Voice of Eastern India

ଶ୍ରୀଗୁଣ୍ଡିଚାରୁ ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାର ଆଗରେ ଲାଗିଲା ତିନି ରଥ



ପୁରୀ: ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ରାତି ୧୧ଟା ସୁଦ୍ଧା ତିନି ରଥ ସିଂହଦ୍ବାରରେ ଲାଗିଥିବାବେଳେ, ବାହୁଡ଼ା ଯାତ୍ରାରେ ଖୁବ୍ ଆନନ୍ଦ ଉତ୍ସାହରେ ଭକ୍ତମାନେ ତିନି ରଥକୁ ଟାଣିନେଇଥିଲେ ସିଂହଦ୍ବାର ନିକଟକୁ। ଶନିବାର ମହାପ୍ରଭୁ ଦୁର୍ଲଭ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ।

ସୂଚନାଥାଉକି, ଶୁକ୍ରବାର ବାହୁଡ଼ା ପାର୍ଇ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସେନାପଟା ଲାଗି ପରେ ୮ ଟା ୨୫ ରେ ମଙ୍ଗଳ ଆଳତି, ମଇଲମ, ରୋଷ ହୋମ, ତଡପ ଲାଗି, ଅବକାଶ ପୂଜା, ବେଶ ଶେଷ, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପଛକୁ ପଛ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସଜ୍ଜିତ ଟାହିଆ ପରିଧାନ କରି ରଥାରୂଢ଼ ହୋଇଥିଲେ। ପରେ ରାମକୃଷ୍ଣ , ମଦନମୋହନ ରଥାରୂଢ଼ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ।

Also Read: ପହଣ୍ଡି ପୂର୍ବରୁ ରଥ ଉପରେ ଚଢ଼ିଲେ ଅଣ ସେବାୟତ, ଟାଣି ଟାଣି ତଳକୁ ଓହ୍ଲାଇଦେଲେ ଶ୍ରୀମନ୍ଦିର ପ୍ରଶାସକ

ଗଜପତି ମହାରାଜାଙ୍କ ଛେରାପହଁରା ପରେ ଚାରମାଳ ଖୋଲାଯାଇ ଘୋଡ଼ା ଯୋଚା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଗଡିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା। ଚଳିତବର୍ଷ ବାହୁଡ଼ା ଯାତ୍ରାରେ ପହଣ୍ଡି ଶୀଘ୍ର ଆରମ୍ଭ ହୋଇଥିଲେ ମଧ୍ୟ ପହଣ୍ଡି ଶେଷ ବେଳକୁ ବିଳମ୍ବ ହୋଇଥିଲା।

ଶନିବାର ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି। ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ଵତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି ।
Source link



Source link

Leave A Reply

Your email address will not be published.