ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନାଁ ନନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି, କିଛି ଲୋକ ସମ୍ବିଧାନକୁ ନିଜ ପକେଟ୍ରେ ଧରି ବୁଲୁଛନ୍ତି ଏବଂ ସମ୍ବିଧାନ ସହ ଦେଶର ଜନତା ମଧ୍ୟ ସେମାନଙ୍କ ପକେଟରେ ଅଛନ୍ତି ବୋଲି ଭାବୁଛନ୍ତି । ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘କିସାନ ଟକ୍ ଭାରତ ଏଗ୍ରିକଲଚର କନଫରେନ୍ସ ୨୦୨୬’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି ଟିପ୍ପଣୀ କରିଛନ୍ତି ।
ପିଏମ୍ ମୋଦୀ କହିଛନ୍ତି, ଆଜିକାଲି କିଛି ଲୋକ ସମ୍ବିଧାନକୁ ପକେଟରୁ ବାହାର କରି ବୁଲୁଛନ୍ତି । ସେମାନଙ୍କୁ ଲାଗୁଛି ଯେ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ସେମାନଙ୍କ ପକେଟରେ ରହିଛି । କ୍ଷମତାରେ ନଥିଲେ ମଧ୍ୟ ସେମାନଙ୍କ ଆଚରଣରେ କ୍ଷମତାର ନିଶା ଦେଖିବାକୁ ମିଳୁଛି । ଏହା ଏକ ଅଜବ ପ୍ରକାରର କ୍ଷମତା ନିଶା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କଟାକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାଙ୍କ ପାଇଁ ଥିଲା ।
ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ବିରୋଧୀ ନେତା ହାତରେ ସମ୍ୱିଧାନ ଧରି ନିଜ କଥାକୁ ଦୃଢତାର ସହ ରଖିବାକୁ ଉଦ୍ୟମ କରୁଛନ୍ତି । ଲୋକସଭା ନିର୍ବାଚନ ବେଳେ ବିରୋଧୀ ନାରା ଦେଇଥିଲେ ଯେ ବିଜେପି ସରକାର ପୁଣି ଆସିଲେ, ସେମାନେ ସମ୍ୱିଧାନକୁ ବଦଳାଇ ଦେବେ । ଆଜିର କାର୍ଯ୍ୟକ୍ରମରେ ପିଏମ୍ ମୋଦୀ ବିରୋଧୀଙ୍କ ଏହି ଟ୍ରେଣ୍ଡର ଜବାବ ଦେଇଛନ୍ତି ।
ନିଜର ଗୁଜରାଟ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳର ଏକ ଘଟଣା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ସମୟରେ ବିଭିନ୍ନ ରାଜ୍ୟର ଆର୍ଥିକ ପ୍ରଦର୍ଶନକୁ ନେଇ ରାଙ୍କିଂ ପ୍ରକାଶ ପାଉଥିଲା । ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ଥିବା ଏକ ସଂସ୍ଥା ପକ୍ଷରୁ ପ୍ରକାଶିତ ରାଙ୍କିଂରେ ଗୁଜରାଟ ପ୍ରଥମ ସ୍ଥାନ ହାସଲ କରିଥିଲା । ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୁଜରାଟକୁ ମିଳିଥିବା ଏହି ସମ୍ମାନକୁ ତତ୍କାଳୀନ କେନ୍ଦ୍ର ସରକାର ସହଜରେ ଗ୍ରହଣ କରିପାରିନଥିଲେ । ଏପରିକି ଗବେଷକମାନଙ୍କୁ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କୃଷି କ୍ଷେତ୍ରର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତର କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୪ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହୋଇଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଏଭଳି ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି । ବିଶ୍ୱବ୍ୟାଙ୍କ ରିପୋର୍ଟକୁ ଉଲ୍ଲେଖ କରି ମୋଦୀ ଦାବି କରିଛନ୍ତି ଯେ, ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ଏଥିରେ କ୍ଷୁଦ୍ର ଚାଷୀ ଓ କୃଷି ଶ୍ରମିକଙ୍କ ସଂଖ୍ୟା ମଧ୍ୟ ରହିଛି ବୋଲି ସେ କହିଛନ୍ତି ।
