ଚାମୋଲି: ବଦ୍ରିଶ ସଂଘର୍ଷ ସମିତି ଶନିବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ପତ୍ର ଲେଖି ଶ୍ରୀ ବଦ୍ରିନାଥ ଧାମ ଦାନ ହଡପ ଅଭିଯୋଗର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଯାଞ୍ଚ ନିବେଦନ କରିଛି। ଏହି ଦାବି ଏପରି ସମୟରେ କରାଯାଇଛି ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରିକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଛି। ଏହା ପୂର୍ବରୁ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ମାମଲାର ଔପଚାରିକ ଯାଞ୍ଚ ଆଦେଶ ଦେଇଛନ୍ତି।
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ କମିଟି ଏ ନେଇ ସୋସିଆଲ ମିଡିଆରେ ହୋଇଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛି। ଏପରି ଦାବିର ନିରପେକ୍ଷ ଓ ପାରଦର୍ଶି ଯାଞ୍ଚ ନିମନ୍ତେ ଏକ ଯାଞ୍ଚ କମିଟି ମଧ୍ୟ ଗଠନ କରାଯାଇଛି। ସେ କହିଛନ୍ତି ଯେ ଯେଉଁ କର୍ମଚାରୀଙ୍କ ନାମରେ ଅଭିଯୋଗ ସାମ୍ନାକୁ ଆସିଛି ସେମାନଙ୍କୁ ମଧ୍ୟ ନୋଟିସ୍ ଜାରି କରି ଜବାବ ମଗା ଯାଇଛି। ଦ୍ୱିବେଦୀ ସୋସିଆଲ ମିଡିଆରେ ପ୍ରସରୁଥିବା ସେହି ସବୁ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ଯେଉଁଥିରେ କର୍ମଚାରୀଙ୍କ ମଧ୍ୟରୁ ଜଣକୁ ତାଙ୍କର ବ୍ୟକ୍ତିଗତ ସଚିବ ବୋଲି କୁହାଯାଇଛି।
ଏହି ମାମଲାରେ ସ୍ପଷ୍ଟିକରଣ ଦେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ସଚିବ ନୁହନ୍ତି। ସେ କମିଟିର ନିୟମିତ ସରକାରୀ କର୍ମଚାରୀ ଓ ପୂର୍ବରୁ କମିଟିର ଅନ୍ୟ ଅଧ୍ୟକ୍ଷଙ୍କ ସହ କାମ କରିଛନ୍ତି। ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ଶ୍ରୀ ବଦ୍ରିନାଥ ମନ୍ଦିର ଦାନରେ କଥିତ ଗଡବଡ ଅଭିଯୋଗ ସାମ୍ନାକୁ ଆସିଛି। ମନ୍ଦିର କମିଟି ଏହି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛି। ଏଣୁ ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କୁ ନିବେଦନ କରି ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ଶ୍ରୀ ବଦ୍ରିନାଥ ଧାମ ଓ କେଦାରନାଥ ଧାମ ସାରା ଦେଶର ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ମୁଖ୍ୟ କେନ୍ଦ୍ର। ଲୋକଙ୍କୁ ନିବେଦନ କରିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅପୁଷ୍ଟ ଗୁଜବ ଓ ଭ୍ରମାତ୍ମକ ସୂଚନାକୁ ସେୟାର ନ କରନ୍ତୁ। ସେହିପରି କୌଣସି ନିଷ୍କର୍ସ ରେ ପହଞ୍ଚିବା ପୂର୍ବରୁ ଅଧିକାରୀକ ଯାଞ୍ଚର ଫଳାଫଳକୁ ଅପେକ୍ଷା କରନ୍ତୁ।
ଇତିମଧ୍ୟରେ ଅଯୋଧ୍ୟାରେ ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଉପରେ ବିଚାର କରାଯିବ। ଏହି ବୈଠକରେ ମନ୍ଦିର ପାଇଁ ସଂଗ୍ରହ ହେଉଥିବା ଦାନ ଓ ରାମମନ୍ଦିର ପ୍ରବନ୍ଧନ ସହ ସମ୍ପୃକ୍ତ କଥିତ ଅନିୟମିତତାର ଏସଆଇଟି ଯାଞ୍ଚ ଉପରେ ମଧ୍ୟ ଚର୍ଚ୍ଚା ହେବ।
