Voice of Eastern India

ବାହୁଡ଼ିବେ ମହାବାହୁ : ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି



ପୁରୀ, ୨୪।୦୭ : ସରିଲା ମହାପ୍ରଭୁଙ୍କ ଜନ୍ମ ବେଦି ଲୀଳା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ କାଳିଆ ସାଆନ୍ତ। ଏଣୁ ଶରଧାବାଲିରେ ଅପେକ୍ଷାରତ ତିନି ରଥ। ଠାକୁରେ ରଥାରୂଢ଼ ପୂର୍ବରୁ ବିଶ୍ଵକର୍ମା, ଦର୍ଜୀ, କୋଠ ସୁଆଁସିଆ ଆଦି ସେବକ ତିନି ରଥ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ତଥା ଦକ୍ଷିଣାଭିମୁଖୀ ଯାତ୍ରା। ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାର ଏହା ତୃତୀୟ ଅଙ୍ଗ। ଶାସ୍ତ୍ର କୁହେ ରଥ ଯାତ୍ରାରେ ପ୍ରଭୁ ଉତ୍ତରାଭିମୁଖୀ ଯାତ୍ରା କରନ୍ତି। ବାହୁଡ଼ାରେ ଦକ୍ଷିଣାଭିମୁଖୀ ଯାତ୍ରା । ରଥାରୂଢ଼ ହୋଇ ଚତୁଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ। ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ।

ବାହୁଡ଼ା ପାଇଁ ନବମୀ ଦିନ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ୧୨ଟାରୁ ସାଢ଼େ ୨ଟା ମଧ୍ୟରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ହୋଇ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭହେବ ବୋଲି ପ୍ରଶାସନିକ ସୂଚନା ରହିଛି।

ବାହୁଡ଼ା ଯାତ୍ରାର ପ୍ରଶାସନିକ ସମୟ ଅନୁସାରେ, ଠାକୁରଙ୍କ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ ୪ଟା ୧୫, ତଡ଼ପଲାଗି ଓ ରୋଷ ହୋମ ୪ଟା ୩୦ରେ ସରି ଅବକାଶ ନୀତି ବଢ଼ିବ ୫ଟାରେ। ସୂର୍ଯ୍ୟପୂଜା ୫ଟା ୧୫, ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ ୫ଟା ୩୦ରେ। ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଠାକୁରଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯିବ ୬ଟା ୪୫ ମଧ୍ୟରେ । ଏହା ପରେ ୭ଟାରୁ ପୂର୍ବାହ୍ଣ ସାଢ଼େ ୧୧ଟା ମଧ୍ୟରେ ଦଇତାପତି ଶ୍ରୀବିଗ୍ରହଙ୍କ ସେନା ପଟା ଲାଗି କରିବେ। ଶେଷରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ମଙ୍ଗଳାର୍ପଣ କରିବେ। ଏହି ସମୟ ରହିଛି ୧୧ଟା୪୫। ପରେ ଠାକୁରଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଜଗମୋହନ ଦୁଆରେ ଶ୍ରୀବିଗ୍ରହ ବିଜେ ହେଲେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବ।

ନୀତିକାନ୍ତି ପରେ ବିଶ୍ଵକର୍ମା ଓ ଭୋଇ ସେବକ ରଥରେ ଦଉଡି଼ ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥ ଟଣା ହେବ। ମାଉସୀମା’ ମନ୍ଦିର ସମ୍ମୁଖରେ ରଥାରୂଢ଼ ଠାକୁରଙ୍କୁ ପୋଡ଼ ପିଠା ଭୋଗ ଲାଗିବ। ତାଳଧ୍ଵଜ ଓ ଦେବଦଳନ ରଥ ଟଣା ହୋଇ ସିଂହଦ୍ଵାରେ ପହଞ୍ଚିବ। ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକିବ। ସେଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ହେବ। ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାର ଲାଗିସହ ବେଶ କରାଇ ପାଲିଙ୍କିରେ ବିଜେ କରାଇ ଯଥାବିଧୂ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବେ। ଦହି ପଟି ମଣୋହି ପରେ ଗଜପତି ମହାରାଜାଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଶ୍ରୀଜଗନ୍ନାଥଙ୍କ ସହ ଭେଟ ହେବେ। ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପ୍ରଦକ୍ଷିଣ କରି ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିବେ। ପରେ ଶ୍ରୀନଅରଠାରୁ ନନ୍ଦିଘୋଷ ରଥ ଟଣା ଯାଇ ସିଂହଦ୍ଵାର ସମ୍ମୁଖରେ ପହଁଚିବ ।
Source link



Source link

Leave A Reply

Your email address will not be published.