ଭୁବନେଶ୍ୱର, ୩୦/୧୦ :ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି, ଗଞ୍ଜାମରେ ପ୍ରବଳ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଅକଳରେ ପଡ଼ିଛନ୍ତି ଓସିଏସ୍ ଆଶାୟୀ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଥିବା ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ କିଭଳି ଆସିବେ ସେ ଚିନ୍ତାରେ ରହିଛନ୍ତି।
ଅକ୍ଟୋବର ୩୧ରୁ ନଭେମ୍ବର ୭ ଯାଏ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ) ମୁଖ୍ୟ ପରୀକ୍ଷା ରହିଛି। ଆଶାୟୀ ପରୀକ୍ଷାର୍ଥୀମାନେ ବର୍ତ୍ତମାନର ବାତ୍ୟାଜନିତ ସ୍ଥିତି ଏବଂ ଏହା ଦ୍ଵାରା ବିଭିନ୍ନ ଜିଲ୍ଲାରେ ଜନଜୀବନ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ଦୃଷ୍ଟିରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ତଥା ଓପିଏସସି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।
Also Read :- ପାକିସ୍ତାନରେ ମାତ୍ର ୧.୭% ହିନ୍ଦୁ : ଯୁବତୀ-ନାବାଳିକାଙ୍କୁ ଅପହରଣ ପରେ ଜବରଦସ୍ତି ଧର୍ମ ପରିବର୍ତ୍ତନ !
ଜଣେ ଛାତ୍ର ସ୍ବାଗତ ବିଶ୍ଵାଳ କହିଛନ୍ତି,ଖାଲି ଗଞ୍ଜାମ ନୁହେଁ ଓଡ଼ିଶାର ଅନେକ ଅଞ୍ଚଳରେ ବ୍ୟାପକ ବିପର୍ଯ୍ୟୟ ଦେଖାଦେଇଛି । ଯାହା ପରୀକ୍ଷାର୍ଥୀମାନଙ୍କୁ ସୁରକ୍ଷିତ ଭାବେ ଏବଂ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ବାଧା ସୃଷ୍ଟି କରିପାରେ। କୋରାପୁଟ, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଛି। ଅପ୍ରତ୍ୟାଶିତ ଭାବେ ପ୍ରାୟ ୫୬ଟି ଟ୍ରେନ୍ ବାତିଲ ହେବା ସହ ସରକାରୀ ଓ ବେସରକାରୀ ପରିବହନ ସେବା ବ୍ୟାହତ ହୋଇଛି, ଯାହା ଯୋଗୁଁ ପରୀକ୍ଷାର୍ଥୀମାନେ କିଭଳି ନିଜର ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେ ନେଇ ଘୋର ଚିନ୍ତାରେ ଅଛନ୍ତି। ମାସ ମାସ ଧରି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ମଧ୍ୟ ଅନେକ ଆଶାୟୀ ଯାତ୍ରା କରିବାରେ ଅସମର୍ଥ ହୋଇପାରନ୍ତି। ଏଣୁ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ବୁଝି ପରୀକ୍ଷା ସ୍ଥଗିତ ରଖନ୍ତୁ ଓ ନୂଆ ତାରିଖ ଘୋଷଣା କରନ୍ତୁ।
ଛାତ୍ର ଛାତ୍ରୀଙ୍କ ଏହି ସମସ୍ୟାକୁ ବୁଝିବାକୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦାବି କରିଛନ୍ତି। ଏକ୍ସ ହ୍ୟାଣ୍ଡେଲରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ଯେଉଁଭଳି ବର୍ଷା, ବନ୍ୟା ସୃଷ୍ଟି ହୋଇଛି, ସେ ଦୃଷ୍ଟିରୁ ପିଲାଙ୍କ ପରୀକ୍ଷା ତାରିଖ ଘୁଞ୍ଚାଯାଉ। ସେହିପରି ପରୀକ୍ଷା ଘୁଞ୍ଚାଇବା ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲ୍କାକା ଓପିଏସସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ।
