ୍ଟା ଚାଲି ରହୁଛି ଓ ଏଥି ପାଇଁ ଲଗାତାର ପଇସା ବ୍ୟୟ ହେଉଛି। ପିସିଆଇଙ୍କ ଅନୁସାରେ ଏବେ ଏହି ପୁରା ଖର୍ଚ୍ଚ ବ୍ୟାଙ୍କ, ଏନପିସିଆଇ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଓ ଫିନଟେକ୍ କମ୍ପାନୀମାନେ ମିଳିତ ବହନ କରୁଛନ୍ତି। ଇଣ୍ଡଷ୍ଟ୍ରିର ଏକ ଅଂଶ ଦୀର୍ଘ ସମୟରୁ କହି ଆସୁଛନ୍ତି ଯେ ବିନା କୌଣସି ଆମଦାନୀରେ ମଡେଲର ଏତେବଡ଼ ସିଷ୍ଟମକୁ ଚଳାଇ ରଖିବା କଷ୍ଟକର ହେବାରେ ଲାଗିଛି। ଏହି କାରଣରୁ ଏମଡିଆର ଚର୍ଚ୍ଚା ଏବେ ଜୋର ଧରିଛି।

ଏଥିପାଇଁ କ’ଣ ଗ୍ରାହକଙ୍କୁ ଚାର୍ଜ ଲାଗିବ?

ପିସିଆଇଙ୍କ କହିବା କଥା ହେଉଛି ୨୦୧୬ ମସିହାରେ ଦେଶରେ ୟୁପିଆଇ ଆରମ୍ଭ ହେବା ପରେ ଏହି ସେବା ଗ୍ରାହକଙ୍କ ଲାଗି ନିଃଶୁଳ୍କ ରହିଛି ଓ ଏବେବି ଏଥିରେ କୌଣସି ପରିବର୍ତ୍ତନ କରାଯାଇନି। ଆପଣ କାହାକୁ ପଇସା ପଠାନ୍ତୁ ଅଥବା କ୍ୟୁଆର କୋଡ ସ୍କାନ କରି ପୈଠ କରନ୍ତୁ ଆପଣଙ୍କୁ ପୃଥକ କୌଣସି ଟ୍ରାଞ୍ଜାକ୍ସନ ଫି ଦେବାକୁ ପଡୁ ନାହିଁ ଓ ଏହା ବି ବୁଝି ରଖନ୍ତୁ ଏମଡିଆର କେବେବି ଗ୍ରାହକଙ୍କୁ ଠୁ ନିଆଯାଏନି । ଏହା କେବଳ ବ୍ୟବସାୟୀ ଓ ପେମେଣ୍ଟ କମ୍ପାନୀ ମଧ୍ୟରେ ବ୍ୟବସ୍ଥା।

ଛୋଟ ଦୋକାନୀଙ୍କ କ’ଣ ହେବ?

ପିସିଆଇ ସ୍ପଷ୍ଟ ଭାବେ କହିଛନ୍ତି ଛୋଟ ଦୋକାନୀ ଓ କିରାନା ଷ୍ଟୋର ୟୁପିଆଇ ସ୍ୱୀକାର କଲେ କୌଣସି ଏମଡିଆର ନିଆଯାଏ ନାହିଁ। ଏହି ବ୍ୟବସ୍ଥା ଆଗକୁ ମଧ୍ୟ ଜାରି ରହିବ। ଆରମ୍ଭରୁ ସରକାରଙ୍କ ନୀତି ଛୋଟ ବ୍ୟବସାୟୀ ବିନା କୌଣସି ବ୍ୟୟରେ ଡିଜିଟାଲ ନେଣଦେଣ ସହ ସମ୍ପୃକ୍ତ ହୁଅନ୍ତୁ।

ତେବେ ଆଗକୁ କ’ଣ ହେବ?

ତେବେ ପିସିଆଇ ସମ୍ଭାବନାକୁ ଅସ୍ୱୀକାର କରି ନାହାନ୍ତି। ତାଙ୍କ କହିବା କଥା ହେଉଛି ଭବିଷ୍ୟତରେ ଯଦି ବଡ଼ ବ୍ୟବସାୟୀ ଓ ପେମେଣ୍ଟ କମ୍ପାନୀଙ୍କ ମଧ୍ୟରେ କୌଣସି ମର୍ଚାଣ୍ଟ ସର୍ଭିସ ଚାର୍ଜ ନିର୍ଦ୍ଧାରିତ ହୁଏ ତେବେ ଏହାର ଅର୍ଥ ନୁହେଁ ଗ୍ରାହକଙ୍କଠୁ ୟୁପିଆଇ ପଇସା ନିଆଯିବ। ଅର୍ଥାତ ବିତର୍କର କେନ୍ଦ୍ର ଗଳିକନ୍ଦିର ଦୋକାନ ଅଥବା ସାଧାରଣ ଜନତା ନୁହନ୍ତି ବରଂ ବଡ଼ କମ୍ପାନୀ ଓ ବଡ଼ ବଡ଼ ବ୍ୟବସାୟୀ।

ତେବେ ପିସିଆଇଙ୍କ ସଫେଇରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ସାଧାରଣ ଲୋକଙ୍କୁ ଏବେ କୌଣସି ଅତିରିକ୍ତ ପଇସା ଦେବାକୁ ପଡିବ ନାହିଁ। ତେବେ ଏତେବଡ଼ ନେଟୱାର୍କର ଖର୍ଚ୍ଚ କିଏ ବହନ କରିବ ଏହା ଆଗକୁ ମଧ୍ୟ ପ୍ରଶ୍ନ ହୋଇ ରହିବ। ତେବେ ଆଗାମୀ ସମୟରେ ସରକାର ବ୍ୟାଙ୍କିଙ୍ଗ ସେକ୍ଟର ଓ ଫିନଟେକ୍ କମ୍ପାନୀଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ହୋଇ ରହିବ।

Source link



Source link

Leave A Reply

Your email address will not be published.