ପୁରୀ ୨୦।୭: ଆଜି ହେରାପଞ୍ଚମୀ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ ଆଉ ଶ୍ରଦ୍ଧାଳୁ ।
ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆଜି ହେରାପଞ୍ଚମୀ ପାଇଁ ଅଧିକ ଭକ୍ତ ଆସିବେ । ସେଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ଯଥେଷ୍ଟ ପୋଲିସ ଫୋର୍ସ ଅଛନ୍ତି । ରାତିରେ ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ମଙ୍ଗଳବାର ରଥ ଦକ୍ଷଣ ମୋଡ଼ ପାଇଁ ୫୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ପ୍ରଶାସନ ତରଫରୁ ଦିଆଯାଇଥିବା ନିୟମକୁ ମାନିବାକୁ ଲୋକ ମାନଙ୍କୁ ଅନୁରୋଧ କଲେ କେନ୍ଦ୍ରାଞ୍ଚଳ ଆଇଜି ।
ସେପଟେ ଭିଆଇପି ଦର୍ଶନ ନାଁରେ ଅନଲାଇନ ମାଧ୍ୟମରେ ବିଜ୍ଞାପନ ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ eoOdisha ନାଁରେ ଏତଲା ଦିଆଯାଇଛି । ଭିଆଇପି ଦର୍ଶନ ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ । ସେଥିପାଇଁ ଆମର କୌଣସି ନିୟମ ମଧ୍ୟ ନାହିଁ ।
ରବିବାର ଯଜ୍ଞ ମଣ୍ତପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ସୋମବାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଳିଆ ମହାଜନ ମା’ ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ । ଘଣ୍ଟ, ଛତା, ପଟୁଆରରେ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି ।
