ସୋର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ସ୍ଥିତି। ବର୍ଷା ଯୋଗୁ ସୋର ବ୍ଲକ୍ ଦେଇ ପ୍ରବାହିତ ହେଉଥିବା କାଂଶବାଂଶ ଓ ପିତାକାଳିଆ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏମିତିରେ ବନ୍ୟା ଭୟରେ ଏବେ ନଈକୂଳିଆ ଅଞ୍ଚଳବାସୀ।
ସେପଟେ ପ୍ରବଳ ବର୍ଷା ପ୍ରଭାବରେ ସୋର ବ୍ଲକର ତଳନଗର ପଞ୍ଚାୟତର ଅଧିକାଂଶ ଗାଁ ଜଳବନ୍ଦୀ। ଗୁଡ଼, ତାଣ୍ଟେଇ, ଅନ୍ତପୁର, ଅନନ୍ତପୁର ଓ ପାଖର ସମେତ ବିଭିନ୍ନ ପଞ୍ଚାୟତରେ ମଧ୍ୟ ନଦୀର ଉପରମୁଣ୍ଡରୁ ବର୍ଷାଜଳ ପ୍ରବେଶ କରୁଥିବାରୁ ଜଳସ୍ତର ବଢ଼ିଚାଲିଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବାହାନଗା ବ୍ଲକର କେତେକ ଗାଁରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ପିତାକାଳିଆ ନଦୀର ରାଧିକାଦେଇପୁର ପୋଲ ଓ ଛୋଟା ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ଫଳରେ ଅଙ୍କୁରଖର୍ଜିଗା ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସାଲାମପୁର, ତଳନଗର, ବିଶ୍ୱାଳାଶାହି, ହାବେଳି ଗଣ୍ଡତରା, ଜମନପଦା ସମେତ ଅନେକ ଗାଁ ପାଣିଘେରା ରହିଛି।
Also Read: ଗୋବରୀ ନଦୀରେ ବୁଲୁଛି କୁମ୍ଭୀର, କରିସାରିଲାଣି ଅନେକ ଶିକାର
ତେବେ ଆଗକୁ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସବିରା ଟ୍ରେନ ଗଳାପୋଲ ଚାରିଫୁଟ ଜଳ ପ୍ରବାହିତ ଯୋଗୁ ଖଇରା ମାଖନ ପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି।
