Voice of Eastern India

ସରକାରଙ୍କ ହସ୍ତକ୍ଷେପ ପରେ ୧୮% କମିଲା ଚିନି ଦର; ଖାଦ୍ୟ ସଚିବ କହିଲେ, ଆଗକୁ ଆହୁରି କମିବ


ନୂଆଦିଲ୍ଲୀ: ସରକାରୀ ହସ୍ତକ୍ଷେପ ପରେ କମିଲା ଚିନି ଦର। ଆମଦାନୀକୁ ଅନୁମତି ଓ ମିଲ୍ଗୁଡ଼ିକ ଉପରେ ଚଢ଼ାଉ କରିବା ପରେ ଚିନିର ଏକ୍ସ ମିଲ୍ ଦର ୧୮% ହ୍ରାସ ପାଇଛି। ଦର କମିବା ପରେ ଚିନି ୬୭ ଟଙ୍କାରୁ ଏବେ ୫୫ ଟଙ୍କାକୁ ଖସି ଆସିଛି। ଆଗାମୀ ଦିନଗୁଡ଼ିକର ଚିନି ଦର ଆହୁରି କମିବ ବୋଲି ପିଟିଆଇକୁ କହିଛନ୍ତି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା।

ମିଡିଆକୁ ସୂଚନା ଦେଇ ଚୋପ୍ରା କହିଛନ୍ତି “ମିଲ୍ ଦ୍ୱାରା ବୃଦ୍ଧି କରାଯାଇଥିବା ଚିନିର ଏକ୍ସ-ମିଲ୍ ମୂଲ୍ୟ କମିବା ଆରମ୍ଭ ହୋଇଛି। ଏହା କିଲୋ ପିଛା ₹୫୫କୁ ହ୍ରାସ ପାଇଛି ଏବଂ ଆଗାମୀ ଦିନରେ ଆହୁରି ହ୍ରାସ ପାଇବ।” ଏହି ଦର ହ୍ରାସ ଏକ୍ସ ମିଲ ଦର, ମାନେ କାରଖାନାରୁ ବାହାରୁ ଥିବା ଚିନିର ଦର।

ଏକ୍ସମିଲ ଚଢ଼ାଉ ଓ ଆମଦାନୀକୁ ଅନୁମତି

କେନ୍ଦ୍ରୀୟ ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚିନି ଦର ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନିକଟରେ କେନ୍ଦ୍ର ସରକାର ୧୦ ଲକ୍ଷ ଟନ ର ସୁଗାର (ରିଫାଇନ ହୋଇ ନଥିବା) ଆମଦାନୀକୁ ଅନୁମତି ଦେଇଛନ୍ତି। ଏହା ସହିତ ବଡ଼ କ୍ରେତାମାନଙ୍କ ଉପରେ ଷ୍ଟକ୍ ସୀମା ଲାଗୁ କରାଯାଇଛି ଏବଂ ଜମାଖୋରୀ ରୋକିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ପରେ ମିଲ୍ ସ୍ତରରେ ଚିନି ଦର କମିବା ଆରମ୍ଭ ହୋଇଛି।

ଖୁଚୁରା ଓ ପାଇକାରୀ ବଜାରରେ ମଧ୍ୟ ଶୀଘ୍ର ମିଳିବ ଆଶ୍ୱସ୍ତି

ନ୍ୟାସନାଲ ଫେଡେରେସନ୍ ଅଫ୍ କୋଅପରେଟିଭ୍ ସୁଗାର ଫ୍ୟାକ୍ଟ୍ରିଜ୍ (NFCSF)ର ପ୍ରବନ୍ଧ ନିର୍ଦ୍ଦେଶକ ପ୍ରକାଶ ନାଇକନାୱରେଙ୍କ ଅନୁସାରେ, ସାଧାରଣତଃ ଏକ୍ସ-ମିଲ୍ ଦର ଓ ପାଇକାରୀ ବଜାର ଦର ମଧ୍ୟରେ କିଲୋପ୍ରତି ପ୍ରାୟ ₹୨ରୁ ₹୩ ଟଙ୍କା ପର୍ଯ୍ୟନ୍ତ ତଫାତ ରହେ। ସେହିପରି ଏକ୍ସ-ମିଲ୍ ଦର ଓ ଖୁଚୁରା ବଜାର ଦର ମଧ୍ୟରେ କିଲୋପ୍ରତି ₹୭ରୁ ₹୮ ଟଙ୍କା ପର୍ଯ୍ୟନ୍ତ ତଫାତ ରହିଥାଏ। ଏବେ ପର୍ଯ୍ୟନ୍ତ ଖୁଚୁରା ବଜାରରେ ଗ୍ରାହକମାନେ ଦର ହ୍ରାସର ପୂରା ଲାଭ ପାଇନାହାନ୍ତି।

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଅଗଷ୍ଟ ୨୪ ତାରିଖରେ ଦେଶରେ ଚିନିର ହାରାହାରି ପାଇକାରୀ ଦର କିଲୋପ୍ରତି ₹୫୮.୨୯ ଏବଂ ହାରାହାରି ଖୁଚୁରା ଦର ₹୬୩.୦୫ ରହିଥିଲା। ତେବେ ମିଲ୍ ସ୍ତରରେ ଦର କମିବା ପରେ ଆଗାମୀ କିଛି ଦିନ ମଧ୍ୟରେ ଖୁଚୁରା ବଜାରରେ ମଧ୍ୟ ଚିନି ଦର କମିବ ବୋଲି ଆଶା କରାଯାଉଛି।

ଦେଶବ୍ୟାପୀ ‘ଫ୍ଲାଇଂ ସ୍କ୍ୱାଡ୍’ ନିୟୋଜିତ, ଜମାଖୋରଙ୍କ ଉପରେ କଡ଼ା ନଜର

ପ୍ରକାଶ ନାଇକନାୱରେ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ଏକ୍ସ-ମିଲ୍ ଚିନି ଦର କିଲୋପ୍ରତି ₹୫୫ରୁ ତଳକୁ ଖସିଛି। ବଜାରରେ କଳାବଜାରୀ ଓ ଜମାଖୋରୀ ରୋକିବା ପାଇଁ ଦେଶବ୍ୟାପୀ ‘ଫ୍ଲାଇଂ ସ୍କ୍ୱାଡ୍’ ନିୟୋଜିତ କରାଯାଇଛି। ଏହି ଟିମ୍ଗୁଡ଼ିକ ନିୟମିତ ଭାବେ ଯାଞ୍ଚ କରୁଛନ୍ତି। ସରକାରଙ୍କ କଡ଼ା ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ଚିନି ଦର ଆହୁରି କମିପାରେ।

ସରକାର ଚିନି ବ୍ୟବସାୟୀ ଓ ଡିଲରମାନଙ୍କ ପାଇଁ ଷ୍ଟକ୍ ରଖିବାର ସୀମା ଲାଗୁ କରିଛନ୍ତି। ନୂଆ ନିୟମ ଅନୁସାରେ, ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବସାୟ କରୁଥିବା ଡିଲରମାନେ ୧୫ ଦିନରୁ ଅଧିକ ବ୍ୟବହାର ପାଇଁ ଚିନି ମହଜୁଦ ରଖିପାରିବେ ନାହିଁ।

ଏହା ବ୍ୟତୀତ ସରକାର ଆଉ ୩ଟି ପଦକ୍ଷେପ ମଧ୍ୟ ନେଇଛନ୍ତି। ଚିନି ଆମଦାନୀକୁ ଟିକସମୁକ୍ତ କରାଯାଇଛି। ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ରୋକ ଲଗାଯାଇଛି। ଡିଲରମାନଙ୍କ ପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ୪୦୦ ଟନ୍ ପର୍ଯ୍ୟନ୍ତ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି।

ଦେଶରେ ଚିନିର ପର୍ଯ୍ୟାପ୍ତ ଷ୍ଟକ୍, ଅଭାବ ଦାବି ଭୁଲ

ଖାଦ୍ୟ ମନ୍ତ୍ରଣାଳୟ ଅନୁସାରେ, ବିପଣନ ବର୍ଷ ୨୦୨୫-୨୬ (ଅକ୍ଟୋବରରୁ ସେପ୍ଟେମ୍ବର)ରେ ଦେଶର ଚିନି ଉତ୍ପାଦନ ପ୍ରାୟ ୩୦୬ ଲକ୍ଷ ଟନ୍ ରହିବାର ଅନୁମାନ କରାଯାଇଛି। ଯଦିଓ ଏହି ଉତ୍ପାଦନ ପ୍ରାରମ୍ଭିକ ଅନୁମାନ ୩୪୩ ଲକ୍ଷ ଟନ୍ ତୁଳନାରେ କମ୍, ତଥାପି ଦେଶର ବାର୍ଷିକ ଘରୋଇ ଚାହିଦା ପ୍ରାୟ ୨୮୦ରୁ ୨୮୫ ଲକ୍ଷ ଟନ୍ ମଧ୍ୟରେ ରହିଛି। ଏହି କାରଣରୁ ଦେଶର ଘରୋଇ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଚିନି ମହଜୁଦ ରହିଛି। ତେଣୁ ଚିନିର ଅଭାବ ହେବ ବୋଲି କରାଯାଉଥିବା ଦାବି ଭୁଲ ବୋଲି ସରକାର କହିଛନ୍ତି।

Also Read- ପିଆଜ ଦର ଆକାଶଛୁଆଁ, ସପ୍ତାହକ ତଳେ ଥିଲା ୨୦ ଟଙ୍କା, ଏବେ ହେଲାଣି ୬୦…

ସୂଚନା ଥାଉକି- ଏକ୍ସ-ମିଲ୍ ରେଟ୍ ହେଉଛି ସେହି ଦର, ଯେଉଁ ଦରରେ ଚିନି ମିଲ୍ଗୁଡ଼ିକ ବ୍ୟବସାୟୀ କିମ୍ବା ପାଇକାରୀ ବିକ୍ରେତାଙ୍କୁ ଚିନି ବିକ୍ରି କରନ୍ତି। ଏହି ଦରରେ ପରିବହନ ଖର୍ଚ୍ଚ, ସ୍ଥାନୀୟ ଟିକସ ଏବଂ ଖୁଚୁରା ବିକ୍ରେତାଙ୍କ ଲାଭ ଅନ୍ତର୍ଭୁକ୍ତ ହୋଇନଥାଏ। ଏକ୍ସ-ମିଲ୍ ଦର କମିଲେ ସାଧାରଣତଃ କିଛି ଦିନର ବ୍ୟବଧାନ ପରେ ଖୁଚୁରା ବଜାରରେ ମଧ୍ୟ ଚିନି ଦର କମିବା ଦେଖିବାକୁ ମିଳେ।

 

Source link



Source link

Leave A Reply

Your email address will not be published.