Voice of Eastern India

ସିନ୍ଧିଆ ରାଜପରିବାର ସମ୍ପତ୍ତି ବିବାଦରେ ବଡ଼ ମୋଡ଼: କୋର୍ଟରେ ପହଞ୍ଚିଲେ ଦୁଇ ନୂଆ ଦାବିଦାର; ଜାଣନ୍ତୁ ସେମାନେ କିଏ ?


ଗ୍ୱାଲିୟର: ହଜାର ହଜାର କୋଟି ଟଙ୍କାର ସିନ୍ଧିଆ ରାଜପରିବାର ସମ୍ପତ୍ତି ଭାଗବଣ୍ଟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କର ତିନି ପିଉସୀ, ଉଷା ରାଜେ ରାଣା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ୟଶୋଧରା ରାଜେ ସଂପତ୍ତି ବଣ୍ଟନ ପାଇଁ ରାଜି ହୋଇଛନ୍ତି । ସେମାନଙ୍କ ପକ୍ଷରୁ ଦ୍ୱାରା ଅଦାଲତରେ ଦାଖଲ କରାଯାଇଥିବା ସଂପତ୍ତି ବଣ୍ଟନ ଚୁକ୍ତିନାମାକୁ ଆଇନଗତ ମାନ୍ୟତା ମିଳିବା ପୂର୍ବରୁ ସମ୍ପତ୍ତି ଦାବି କରି ଆଉ ଏକ ଆବେଦନ ଆସିଛି । ଏହା ଦଶନ୍ଧି ଧରି ଚାଲିଆସୁଥିବା ଏହି ବିବାଦର ସମାଧାନ ପ୍ରକ୍ରିୟାକୁ ଆହୁରି ଜଟିଳ କରିଦେଇଛି ।

ଦୁଇ ନୂଆ ଦାବିଦାରଙ୍କ ଆବେଦନ

ଜ୍ୟୋତିରାଦିତ୍ୟଙ୍କ ବଡ଼ ପିଉସୀ, ସ୍ୱର୍ଗତଃ ପଦ୍ମାବତୀ ରାଜେ ସିନ୍ଧିଆଙ୍କ ଦୁଇ ଝିଅ ମଧ୍ୟ ସେମାନଙ୍କ ଅଜା-ଆଈଙ୍କ ସମ୍ପତ୍ତିରେ ଅଂଶ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଦ୍ମାବତୀ ରାଜେଙ୍କ ଝିଅ ପ୍ରତିମା ଦେବୀ ଏହି ଦାବି ସପକ୍ଷରେ ଗ୍ୱାଲିୟର କୋର୍ଟରେ ଏକ କାଭିଏଟ୍ ଦାଖଲ କରିଛନ୍ତି । ସେ ଅନୁରୋଧ କରିଛନ୍ତି ଯେ ଏହି ସମ୍ପତ୍ତିରେ ତାଙ୍କର ଏବଂ ତାଙ୍କ ଭଉଣୀ କନିକା ଦେବୀଙ୍କ ଅଧିକାରକୁ ବିଚାରକୁ ନିଆଯାଉ । ପ୍ରସ୍ତାବିତ ବୁଝାମଣା ସେମାନଙ୍କ ଆଇନଗତ ଅଧିକାରକୁ ପ୍ରଭାବିତ କରୁଥିବାରୁ, ସେମାନଙ୍କ ପକ୍ଷ ନଶୁଣି କୌଣସି ଚୂଡ଼ାନ୍ତ ନିର୍ଦ୍ଦେଶ ଦିଆଯାଉନାହିଁ ।

ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ ତାରିଖ ପାଇଁ ଧାର୍ଯ୍ୟ କରିଛନ୍ତି । ଏହି ଶୁଣାଣି ସମୟରେ ପ୍ରତିମା ଦେବୀ ଓ ତାଙ୍କ ଭଉଣୀ କନିକା ଦେବୀ ମଧ୍ୟ ଉପସ୍ଥିତ ରହିବେ ।

ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତଃ ପଦ୍ମାବତୀ ରାଜେ ଗ୍ୱାଲିୟରର ଶେଷ ମହାରାଜା ଜୀବାଜୀରାଓ ସିନ୍ଧିଆ ଏବଂ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଚାରି ଝିଅ ଓ ଗୋଟିଏ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ । ତ୍ରିପୁରାର ପୂର୍ବତନ ରାଜପରିବାରର ମହାରାଜା କିରୀଟ ବିକ୍ରମ କିଶୋର ମାଣିକ୍ୟ ଦେବବର୍ମା ବାହାଦୁରଙ୍କ ସହ ତାଙ୍କର ବିବାହ ହୋଇଥିଲା । ୧୯୬୫ ମସିହାରେ କମ୍ ବୟସରେ ପଦ୍ମାବତୀଙ୍କ ପରଲୋକ ଘଟିଥିଲା ।

ସିନ୍ଧିଆ ପରିବାରର ସମ୍ପତ୍ତି ବିବାଦକୁ ନେଇ ବିଭିନ୍ନ ଅଦାଲତରେ ୧୨ଟି ମାମଲା ବିଚାରାଧୀନ ରହିଛି । ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏରେ ପ୍ରତିମା ଦେବୀ ଏବଂ କନିକା ଦେବୀ ପକ୍ଷ ରହିଛନ୍ତି । ସେମାନେ ତାଙ୍କ ମା’ ପଦ୍ମାବତୀ ରାଜେଙ୍କ ଆଇନଗତ ଉତ୍ତରାଧିକାରୀ ଭାବେ ଦାବି କରିଛନ୍ତି । ତେବେ ନୂଆ ବୁଝାମଣାରେ ସେମାନଙ୍କୁ ଅଂଶିଦାର କରାଯାଇ ନଥିବାରୁ ସେମାନେ ଏହି ବଣ୍ଟନ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରିଛନ୍ତି । ପ୍ରତିମା ଦେବୀ ନେପାଳର ପ୍ରସିଦ୍ଧ ରାଣା ପରିବାରର ଡକ୍ଟର ଧବଳ ଶମଶେର ରାଣାଙ୍କୁ ବିବାହ କରିଛନ୍ତି ।

Source link



Source link

Leave A Reply

Your email address will not be published.