ଇ-୨୦ ପେଟ୍ରୋଲ ବ୍ୟବହାର କଲେ ଇନସୁରାନ୍ସ କ୍ଲେମ୍ ବାତିଲ୍ ହେବ କି ନାହିଁ ? ସ୍ପଷ୍ଟୀକରଣ ଦେଲା ପେଟ୍ରୋଲିୟମ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଇ-୨୦ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ) ପେଟ୍ରୋଲ ବ୍ୟବହାର କରିବା କାରଣରୁ କୌଣସି ଗାଡ଼ିର ବୀମା କ୍ଲେମ୍ ବାତିଲ୍ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। E20 ପେଟ୍ରୋଲକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଭ୍ରାନ୍ତ ଧାରଣା ପ୍ରଚାରିତ ହେଉଥିବା ବେଳେ ମନ୍ତ୍ରଣାଳୟ ଏହି ସ୍ପଷ୍ଟୀକରଣ ଦେଇଛି। ନିକଟରେ ବିଜେପି ପକ୍ଷରୁ ଏକ୍ସରେ ପୋଷ୍ଟ କରି ନିର୍ଭୟରେ ଇ-୨୦ ପେଟ୍ରୋଲ ବ୍ୟବହାର କରିବାକୁ ଆହ୍ୱାନ କରାଯାଇଥିଲା।
ପୋଷ୍ଟରେ କୁହାଯାଇଥିଲା ଯେ, “ଇ-୨୦ ପେଟ୍ରୋଲ ବ୍ୟବହାର କଲେ ବୀମା ଦାବି ଖାରଜ ହେବ ବୋଲି ଯେଉଁ ଦାବି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ। କେବଳ ଇ-୨୦ ପେଟ୍ରୋଲ ବ୍ୟବହାର କରିବା ଆଧାରରେ କୌଣସି ବୀମା ଦାବି ଖାରଜ ହୋଇପାରିବ ନାହିଁ।”
ଭ୍ରାନ୍ତ ଧାରଣାକୁ ଖଣ୍ଡନ କଲା ମନ୍ତ୍ରଣାଳୟ
ଏହା ପୂର୍ବରୁ ମଧ୍ୟ ପେଟ୍ରୋଲିୟମ ମନ୍ତ୍ରଣାଳୟ ଇଥାନଲ ମିଶ୍ରିତ ପେଟ୍ରୋଲ ସମ୍ପର୍କିତ ବିଭିନ୍ନ ଭ୍ରାନ୍ତ ଧାରଣା ଉପରେ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରିଥିଲା। ସେଥିରେ ବୀମା, ଇଞ୍ଜିନ କ୍ଷତି ଏବଂ ଇନ୍ଧନର ମାନ ସମ୍ପର୍କିତ ଦାବିଗୁଡ଼ିକୁ ଖଣ୍ଡନ କରାଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ, ଇ-୨୦ ଇନ୍ଧନ ବ୍ୟବହାର କରିବା ଫଳରେ ଗାଡ଼ିର ବୀମା ପଲିସି ଅବୈଧ ହୋଇଯିବ ବୋଲି ଯେଉଁ ଆଶଙ୍କା ହେଉଛି, ତାହା ସମ୍ପୂର୍ଣ୍ଣମ ଭିତ୍ତିହୀନ। ସେହିପରି ଇଞ୍ଜିନ ନଷ୍ଟ ହେବା ଓ ଏଥିରେ ପିମ୍ପୁଡ଼ି ଲାଗିବା ଭଳି ଯେଉଁ ଦାବି କରାଯାଉଛି, ସେଥିରେ କୌଣସି ବୈଜ୍ଞାନିକ ଆଧାର ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
Also Read- ଏଣିକି ‘Energy Drink’ ଲେଖିପାରିବେନି କମ୍ପାନି; ସମସ୍ତ ବ୍ରାଣ୍ଡକୁ ୯୦ ଦିନର ମହଲତ
ବୈଜ୍ଞାନିକ ପରୀକ୍ଷା ପରେ ଲାଗୁ ହୋଇଛି ଇ-୨୦ ପ୍ରୋଗ୍ରାମ
ମନ୍ତ୍ରଣାଳୟ ଅନୁସାରେ, ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ୍ (Ethanol Blending Programme) ଲାଗୁ କରିବା ପୂର୍ବରୁ ଏହାକୁ ଭଲଭାବରେ ବୈଜ୍ଞାନିକ ପରୀକ୍ଷା ଓ ଯାଞ୍ଚ କରାଯାଇଛି। ତୈଳ ବିପଣନ କମ୍ପାନୀ, ଅଟୋମୋବାଇଲ ନିର୍ମାତା ଏବଂ ଇନ୍ଧନ ପରୀକ୍ଷଣ ସଂସ୍ଥାମାନଙ୍କ ସହ ପରାମର୍ଶ କରି ଏହି ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ୨୦୨୩ ମସିହାରେ ଇ-୨୦ ପେଟ୍ରୋଲ ଆରମ୍ଭ ହେବା ପରଠାରୁ ଇଥାନଲ ମିଶ୍ରଣ ଯୋଗୁ ବ୍ୟାପକ ଭାବେ ଇଞ୍ଜିନ ଖରାପ ହେବା କିମ୍ବା ଗାଡ଼ି ବନ୍ଦ ପଡ଼ିଯିବା ଭଳି କୌଣସି ଘଟଣା ରିପୋର୍ଟ ହୋଇନଥିବା ମନ୍ତ୍ରଣାଳୟ ଦାବି କରିଛି।
ଇନ୍ଧନ ମାନଦଣ୍ଡ କଡ଼ାକଡ଼ି ପାଳନ ହେଉଛି
ମନ୍ତ୍ରଣାଳୟ କହିଛି ଯେ, ଇନ୍ଧନରେ ମିଶାଯାଉଥିବା ଇଥାନଲ ଶିଳ୍ପସ୍ତରୀୟ ପ୍ରକ୍ରିୟାରେ ପ୍ରସ୍ତୁତ ହୋଇଥାଏ ଏବଂ ପେଟ୍ରୋଲରେ ମିଶ୍ରଣ ପୂର୍ବରୁ ଏହା କଡ଼ା ମାନଦଣ୍ଡ ଅନୁଯାୟୀ ପରୀକ୍ଷା କରାଯାଏ। ଏହି ପରିସ୍ଥିତିରେ ଇ-୨୦ ପେଟ୍ରୋଲ ବ୍ୟବହାର ନେଇ ଉପଭୋକ୍ତାମାନେ ଅନାବଶ୍ୟକ ଭୟ କିମ୍ବା ଭ୍ରାନ୍ତ ଧାରଣାରେ ନ ପଡ଼ିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
