ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ ହୋଇଛି । ଅନେକ ଦେଶରେ ଏବେ ଏହି ପ୍ରସଙ୍ଗ ଉପରେ ବିଚାର ବିମର୍ଶ ଜାରି ରହିଛି । ଏଭଳି ସ୍ଥିତିରେ ଭାରତରେ ମଧ୍ୟ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ରୋକ ଲଗାଯିବା ଦରକାର ବୋଲି ଦାବି ହେଉଛି । ଆଉ ଏହି ତାଲିକାରେ ଯୋଡ଼ି ହୋଇଛି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ।
ଜୋହୋ (Zoho)ର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଶ୍ରୀଧର ଭେମ୍ବୁ ଶୁକ୍ରବାର ଭାରତରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିବାକୁ ଦାବି କରି ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ଫ୍ରାନ୍ସ ସଂସଦରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯିବା ପାଇଁ ପାରିତ ହୋଇଥିବା ଏକ ଐତିହାସିକ ବିଲ୍ ସମ୍ପର୍କିତ ପୋଷ୍ଟର ପ୍ରତିକ୍ରିୟା ଦେଇ ସେ ଏହି କଥା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର (ଜୁଲାଇ ୨୧) ଫ୍ରାନ୍ସର ସଂସଦରେ ଏହି ବିଲ୍ ପାରିତ ହେବା ପରେ, ପିଲାଙ୍କ ପାଇଁ ସୋସିଆଲ ମିଡିଆ ସମ୍ପୂର୍ଣ୍ଣ ବ୍ୟାନ୍ କରିବାରେ ଫ୍ରାନ୍ସ ୟୁରୋପୀୟ ୟୁନିଅନ୍ (EU)ର ପ୍ରଥମ ଦେଶ ହୋଇଛି। ଏହି ନୂତନ ନିୟମ ଅନୁଯାୟୀ, ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ଶ୍ରୀଧର ଭେମ୍ବୁଙ୍କ ମନ୍ତବ୍ୟ
ଛୋଟ ପିଲାମାନେ ମୋବାଇଲ୍ ସ୍କ୍ରିନ୍ର କାଚଘର ଭିତରୁ ବାହାରି ବାସ୍ତବ ଦୁନିଆକୁ ଅନୁଭବ କରନ୍ତୁ ବୋଲି ଭେମ୍ବୁ କହିଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର)ରେ ସେ ଲେଖିଛନ୍ତି, ‘ଭାରତ ମଧ୍ୟ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିବା ଉଚିତ୍। ମୋର ବିଶ୍ୱାସ ଯେ, ଛୋଟ ପିଲାମାନେ ବହି ପଢ଼ିବା, ଖରାରେ ମାଟିସହ ଖେଳିବା ଦରକାର ଏବଂ ସୋସିଆଲ ମିଡିଆଠାରୁ ଦୂରରେ ରହିବା ଆବଶ୍ୟକ ।’ ଶ୍ରୀଧର ଭେମ୍ବୁଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି ।
India should ban social media for young children too.
I believe young children should read physical books, play in the dirt under the sun and stay away from social media! https://t.co/WJ1ZxLkZ7d
— Sridhar Vembu (@svembu) July 24, 2026
ଅନେକ ଲୋକ ତାଙ୍କର ଏହି ଚିନ୍ତାଧାରାକୁ ସମର୍ଥନ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ସମ୍ପୂର୍ଣ୍ଣ ସହମତ। ଅନିୟନ୍ତ୍ରିତ ସୋସିଆଲ ମିଡିଆ ବ୍ୟବହାର ଯୁବପିଢ଼ିଙ୍କ ମଧ୍ୟରେ ଗଭୀର ନିଶା ସୃଷ୍ଟି କରୁଛି। ଏହାକୁ ନରୋକିଲେ, ଏହାର ବିଷାକ୍ତ ବିଷୟବସ୍ତୁ (Toxic Content) ଆମର ସମଗ୍ର ପିଢ଼ିର ମାନସିକ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତକୁ ବିପଦରେ ପକାଇବ।’
ଅନ୍ୟପକ୍ଷରେ କିଛି ଲୋକ କହିଛନ୍ତି ଯେ, ସରକାର ନାଗରିକଙ୍କ ନିଜସ୍ୱ ଜୀବନରେ ଅତ୍ୟଧିକ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଅନ୍ୟ ଜଣେ ଯୁକ୍ତି ଦେଇଛନ୍ତି, ‘ସୋସିଆଲ ମିଡିଆରେ ସମୟ ନଷ୍ଟ କରୁଥିବା ପିଲା ଏବଂ ଇନ୍ଷ୍ଟାଗ୍ରାମ୍ କିମ୍ବା ୟୁଟ୍ୟୁବ୍ ମାଧ୍ୟମରେ କିଛି ନୂଆ ଶିଖୁଥିବା ବା ବ୍ୟବସାୟ କରୁଥିବା ପିଲାଙ୍କ କଥା ସମାନ ନୁହେଁ। ସମ୍ପୂର୍ଣ୍ଣ ବ୍ୟାନ୍ କରିବା ପରିବର୍ତ୍ତେ ଏହାର ବ୍ୟବହାରକୁ ସୀମିତ କରାଯାଇପାରେ।’
