ରଥଯାତ୍ରା ପାଇଁ ସାଇବର ସୁରକ୍ଷାରେ କ୍ରାଇମବ୍ରାଞ୍ଚର ବଡ଼ ପଦକ୍ଷେପ : ୯ ଫେକ୍ ହୋଟେଲ ୱେବପେଜ୍ ବନ୍ଦ, ୧୬ ଠକେଇ URL ବ୍ଲକ୍
ଭୁବନେଶ୍ବର ୧୩।୭: ଆଉ ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଚଳିତବର୍ଷ ରଥଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାକୁ ଓଡ଼ିଶା ପୋଲିସ ପୂରା ପ୍ରସ୍ତୁତ । ଅନ୍ୟପେଟ ଏହି ସମୟରେ ସାଇବର ଅପରାଧ ବଢ଼ିବାର ଆଶଙ୍କା ରହିଛି । ତେବେ ଏଭଳି ସାଇବର ଅପରାଧ ରୋକିବାକୁ ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ ଆରମ୍ଭ ହୋଇଛି । ୯ଟି ଫେକ୍ ହୋଟେଲ ୱେବପେଜ୍ ବନ୍ଦ ହେବା ସହ ୧୬ ଠକେଇ URL ବ୍ଲକ୍ ହୋଇଛି । ଫେକ୍ ହୋଟେଲ ବୁକିଂରୁ ସତର୍କ ରହିବାକୁ ଭକ୍ତଙ୍କୁ ପୋଲିସ ପରାମର୍ଶ ଦେଇଛି ।
ପୁରୀ ରଥଯାତ୍ରା–୨୦୨୬କୁ ନଜରରେ ରଖି ସିଆଇଡି କ୍ରାଇମବ୍ରାଞ୍ଚ ଓ ପୁରୀ ପୋଲିସ ପକ୍ଷରୁ ସାଇବର ସାଥୀ ଆରମ୍ଭ କରାଯାଇଛି । ପର୍ଯ୍ୟଟକ, ଶ୍ରଦ୍ଧାଳୁ, ହୋଟେଲ ମାଲିକ ଓ ସ୍ଥାନୀୟ ଲୋକଙ୍କୁ ସାଇବର ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । କ୍ରାଇମବ୍ରାଞ୍ଚ ଟିମ୍ ପୁରୀର ୭ଟି ପ୍ରମୁଖ ହୋଟେଲ ପରିଦର୍ଶନ କରି ଫେକ୍ ହୋଟେଲ ବୁକିଂ ଠକେଇ ସମ୍ପର୍କରେ ସଚେତନ କରିବା ସହ ୱେବସାଇଟ୍ର ସୁରକ୍ଷା ଯାଞ୍ଚ କରିଛି ।
Also Read:- ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଲାଗିଲା ନିଆଁ, ଶିକ୍ଷକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ଛାତ୍ରଛାତ୍ରୀ
ଅଭିଯାନ ଆରମ୍ଭ ପରଠାରୁ ୯ଟି ଫେକ୍ ହୋଟେଲ ୱେବପେଜ୍ ବନ୍ଦ କରାଯାଇଥିବା ବେଳେ, ରଥଯାତ୍ରା ସମ୍ପର୍କିତ ଭ୍ରମାତ୍ମକ ସୂଚନା ଓ ପ୍ରସାଦ ଦାନ ନାଁରେ ଠକେଇ କରୁଥିବା ୧୬ଟି URL ବ୍ଲକ୍ କରାଯାଇଛି । ଓଡ଼ିଶା ପୋଲିସ ସମସ୍ତ ଭକ୍ତ ଓ ପର୍ଯ୍ୟଟକଙ୍କୁ କେବଳ ବିଶ୍ୱସନୀୟ ସ୍ରୋତରୁ ହୋଟେଲ ବୁକିଂ କରିବା ଓ ସାଇବର ସୁରକ୍ଷା ପରାମର୍ଶ ପାଳନ କରିବାକୁ ଅପିଲ କରିଛି ।
