ପରଲୋକରେ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ଶୋକ ପ୍ରକାଶ କଲେ ସୋଆ ପ୍ରତିଷ୍ଠାତା-ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ
ଭୁବନେଶ୍ବର: ପରଲୋକରେ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର । ସୋମବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଡା. ମହାପାତ୍ର ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସହ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳିଯାଇଛି। ଜଣେ ବିଶିଷ୍ଟ ଚିକିତ୍ସକଙ୍କୁ ହରାଇ ଦେଶର ଚିକିତ୍ସା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି।
ସେପଟେ ଡା. ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ‘ ତାଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଚିକିତ୍ସା ବିଜ୍ଞାନ ଜଗତର ଥିଲେ ଅଗ୍ରଣୀ ବ୍ୟକ୍ତିତ୍ବ । ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଦେଇଥିଲେ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ।
ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଦେଶର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଚିକିତ୍ସା ବିଜ୍ଞାନ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ଭାବରେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ଅବିସ୍ମରଣୀୟ ରହିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।
— Mohan Charan Majhi (@MohanMOdisha) November 2, 2026
ସେହିଭଳି ସୋଆ ପ୍ରତିଷ୍ଠାତା-ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ, ଡାକ୍ତର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ‘‘ ଚିକିତ୍ସା କ୍ଷେତ୍ରରେ ଡାକ୍ତର ମହାପାତ୍ରଙ୍କୁ ମନେ ରଖିବ ଓଡ଼ିଶା। କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଏମ୍ସରେ ପ୍ରତିଷ୍ଠିତ ଡାକ୍ତର ଥିଲେ। ନ୍ୟୁରୋ ସର୍ଜନ ହିସାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଦୀର୍ଘ ଦିନ ଧରି ସୋଆ ସହ ଜଡ଼ିତ ଥିଲେ ଡାକ୍ତର ମହାପାତ୍ର । ଶେଷ ସମୟ ପର୍ଯ୍ୟନ୍ତ ରୋଗୀଙ୍କ ସେବାରେ ଥିଲେ ।’’
ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡା. ଅଶୋକ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଖ୍ୟାତନାମା ବିଶିଷ୍ଟ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବହୁ ବିରଳ ସଫଳ ଅସ୍ତ୍ରୋପଚାର ସହ ଚିକିତ୍ସା ବିଜ୍ଞାନରେ ସେ ନିଜର ଅଭୁଲା ଛାପ ଛାଡ଼ି ଯାଇଛନ୍ତି। ଓଡ଼ିଶାରେ ଏମ୍ସ ପ୍ରତିଷ୍ଠା ହେଉ କି ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା, ସେ ସବୁବେଳେ ସ୍ମରଣୀୟ ରହିବେ। ଏହା ସମଗ୍ର ଓଡ଼ିଶା ତଥା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) November 2, 2026
ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଖବର ମୋତେ ଗଭୀର ଭାବେ ମର୍ମାହତ କରିଛି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ଜ୍ଞାନ, ଦକ୍ଷତା ଓ ନିଷ୍ଠାପର ସେବା ଅସଂଖ୍ୟ ଜୀବନକୁ ନୂଆ ଆଶା ଦେଇଥିଲା। ନ୍ୟୁରୋସର୍ଜରୀ, ଚିକିତ୍ସା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ଆଗାମୀ ପିଢ଼ିର ଚିକିତ୍ସକମାନଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ଓଁ ଶାନ୍ତି
— Dr. Mukesh Mahaling (@MahalingMukesh) November 2, 2026
ବିଶ୍ୱବିଖ୍ୟାତ ସ୍ନାୟୁଶଲ୍ୟ ଚିକିତ୍ସକ, ‘ପଦ୍ମଶ୍ରୀ’ ଡାକ୍ତର ଅଶୋକ ମହାପାତ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କର ପରଲୋକ ଓଡ଼ିଶା ସମେତ ସମଗ୍ର ଦେଶର ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଡାକ୍ତର ଅଶୋକ ମହାପାତ୍ରଙ୍କର ସେବାମୟ ଜୀବନ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।
— Pravati Parida (@PravatiPOdisha) November 2, 2026


