ରାମ ମନ୍ଦିର ଦାନ ଚୋରି ଅର୍ଥ ଲାଗୁଥିଲା ସେୟାର ମାର୍କେଟରେ, ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁଥିଲେ ଅଭିଯୁକ୍ତ
ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ପରିସର ମନ୍ଦିରମାନଙ୍କରୁ ଦାନ ଚୋରାଉଥିବା ଅଭିଯୁକ୍ତଙ୍କ ସ୍ୱପ୍ନ ଛୋଟ ନଥିଲା। ଜିଲ୍ଲା ଜେଲରେ ବନ୍ଦୀ ରାମ ମନ୍ଦିର ଦାନ ଚୋରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରୁଛି ପୋଲିସ। ଏମାନଙ୍କ ମଧ୍ୟରୁ ୩ ଅଭିଯୁକ୍ତ ଅନୁକଳ୍ପ, ଲବକୁଶ ଓ କଋଣେଶଙ୍କ ପୋଲିସ ରିମାଣ୍ଡ ଗୁରୁବାର ରାତି ୧୦ଟାରେ ଶେଷ ହେବ। ତେବେ ଏହା ପୂର୍ବରୁ ହୋଇଥିବା ପଚରା ଉଚରାରେ ଅଭିଯୁକ୍ତମାନେ ସେୟାର ମାର୍କେଟରେ ମଧ୍ୟ ପଇସା ଲଗାଉଥିବାର ପୋଲିସକୁ କହିଛନ୍ତି। ସେମାନଙ୍କ ଉପରେ ଯେପରି କାହାର ସନ୍ଦେହ ନ ହୁଏ ସେଥି ପାଇଁ ସମ୍ପର୍କୀୟ ଓ ପରିଚିତଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରି ସେୟାର କିଣୁଥିଲେ।
ସେମାନଙ୍କ ସ୍ୱୀକାରୋକ୍ତି ଅନୁସାରେ ପୋଲିସ ସେମାନଙ୍କ ୩୦ ଜଣ ସମ୍ପର୍କୀୟଙ୍କ ଆକାଉଣ୍ଟ ଫ୍ରିଜ କରିଛି। ଏହି ସବୁ ଆକାଉଣ୍ଟରେ ଆୟରୁ ଅଧିକ ସନ୍ଦିଗ୍ଧ ନେଣଦେଣ ସୂଚନା ମିଳିଛି। ଅନୁକଳ୍ପ, ଲବକୁଶ ଓ କଋଣେଶଙ୍କୁ ପୋଲିସ ପ୍ରଥମେ ଲବକୁଶଙ୍କ ଘରକୁ ନେଇ ଯାଇଥିଲା। ଏହା ପରେ ସେମାନଙ୍କ ସୂଚନା ଅନୁସାରେ ପୋଲିସ ଅଯୋଧ୍ୟାର ବିଭିନ୍ନ ସ୍ଥାନ ବୁଲେଇଥିଲା। ୩ ଜଣଙ୍କ ପୋଲିସ କଷ୍ଟଡି କାଳରେ କୌଣସି ନଗଦ ଜବତ ହୋଇ ନାହିଁ। ହେଲେ ଏହି ସମୟରେ ଅନୁକଳ୍ପର ଜନୈକ ସମ୍ପର୍କୀୟ ତାଙ୍କୁ ୨୦ ହଜାର ଟଙ୍କା ପରିଷୋଧ କରିଥିବା ଜଣାପଡିଛି।
ଅଭିଯୁକ୍ତମାନଙ୍କ ମୋବାଇଲ ରିକଭର ହୋଇଛି। ଚାଟ୍ ରୁ ପଇସା ବଣ୍ଚାକୁଣ୍ଟା ଓ ଭାଗକୁ ନେଇ ବିବାଦ କଥା ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ଏ ପର୍ଯ୍ୟନ୍ତ ଅନୁକଳ୍ପର ପିତା ରବିନ୍ଦ୍ର ମିଶ୍ର, କାକା ରାମେନ୍ଦ୍ର ମିଶ୍ର ସମେତ ସ୍ୱର୍ଣ୍ଣାଳଙ୍କର ବେପାରୀ ବିଜୟ କୌଶଲଙ୍କୁ ହାଜତରେ ରଖିଛି। ବିଜୟ କୌଶଳ ଅଭିଯୁକ୍ତ ଦେଉଥିବା ସ୍ୱର୍ଣ୍ଣାଳଙ୍କାରକୁ ତରଳାଇ ଦେଉଥିଲା। ତେବେ ଅନୁକଳ୍ପ ମିଶ୍ର ଓ ଅବିନାଶ ଶୁକ୍ଳା ଦାନ ଚୋରି ପଇସାକୁ ସେମାନେ ସେୟାର ମାର୍କେଟରେ ଲଗାଉଥିଲେ ବୋଲି କହିଛନ୍ତି। ସେହିପରି ଲୋକଙ୍କୁ ମୋଟା ସୁଧରେ ପଇସା ମଧ୍ୟ କରଜ ଦେଉଥିଲେ ବୋଲି ମଧ୍ୟ ଜଣାପଡିଛି।
