Voice of Eastern India

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ଇରାନ ? ମୋଜତାବାଙ୍କ ଧମକ, ‘ହତ୍ୟାକାରୀଙ୍କର ହେବନି ସ୍ବାଭାବିକ ମୃତ୍ୟୁ’


ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ଶନିବାର ଏକ ଭୟଙ୍କର ଚେତାବନୀ ଦେଇଛନ୍ତି । ଆମେରିକା ବିରୋଧରେ ପ୍ରତିଶୋଧ ନେବାକୁ ସଂକଳ୍ପ କରିଛନ୍ତି ମୋଜତାବା ଖାମେନି । ଗତ ଦୁଇଟି ଯୁଦ୍ଧରେ ତାଙ୍କ ପିତା (ପୂର୍ବତନ ସର୍ବୋଚ୍ଚ ନେତା) ଏବଂ ଅନ୍ୟ ଇରାନୀୟ ନାଗରିକଙ୍କ ହତ୍ୟା ପାଇଁ ଦାୟୀ ଥିବା ବ୍ୟକ୍ତିମାନେ ‘ଶେଯରେ ସ୍ୱାଭାବିକ ମୃତ୍ୟୁବରଣ କରିବେ ନାହିଁ’ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ‘ଇସଲାମିକ ରିପବ୍ଲିକ ଅଫ୍ ଇରାନ ବ୍ରଡକାଷ୍ଟିଂ’ (IRIB) ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଥିବା ଏକ ବାର୍ତ୍ତାରେ ମୋଜତାବା ଖାମେନି କହିଛନ୍ତି ଯେ, ନିକଟରେ ଘଟିଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତିଶୋଧ ତାଙ୍କ ଉପରେ ବା ଅନ୍ୟ କୌଣସି ଅଧିକାରୀଙ୍କ ଉପରେ ନିର୍ଭର କରେ ନାହିଁ। ସେ ସ୍ପଷ୍ଟ କରିଛନ୍ତି, ‘ଆମେ ଥାଉ ବା ନଥାଉ, ଏହି ପ୍ରତିଶୋଧ ନିଶ୍ଚିତ ଭାବରେ ନିଆଯିବ।’

​​​​​​

ସେ ଧମକ ଦେଇ କହିଛନ୍ତି, ‘ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅପରାଧୀମାନଙ୍କର ଏକ ତାଲିକା ସେମାନଙ୍କ ପାଖରେ ରହିଛି ଏବଂ ସେମାନଙ୍କର ଶେଷ ସମୟ ଶାନ୍ତିପୂର୍ଣ୍ଣ ହେବ ନାହିଁ। ଖୁବଶୀଘ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ମୁକ୍ତ ଆତ୍ମାମାନେ ଆମ ନେତା ଏବଂ ସହିଦମାନଙ୍କ ହତ୍ୟାକାରୀଙ୍କ ବିରୋଧରେ ଏହି ପ୍ରତିଶୋଧ ତଥା ଦୈବୀ ମିଶନର କିଛି ଅଂଶ ସମ୍ପାଦନ କରିବେ।’

ଚଳିତ ବର୍ଷ ଫେବୃଆରୀ ମାସରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଇସ୍ରାଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇରାନ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିଛି। ଖାମେନିଙ୍କ ଶେଷକୃତ୍ୟ ସମୟରେ ମଧ୍ୟ ଟ୍ରମ୍ପଙ୍କ ମୃତ୍ୟୁ ପାଇଁ ସାର୍ବଜନୀନ ଭାବରେ ସ୍ଲୋଗାନ ଦିଆଯାଇଥିଲା।

ଇରାନର ଏହି ଧମକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟ କରି ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ଲେଖିଛନ୍ତି, ‘୧୦୦୦ ମିସାଇଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଏହାର ଟାର୍ଗେଟ୍ ଇସଲାମିକ ରିପବ୍ଲିକ ଅଫ୍ ଇରାନ ଆଡ଼କୁ ରହିଛି। ଯଦି ଇରାନ ସରକାର ଆମେରିକାର ରାଷ୍ଟ୍ରପତି ଅର୍ଥାତ୍ ମୋତେ ହତ୍ୟା କରିବାକୁ ଚେଷ୍ଟା କରନ୍ତି, ତେବେ ତୁରନ୍ତ ହଜାର ହଜାର ମିସାଇଲ ମାଡ଼ କରାଯିବ। ଆମେରିକା ସେନାକୁ ନିର୍ଦ୍ଦେଶ ଦିଆସରିଛି ଏବଂ ସେମାନେ ଇରାନର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବାକୁ ପ୍ରସ୍ତୁତ ଅଛନ୍ତି।’

Source link



Source link

Leave A Reply

Your email address will not be published.