Voice of Eastern India

ଆସନ୍ତା ନୂଆ ବର୍ଷରେ ଖୋଲିବ ଖୋର୍ଦ୍ଧା- ବଲାଙ୍ଗୀର ନୂଆ ରେଳ ଲାଇନ, ଉଦଘାଟନ କରିବେ ପିଏମ ମୋଦୀ


ଭୁବନେଶ୍ୱର: ଓଡ଼ିଶାର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ଆସିଛି ଏକ ବଡ଼ ଖବର। ଆସନ୍ତା ନୂଆ ବର୍ଷରେ ଏହି ନୂତନ ରେଳ ଲାଇନ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସବୁକିଛି ଠିକ୍ ରହିଲେ, ଆସନ୍ତା ୨୦୨୭ ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଏହି ବହୁ ପ୍ରତୀକ୍ଷିତ ରେଳ ଲାଇନ୍ର ଭବ୍ୟ ଉଦଘାଟନ କରାଯିବ। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଜଙ୍ଗଲ ମଝିରେ ୭ଟି ଟନେଲ୍, ଶେଷ ପର୍ଯ୍ୟାୟରେ କାମ

ଦୀର୍ଘ ବର୍ଷର ଏହି ସ୍ୱପ୍ନର ପ୍ରକଳ୍ପ ଏବେ ବାସ୍ତବ ରୂପ ନେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ପାର୍ଶ୍ୱରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ପୁରୁଣା କଟକ ପର୍ଯ୍ୟନ୍ତ ଚାଲିଥିବା ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ୭୪ କିଲୋମିଟର ଦୀର୍ଘ ଘଞ୍ଚ ଜଙ୍ଗଲ ରାସ୍ତା ମଧ୍ୟରେ ଯାଇଥିବା ଏହି ରେଳ ଲାଇନ୍ରେ ୭ଟି ବିଶାଳ ଟନେଲ୍ ନିର୍ମାଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।

Also Read: ପୁରୀ-କୋରାପୁଟ-ପୁରୀ ନୂଆ ଟ୍ରେନର ଶୁଭାରମ୍ଭ, ଉତ୍ତର ଓଡ଼ିଶା ପାଇଁ ବି ସ୍ବତନ୍ତ୍ର ଘୋଷଣା କଲେ ରେଳମନ୍ତ୍ରୀ

ପଶ୍ଚିମ ଓ ଉପକୂଳ ଓଡ଼ିଶା ମଧ୍ୟରେ ସଂଯୋଗୀକରଣ

ଏହି ପ୍ରକଳ୍ପର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିଭିନ୍ନ ବ୍ରିଜ୍ ବା ପୋଲ ନିର୍ମାଣ। ବର୍ତ୍ତମାନ ବ୍ରିଜ୍ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ଥିବାରୁ ଖୁବ୍ ଶୀଘ୍ର ଏହି ରୁଟ୍ରେ ଟ୍ରେନ୍ ଚଳାଚଳର ଟ୍ରାଏଲ୍ ରନ୍ ଆରମ୍ଭ କରାଯାଇପାରେ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ସମ୍ପୂର୍ଣ୍ଣ ହେବା ଫଳରେ ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାର ସଂଯୋଗୀକରଣ ଆହୁରି ମଜବୁତ ହେବ। ଏହା ଦ୍ୱାରା ଅଞ୍ଚଳର ବ୍ୟବସାୟ, ପର୍ଯ୍ୟଟନ ଏବଂ ଅର୍ଥନୀତିରେ ବଡ଼ ସୁଧାର ଆସିବ ବୋଲି ଆଶା କରାଯାଉଛି। ୨୦୨୭ ଆରମ୍ଭରୁ ଓଡ଼ିଶାବାସୀଙ୍କୁ ଏହି ନୂଆବର୍ଷ ଭେଟି ମିଳିବାକୁ ଯାଉଥିବାରୁ ସାଧାରଣରେ ଉତ୍ସାହ ପ୍ରକାଶ ପାଇଛି।

Source link



Source link

Leave A Reply

Your email address will not be published.