ପୁରୀ: ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ହୋଇଥିବା ଠେଲାପେଲା ଓ ଶ୍ଵାସରୁଦ୍ଧ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସମୟରେ ହୋଇଥିବା ଏହି ଠେଲାପେଲାରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ସୋମବାର ରଥ ଯାତ୍ରାରେ ୨ ଜଣଙ୍କର ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନା ମୁତାବକ ଜୁଲାଇ ୧୬ ତାରିଖ ରଥଯାତ୍ରାରେ ସ୍ଵାଭାବିକ ଭାବେ ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିଥିଲା। ପୂରା ଜଗନ୍ନାଥମୟ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର। ମହାପ୍ରଭୁ ଜଗନ୍ନାଥଙ୍କ ପଲକେ ଦର୍ଶନ ପାଇଁ ବ୍ୟାକୁଳ ହେଉଥିଲା ଭକ୍ତ ଓ ଶ୍ରଦ୍ଧାଳୁ। ତେବେ ଏହି ସମୟରେ ବଡ଼ଦାଣ୍ଡରେ ଠେଲାପେଲା ହୋଇଥିଲା। ଏଥିରେ ତଳେ ପଡ଼ି କିମ୍ବା ଶ୍ଵାସରୁଦ୍ଧ କାରଣରୁ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏପରିକି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ଏହା ସହିତ ମୃତକଙ୍କ ପରିଜନ ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ଅନ୍ୟପଟେ ପୁରୀ ରଥଯାତ୍ରା ସମୟରେ ଘଟିଥିବା ଠେଲାପେଲା ଏବଂ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହି ଘଟଣାକୁ ନେଇ କମିଶନ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ମାଗିଛନ୍ତି । ସେହିପରି ଘଟଣାରେ ଆହତ ସମସ୍ତଙ୍କୁ ଉନ୍ନତ ଓ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଏହାସହିତ ଆସନ୍ତା ବାହୁଡ଼ା ଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ ପୃଥକ ଚିଠି ଲେଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। ରଥଯାତ୍ରା ଭଳି ବୃହତ୍ ଧାର୍ମିକ ସମାବେଶରେ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉପରେ କମିଶନ ଗୁରୁତ୍ୱାରୋପ କରିଛନ୍ତି।
