Voice of Eastern India

ବ୍ଲିଙ୍କିଟ୍-ଜେପ୍ଟୋ ଭଳି ଅନ୍‌ଲାଇନ ପ୍ଲାଟଫର୍ମରେ ଲାଗିଲା କଟକଣା: ଏବେ ଥରକେ କିଣିପାରିବେ ୨-୫ କେଜି ଚିନି


ନୂଆଦିଲ୍ଲୀ: ଦେଶରେ ଚିନି ଦର ହଠାତ୍ ବଢ଼ିଯିବା ଓ ଯୋଗାଣ କମିବା ପରେ ଗ୍ରାହକଙ୍କ ଚିନି କିଣା ଉପରେ କଟକଣା ଲାଗିଛି। ବ୍ଲିଙ୍କିଟ୍, ଜେପ୍ଟୋ ଭଳି କ୍ୱିକ୍-କମର୍ସ ପ୍ଲାଟଫର୍ମରେ ଏବେ ଜଣେ ଗ୍ରାହକ ଥରକରେ ସର୍ବାଧିକ ୨ରୁ ୫ କିଲୋ ପର୍ଯ୍ୟନ୍ତ ଚିନି କିଣିପାରିବେ। ଦେଶରେ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଚିନି ଯୋଗାଣ ହ୍ରାସ ଏବଂ ଦର ବୃଦ୍ଧି ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି।

ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୬ରେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋପିଛା ୬୫.୦୫ ଟଙ୍କାରେ ପହଞ୍ଚିଛି। ମାତ୍ର ଗୋଟିଏ ମାସ ପୂର୍ବରୁ, ଜୁଲାଇ ୨୬ରେ ଏହା କିଲୋପିଛା ୪୮ ଟଙ୍କା ଥିଲା। ଅର୍ଥାତ୍ ଏକ ମାସ ମଧ୍ୟରେ ଚିନି ଦର ପ୍ରାୟ ୩୫.୫% ବଢ଼ିଛି।

ଡିମାର୍ଟ, ରିଲାଏନ୍ସ ରିଟେଲରେ ମଧ୍ୟ କଟକଣା

କେବଳ ଅନଲାଇନ୍ କ୍ୱିକ୍-କମର୍ସ ନୁହେଁ, ଅଫଲାଇନ୍ ବଜାରରେ ମଧ୍ୟ ଚିନି କିଣା ଉପରେ ସୀମା ଲଗାଯାଇଛି। ଡିମାର୍ଟ ଓ ରିଲାଏନ୍ସ ରିଟେଲ ଭଳି ବଡ଼ ସୁପରମାର୍କେଟ୍ରେ ପ୍ରତି ଗ୍ରାହକ ୨ରୁ ୩ କିଲୋ ଚିନି କିଣିବାର ସୀମା ଧାର୍ଯ୍ୟ କରାଯାଇଛି। ପ୍ରମୁଖ ଚିନି ବ୍ରାଣ୍ଡ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଜମାଖୋରୀ ରୋକିବା ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ଚିନି ଉପଲବ୍ଧ କରାଇବା ପାଇଁ ରିଟେଲରମାନେ ଏଭଳି କଟକଣା ଲଗାଉଛନ୍ତି।

ଚିନିର ହୋଲସେଲ ଦରରେ ମଧ୍ୟ ବଡ଼ ବୃଦ୍ଧି ହୋଇଛି। କିଲୋପିଛା ପ୍ରାୟ ୪୫ ଟଙ୍କାରୁ ବଢ଼ି ଏହା ୬୦.୩୬ ଟଙ୍କାରେ ପହଞ୍ଚିଛି। ପିଆଇବିର ତଥ୍ୟ ଅନୁଯାୟୀ, ଜୁଲାଇ ୨୦ରୁ ଅଗଷ୍ଟ ୨୦ ମଧ୍ୟରେ ହିଁ ଚିନି ଦର ପ୍ରାୟ ୧୬% ବଢ଼ିଥିଲା। ଅଗଷ୍ଟର ଶେଷ ସପ୍ତାହରେ ଦର ବୃଦ୍ଧି ଆହୁରି ତୀବ୍ର ହୋଇଛି।

ଚିନି ଦର ବଢ଼ିବା ପଛରେ ୩ ପ୍ରମୁଖ କାରଣ 

୧. ଚିନି ଉତ୍ପାଦନ କମିବା ଆଶଙ୍କା:ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମାନୁଫାକ୍ଚରର୍ସ ଆସୋସିଏସନ୍ (ISMA) ଅନୁମାନ ଅନୁଯାୟୀ, ୨୦୨୫-୨୬ ମାର୍କେଟିଂ ବର୍ଷରେ ଏଥାନଲ୍ ବ୍ଲେଣ୍ଡିଂ ପରେ ଦେଶର ଚିନି ଉତ୍ପାଦନ ପ୍ରାୟ ୨୭୯ ଲକ୍ଷ ଟନ୍ ହୋଇପାରେ।

୨. ଘରୋଇ ଚାହିଦା ଅଧିକ:ଭାରତରେ ବାର୍ଷିକ ଘରୋଇ ଚିନି ବ୍ୟବହାର ପ୍ରାୟ ୨୮୦ ଲକ୍ଷ ଟନ୍। ଚିନି ସିଜନ୍ ଆରମ୍ଭରେ ପ୍ରାୟ ୫୦ ଲକ୍ଷ ଟନ୍ର ଓପନିଂ ଷ୍ଟକ୍ ଥିଲା। ତେବେ ଘରୋଇ ଚାହିଦା ତୁଳନାରେ ନୂଆ ଉତ୍ପାଦନ କମ୍ ରହିବା ଆଶଙ୍କା ଯୋଗୁ ଯୋଗାଣ ଉପରେ ଚାପ ବଢ଼ିଛି।

୩. କ୍ଲୋଜିଂ ଷ୍ଟକ୍ କମିବା ଆଶଙ୍କା:ISMA ଅନୁଯାୟୀ, ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ଚିନି କ୍ଲୋଜିଂ ଷ୍ଟକ୍ ପ୍ରାୟ ୩୫ ଲକ୍ଷ ଟନ୍କୁ ହ୍ରାସ ପାଇପାରେ। ଗତ କିଛି ବର୍ଷ ତୁଳନାରେ ଏହା ଯଥେଷ୍ଟ କମ୍।

Also Read- Global Oil Supply Crisis: ତୈଳ ସଂକଟ ଦୂର ହେବାର ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ, ବିଶ୍ୱରେ ୪୩%ରୁ ଅଧିକ ତୈଳ ରପ୍ତାନୀ ବାଧାପ୍ରାପ୍ତ !

ପାର୍ବଣ ଋତୁରେ ଘରୋଇ ବଜେଟ୍ ଉପରେ ପଡ଼ିବ ପ୍ରଭାବ

ରକ୍ଷାବନ୍ଧନ ପରେ ଗଣେଶ ପୂଜା, ନବରାତ୍ରି ଓ ଦୀପାବଳି ଭଳି ପର୍ବ ଆସୁଥିବାରୁ ଚିନିର ଚାହିଦା ଆହୁରି ବଢ଼ିବା ଆଶଙ୍କା ରହିଛି। ଏହି ସମୟରେ ମିଠା ଓ ବିଭିନ୍ନ ଚିନି ଭିତ୍ତିକ ଖାଦ୍ୟର ଚାହିଦା ବଢ଼ିଯାଏ। କିଲୋପିଛା ଚିନି ଦରରେ ପ୍ରାୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବାରୁ ଏହା ସିଧାସଳଖ ଭାବେ ସାଧାରଣ ପରିବାରର ମାସିକ ରାସନ୍ ବଜେଟ୍କୁ ପ୍ରଭାବିତ କରିପାରେ।

ଦର କମାଇବାକୁ ୧୦ ଲକ୍ଷ ଟନ୍ ଚିନି ଆମଦାନୀ

ଚିନି ଦର ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଗତ ସପ୍ତାହରେ ୧୦ ଲକ୍ଷ ଟନ୍ ଚିନି ଆମଦାନୀକୁ ଅନୁମତି ଦେଇଛି। ଏହା ସହିତ ବଡ଼ ପରିମାଣରେ ଚିନି କିଣୁଥିବା ଗ୍ରାହକଙ୍କ ପାଇଁ ଷ୍ଟକ୍ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ଚିନି ଜମାଖୋରୀ ଓ କୃତ୍ରିମ ଭାବେ ଦର ବଢ଼ାଇବା ରୋକିବା ପାଇଁ ବଜାରରେ ଯାଞ୍ଚ ବଢ଼ାଇବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ସରକାର ଚିନି ବ୍ୟବସାୟୀ ଓ ଡିଲରମାନଙ୍କ ଉପରେ ମଧ୍ୟ ଷ୍ଟକ୍ ସୀମା ଲାଗୁ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ମାସକୁ ୧୦ ମେଟ୍ରିକ୍ ଟନ୍ରୁ ଅଧିକ ଚିନି ବ୍ୟବସାୟ କରୁଥିବା ଡିଲରମାନେ ୧୫ ଦିନରୁ ଅଧିକ ଖର୍ଚ୍ଚ ପାଇଁ ଚିନି ମହଜୁଦ ରଖିପାରିବେ ନାହିଁ।

ଏହାଛଡା ସରକାର ଦର ନିୟନ୍ତ୍ରଣ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଯେମିତିକି- ଚିନି ଆମଦାନୀ ଉପରେ ଟିକସ ହଟାଯାଇଛି।

୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ରୋକ୍ ଲଗାଯାଇଛି। ଡିଲରମାନଙ୍କ ପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ୪୦୦ ଟନ୍ ପର୍ଯ୍ୟନ୍ତ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି।

ଏହି ପଦକ୍ଷେପଗୁଡ଼ିକ ଫଳରେ ବଜାରରେ ଚିନି ଯୋଗାଣ ବଢ଼ିବା ସହ ଜମାଖୋରୀ ଉପରେ ରୋକ୍ ଲାଗିବ ଏବଂ ଆଗାମୀ ପାର୍ବଣ ଋତୁରେ ଚିନି ଦର କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।

Source link



Source link

Leave A Reply

Your email address will not be published.