Voice of Eastern India

ଭେନେଜୁଏଲାରୁ ଫେରିଲା ନାବିକଙ୍କ ମୃତଦେହ: ଶରୀରରେ ନାହିଁ ହୃଦୟ-ମସ୍ତିଷ୍କ, ପରିବାରର ଉଠିଲା ହତ୍ୟା ଓ ଅଙ୍ଗଚୋରୀର ସନ୍ଦେହ…


ଦେଓରିଆ:ଭେନେଜୁଏଲାରେ କାର୍ଯ୍ୟରତ ଜଣେ ଭାରତୀୟ ନାବିକ ରାକେଶ ଚୌହାନଙ୍କ ଅସ୍ୱାଭାବିକ ମୃତ୍ୟୁ ଏବେ ଏକ ବଡ଼ ରହସ୍ୟ ସୃଷ୍ଟି କରିଛି। ମୃତଦେହ ଭାରତରେ ପହଞ୍ଚିବା ପରେ ହୋଇଥିବା ପରୀକ୍ଷାରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ପରିବାର ଓ ସାଧାରଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି।

ମୁମ୍ବାଇରେ ରହୁଥିବା ରାକେଶ ୨୦୨୫ ନଭେମ୍ବରରୁ ଭେନେଜୁଏଲାରେ ମେରାଇନ୍ ଫିଟର ଭାବେ କାର୍ଯ୍ୟ କରୁଥିଲେ। ମେ’ ୭ ତାରିଖରେ ତାଙ୍କ କମ୍ପାନୀ ପରିବାରକୁ ଫୋନ୍ କରି ଜଣାଇଥିଲା ଯେ, ଜାହାଜରେ ପଡ଼ିଯିବା ଯୋଗୁଁ ରାକେଶ ଆହତ ହୋଇଛନ୍ତି ଏବଂ ସେହିଦିନ ସନ୍ଧ୍ୟାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତରେ ମୃତଦେହ ପହଞ୍ଚିବା ପରେ ପରିବାରର ସନ୍ଦେହ ହେବାରୁ ଦେଓରିଆ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଥର ପୋଷ୍ଟମର୍ଟମ୍ କରାଯାଇଥିଲା। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ରାକେଶଙ୍କ ଶରୀରରୁମସ୍ତିଷ୍କ,ହୃଦୟ,ଯକୃତ,ଫୁସଫୁସ,କିଡନୀସମେତ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢି ନିଆ ଯାଇଛି। ଶରୀରରେ ବେକଠାରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ମୋଟ୨୨ଟି ସିଲେଇରହିଛି।

ୟୁନିଅନର ଗୁରୁତର ଅଭିଯୋଗ:

‘ଫେଡେରେସନ୍ ଅଫ୍ ସିଫେୟାରର୍ସ ୟୁନିଅନ୍ସ ଅଫ୍ ଇଣ୍ଡିଆ’ (FSUI) ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ଏହା ସହ ଏହି ପ୍ରଶ୍ନ ମଧ୍ୟ ଉଠିଛି ଯେ ପରିବାରର ସମ୍ମତି ବିନା ଶରୀରରୁ ଅଙ୍ଗ କାହିଁକି କଢ଼ାଗଲା? ମୃତଦେହ ଗ୍ରହଣ କରିବା ସମୟରେ ଏକ ରସିଦ ଦିଆଯାଇଥିଲା । ରସିଦରେ ରାକେଶଙ୍କ ପତ୍ନୀଙ୍କ ନାମ ଭୁଲରେ ରଞ୍ଜନା ପରିବର୍ତ୍ତେ ଅଞ୍ଜନା ଲେଖାଯାଇଥିଲା। ଏହାଛଡ଼ା, ତାଙ୍କ ନିଯୁକ୍ତି ସମୟରେ ହୋଇଥିବା ଚୁକ୍ତିରେ ଥିବା ଜାହାଜ ନାମ ସହ ସେ କାର୍ଯ୍ୟ କରୁଥିବା ଜାହାଜ ନାମ ମେଳ ଖାଉନାହିଁ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କିମ୍ବା ଅଙ୍ଗ ଚୋରି ରାକେଟ୍ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

ରାକେଶଙ୍କ ପରିବାର ଅତ୍ୟନ୍ତ ଗରିବ ଏବଂ ତାଙ୍କୁ ବିଦେଶ ପଠାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ପତ୍ନୀ ରଞ୍ଜନା ଏବେ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି ଏବଂ ନ୍ୟାୟ ସହିତ ଆର୍ଥିକ କ୍ଷତିପୂରଣ ଦାବି କରିଛନ୍ତି। ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରିବାକୁ ଦାବି ଜୋର ଧରିଛି, ଯାହାଫଳରେ ନାବିକଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ଶରୀରରୁ ଅଙ୍ଗଗୁଡ଼ିକ କୁଆଡ଼େ ଗଲା, ତାହା ସ୍ପଷ୍ଟ ହୋଇପାରିବ।

Source link



Source link

Leave A Reply

Your email address will not be published.