ନୂଆଦିଲ୍ଲୀ: ଲଗାତାର ହଙ୍ଗାମା ଓ ଗୃହକାର୍ଯ୍ୟରେ ବାଧା ଯୋଗୁ ଚାଲି ପାରୁନଥିବା ସଂସଦ ମଙ୍ଗଳବାର ଠାରୁ ସ୍ୱଭାବିକ କାର୍ଯ୍ୟକରିବ ବୋଲି ଆଶା କରାଯାଉଛି। ନିଟ୍ ୟୁଜି ପେପର ଲିକ୍ ଓ ଛାତ୍ରଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଗତ ସପ୍ତାହରେ ଜାରି ପକ୍ଷ ବିପକ୍ଷ ବିବାଦ ଏବେ ଥମୁଥିବା ଭଳି ଲାଗୁଛି। ଲୋକସଭା ବାଚସ୍ପତି ଓମ ବିରଳାଙ୍କ ଉଦ୍ୟମ ଓ ସବୁ ଦଳର ନେତାଙ୍କ ସହ ଆଲୋଚନା ପରେ ସାର୍ବଜନିକ ପରୀକ୍ଷା ସଂଶୋଧନ ବିଧେୟକ ୨୦୨୬ ଉପରେ ଚର୍ଚ୍ଚା ଲାଗି ବିରୋଧୀ ସହମତ ହୋଇଛନ୍ତି। ଏଣୁ ସଂସଦର ଅଟକି ରହିଥିବା କାର୍ଯ୍ୟକ୍ରମ ଏବେ ସ୍ୱଭାବିକ ହୋଇପାରେ ବୋଲି ଅନୁମାନ କରାଯାଉଛି।
ସଂସଦରେ ଗତିରୋଧ ସମାପ୍ତ କରିବାକୁ ଓମ ବିରଳା ସଦନରେ ସବୁ ଦଳଙ୍କୁ ଲଗାତାର ଏହି ପ୍ରସଙ୍ଗ କୋଟିକୋଟି ଛାତ୍ରଙ୍କ ଭବିଷ୍ୟତ ସମ୍ପର୍କିତ ଓ ଏହା ଉପରେ ରାଜନୀତି ବଦଳେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଆବଶ୍ୟକ ବୋଲି କହି ଆସୁଛନ୍ତି। ବାଚସ୍ପତି ଏହା ମଧ୍ୟ ଭରସା ଦେଉଛନ୍ତି ଯେ ଏହି ବିଧେୟକ ଉପରେ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଆଲୋଚନା ଲାଗି ସରକାର ପ୍ରସ୍ତୁତ। ଏଣୁ ବିରୋଧୀ ଦଳଙ୍କୁ ସଂସଦରେ ସେମାନଙ୍କ ପ୍ରତ୍ୟେକ କଥା ବିସ୍ତାର ପୂର୍ବକ ରଖିବାକୁ ସମୟ ମିଳିବ।
ତେବେ କେବଳ ଲୋକସଭା ବାଚସ୍ପତି ନୁହନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ବିରୋଧୀଙ୍କୁ ଆଲୋଚନାରୁ ପଳାୟନ ନ କରିବା ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ ଦେଶର କୋଟିକୋଟି ଜନତା ସଂସଦ କାର୍ଯ୍ୟକ୍ରମକୁ ଦେଖୁଛନ୍ତି। ସେମାନେ ଆଶା କରୁଛନ୍ତି ସବୁ ଦଳ ଦେଶର ପରୀକ୍ଷା ବ୍ୟବସ୍ଥାକୁ ପାରଦର୍ଶୀ ଏବଂ ମଜଭୁତ କରିବା ପାଇଁ ରଚନାତ୍ମକ ପରାମର୍ଶ ଦେବେ। ରିଜିଜୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ କେବଳ ଆଇନ ଗୃହୀତ କରିବା ନୁହେଁ ବରଂ ଏପରି ବ୍ୟବସ୍ଥା କରିବା ଯାହାଦ୍ୱାରା ଭବିଷ୍ୟତରେ ପେପର ଲିକ୍ ଭଳି ଘଟଣା ଉପରେ ରୋକ ଲଗାଯାଇ ପାରିବ।
ତେବେ ବିରୋଧୀ ଦଳ କହୁଛନ୍ତି ଯେ ସରକାର ପ୍ରଥମେ ଛାତ୍ରଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନର ଜବାବ ଦିଅନ୍ତୁ ଓ ଏହା ପରେ ବିଧେୟକ ଉପରେ ଚର୍ଚ୍ଚା ହେଉ। ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ଆନ୍ଦୋଳନରେ ସାମିଲ ଛାତ୍ରଙ୍କ ବିରୋଧରେ ରୁଜୁ ମାମଲା ପ୍ରଥମେ ପ୍ରତ୍ୟାହାର ହେଉ ବୋଲି ଦାବି କରୁଛନ୍ତି। ଏହିପରି ବିଭିନ୍ନ ଦାବିକୁ ନେଇ ଲଗାତାର ହଙ୍ଗାମା ଯୋଗୁ ସୋମବାର ରାଜ୍ୟସଭା କାର୍ଯ୍ୟକ୍ରମ ୪ ଥର ବାଧିତ ହୋଇଛି। ରାଜ୍ୟସଭାରେ କଂଗ୍ରେସ ସମେତ ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବିରେ ଅଡି ଯାଇଛନ୍ତି। ବିରୋଧୀ ଦଳଙ୍କ କହିବା କଥା ହେଉଛି ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଥମେ ସରକାର ଜବାବ ରଖନ୍ତୁ। ମଲ୍ଲିକାର୍ଜୁନ ଖଡଗେ ସୋମବାର ସଦନରେ ଗୃହମନ୍ତ୍ରୀଙ୍କ ଜବାବ ଦାବି ଦୋହରାଇଛନ୍ତି।
