Voice of Eastern India

ଯାତ୍ରୀବାହୀ ବସକୁ ଧକ୍କା ଦେଲା କାର୍‌; ଅଧା ବାଟରେ ଚାଲିଗଲା ଡ୍ରାଇଭର ଜୀବନ, ୪ ଗୁରୁତର


ଢେଙ୍କାନାଳ: ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ-ଟାଙ୍ଗି ରାସ୍ତାରେ ସଡ଼କ ଦୁର୍ଘଟଣା। କଟକ ଅଭିମୁଖେ ଯାଉଥିବା ଏକ କାର୍ ଏବଂ ବିପରୀତ ଦିଗରୁ ଆସୁଥିବା ‘ଖୁସି’ ନାମକ ଏକ ଯାତ୍ରୀବାହୀ ବସ୍ ମଧ୍ୟରେ ସାମ୍ନାସାମ୍ନି ଜୋରଦାର ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ କାର୍ରେ ଥିବା ଅନ୍ୟ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି। କାର୍ଟି କପିଳାସ ଆଡ଼ୁ ଟାଙ୍ଗି ଅଭିମୁଖେ ଯାଉଥିବା ବେଳେ ଟାଙ୍ଗି ଆଡୁ ଆସୁଥିଲା ‘ଖୁସି’ ବସ୍। ଦେଓଗାଁ ଠାରୁ କିଛି ଦୂରରେ ସାମ୍ନାସାମ୍ନି ପିଟି ହୋଇଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ବସ୍ର ସମ୍ମୁଖ ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ମୃତ କାର୍ ଡ୍ରାଇଭରଜଣକ ଢେଙ୍କାନାଳ ଭୁବନ ଅଞ୍ଚଳର ରଞ୍ଜିତ ମଲ୍ଲିକ ବୋଲି ଜଣାପଡ଼ିଛି। ସୂଚନା ମିଳିଛି ଯେ, ରଞ୍ଜିତ କାର୍ରେ ଭୁବନ ଅଞ୍ଚଳର ୪ ଜଣ ଲୋକଙ୍କୁ ନେଇ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିଲେ। କିନ୍ତୁ କଟକ ପହଞ୍ଚିବା ପୂର୍ବରୁ ହିଁ ଦେଓଗାଁ-ଟାଙ୍ଗି ରାସ୍ତାରେ ମୃତ୍ୟୁ ଛକି ବସିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ଗନ୍ଦିଆ ସ୍ଥିତ ଶ୍ରୀରାମ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର କାର୍ ଡ୍ରାଇଭର ରଞ୍ଜିତଙ୍କୁ ମୃତ ଘୋଷଣା କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅନ୍ୟ ୪ ଜଣ ଗୁରୁତର ଆହତ ଏବେ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଗନ୍ଦିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Source link



Source link

Leave A Reply

Your email address will not be published.